ଏସିଆ କପ୍‌ ଫାଇନାଲ୍‌ରେ ଭାରତ

Sep 13, 2023 - 10:13
 0  4
ଏସିଆ କପ୍‌ ଫାଇନାଲ୍‌ରେ ଭାରତ

ପାକିସ୍ତାନ ବିପକ୍ଷରେ ବଡ଼ ସ୍କୋର୍‌ କରିଥିବା ଭାରତୀୟ ବ୍ୟାଟର୍‌ ଦିନକ ପରେ ଶ୍ରୀଲଙ୍କା ବିପକ୍ଷରେ ସଂଘର୍ଷ କରିଥିଲେ ମଧ୍ୟ ବିଜୟ ହାତଛଡ଼ା କରିନାହାନ୍ତି। ସ୍ପିନରଙ୍କ ପ୍ରାଧାନ୍ୟ ଭିତରେ ରହିଥିବା ଆର ପ୍ରେମଦାସାର ଭିନ୍ନ ପିଚ୍‌ରେ ଭାରତ ରୋମାଞ୍ଚକ ଭାବେ ଶ୍ରୀଲଙ୍କାକୁ ୪୧ ରନ୍‌ରେ ପରାସ୍ତ କରି ଫାଇନାଲ୍ ପ୍ରବେଶକୁ ଏକପ୍ରକାର ନିଶ୍ଚିତ କରିଛି। ଭାରତ ୨୧୩ ରନ୍‌ର ମାମୁଲି ସ୍କୋର୍‌ କରିଥିଲା। କିନ୍ତୁ ଦଳର ପେସ୍‌ ଓ ସ୍ପିନ୍ ଆକ୍ରମଣ ଆଗରେ ଶ୍ରୀଲଙ୍କା ‌ଶେଷକୁ ହାର୍ ମାନିଥିଲା। ଏହି ମ୍ୟାଚ୍‌ରେ ରନ୍‌ କମ ହୋଇଥିଲା କିନ୍ତୁ ବୋଲିଂ ଦୃଷ୍ଟି‌ କୋଣରୁ ଢ଼େର ରୋମାଞ୍ଚ ଭରି ଦେଇଥିଲା। ୪୧ ରନ୍‌ ବ୍ୟବଧାନ ସହଜ ଲାଗୁଥିଲେ ମଧ୍ୟ କାହାଣୀ ଭିନ୍ନ ଥିଲା। ଶ୍ରୀଲଙ୍କା ୯୯/୬ରେ ସଂଘ‌ର୍ଷ କରିଥିବାବେଳେ ଧନଞ୍ଜୟ ଡି’ସିଲଭା ଓ ଦିମୁଥ ୱେଲାଲଗେ ସପ୍ତମ ୱିକେଟ୍ ପାଇଁ ୬୩ ରନ୍‌ ଭାଗୀଦାରି ବିଜୟ ଆଶା ଉଜ୍ଜୀବିତ କରିଥିଲେ। ଡି’ସିଲଭାଙ୍କୁ ଆଉଟ୍ କରି ଜାଦେଜା ଏହି ଭାଗୀଦାରି ଭାଙ୍ଗିବା ପରେ ଭାରତ ବିଜୟ ମୁହାଁ ହୋଇଥିଲା। ପୂର୍ବ ରାତିରେ ପାକିସ୍ତାନ ବିପକ୍ଷରେ ୫ ୱିକେଟ୍ ନେଇଥିବା କୁଲଦୀପ ଯାଦବ ପୁଣି ୪ ୱିକେଟ୍ ନେଇ ଦଳର ବିଜୟକୁ ନିଶ୍ଚିତ କରିଥିଲେ। ଶ୍ରୀଲଙ୍କା ପାଳି ୪୧.୩ ଓଭରରେ ୧୭୨ ରନ୍‌ରେ ଶେଷ ହୋଇଯାଇଥିଲା। କୁଲଦୀପ ୪ ୱିକେଟ୍‌ ନେଇଥିବାବେଳେ ବୁମରା-ଜାଦେଜା ୨-୨ ଏବଂ ହାର୍ଦିକ-ସିରାଜ ୧-୧ ୱିକେଟ୍ ନେଇଥିଲେ। ଅଲ୍‌ ରାଉଣ୍ଡ୍ ପ୍ରଦର୍ଶନ କରିଥିବା ଯୁବ ଖେଳାଳି ଦିମୁଥ ୱେଲାଲଗେ (୫/୪୦ ଏବଂ ୪୨*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

କ୍ରମାଗତ ତୃତୀୟ ଦିବସରେ ପଡ଼ିଆ ଭିତରେ ରହିଥିବା ଭାରତ ମଙ୍ଗଳବାର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଶାର୍ଦୁଳ ଠାକୁରଙ୍କ ବଦଳରେ ଭାରତ ଅତିରିକ୍ତ ସ୍ପିନର୍‌ ଭାବେ ଅକ୍ଷର ପଟେଲଙ୍କୁ ଖେଳାଇଥିଲା। ଭାରତ ପାଳି ଆରମ୍ଭ କରି ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ବିଶେଷ କରି ରୋହିତ ଶର୍ମା ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିବାବେଳେ ଗିଲ୍‌ ଶାନ୍ତ ପଡ଼ିଥିଲେ। ଉଭୟ ପ୍ରଥମ ପାୱାର ପ୍ଲେ ୧୦ ଓଭରରେ ଭାରତ ବିନା କ୍ଷତିରେ ୬୫ ରନ୍‌ ସଂଗ୍ରହ କରିଥିଲା। ୧୧ ଓଭର ବେଳକୁ ଭାରତ ମଧ୍ୟ ବିନା ୱିକେଟ୍‌ରେ ୮୦ ରନ୍‌ ସଂଗ୍ରହ କରିନେଇଥିଲା। ଦ୍ବାଦଶ ଓଭରରେ ଯୁବ ବାମହାତୀ ସ୍ପିନର୍‌ ଦୁନିଥ୍ ୱାଲାଲଗେଙ୍କୁ ବୋଲିଂରେ ଲଗାଇ ଶ୍ରୀଲଙ୍କା ଅଧିନାୟକ ଦାସୁନ ସଣକା ଖେଳିଥିବା ଚାଲ୍‌ ତତ୍‌କ୍ଷଣାତ କାମ ଦେଇଥିଲା। ପ୍ରଥମ ବଲ୍‌‌ରେ ଶୁବମନ ଗିଲ୍‌ଙ୍କୁ ‌ବୋଲ୍ଡ କରିବା ପରେ ପର ଓଭରରେ ବିରାଟ କୋହଲିଙ୍କୁ ଚକମା ‌ଦେଇ ସଣକାଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ନିଜ ତୃତୀୟ ଓଭର ପ୍ରଥମ ବଲ୍‌ରେରେ ରୋହିତ ଶର୍ମାକୁ ଏକ ତଳୁଆ ବଲ୍‌ରେ ବୋଲ୍ଡ କରି ଆଉ ଏକ ବଡ଼ ଶିକାର କରିଥିଲେ। ରୋହିତ (୪୮ ବଲ୍‌ରୁ ୫୩ ରନ୍‌) କିନ୍ତୁ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିସାରିଥିଲେ। ହଠାତ୍ ଭାରତ ୮୦/୦ରୁ ୯୧/୩ରେ ପହଞ୍ଚିଯାଇଥିଲା। ଏହି ସମୟରେ ଈଶାନ କିଶନ ଏବଂ କେଏଲ୍ ରାହୁଲ୍‌ ୬୧ ରନ୍‌ର ଭାଗୀଦାରି କରିଥିଲେ। ଦିମୁଥ କିନ୍ତୁ ନିଜ ବୋଲିଂରେ ରିଟର୍ନ କ୍ୟାଚ୍‌ ସହ ରାହୁଲଙ୍କୁ ଚତୁର୍ଥ ଶିକାର କରିବା ପରେ ହାର୍ଦିକ ପାଣ୍ଡ୍ୟାଙ୍କୁ ପଞ୍ଚମ ୱିକେଟ୍‌ ଭାବେ ପ୍ୟାଭିଲିଅନ୍ ପଠାଇ ଭାରତକୁ ୨୦୦ ରନ୍‌ ପୂର୍ବରୁ ଅଲ୍‌ ଆଉଟ୍ କରିବାର ଧମକ ଦେଇଥିଲେ। ୱାଲାଲଗେଙ୍କ ସହିତ ଚରିତ ଅସଲଙ୍କା ମଧ୍ୟ ତାଳ ଦେଇ ଭାରତର ୪ ୱିକେଟ୍‌ ଦଖଲ କରି ଦଳକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ଅକ୍ଷର ପଟେଲ୍ କିନ୍ତୁ ଦ୍ରୁତ ୨୬ ରନ୍‌ କରି ଭାରତକୁ ୨୧୩ ରନ୍‌ର ଲଢ଼ୁଆ ସ୍କୋର୍‌ ଦେଇଥିଲେ।  ଏସିଆ କପ୍‌ରେ ୫ ୱିକେଟ୍‌ ନେବାରେ ଦୁନିଥ ତୃତୀୟ ଶ୍ରୀଲଙ୍କା ସ୍ପିନର ଯୁବ ବୋଲର ଦୁନିଥ ୱେଲାଲଗେ ତୃତୀୟ ଶ୍ରୀଲଙ୍କା ସ୍ପିନର ଭାବେ ଏସିଆ କପ୍‌ରେ ୫ ୱିକେଟ୍‌ ସଫଳତା ପାଇଛନ୍ତି। ପୂର୍ବରୁ ଅଜନ୍ତା ମେଣ୍ଡିସ୍‌ ଓ ମୁଥୟା ମୁରଲୀଥରନ୍‌ ଏସିଆ କପ୍‌ରେ ୫ ୱିକେଟ୍‌ ପାଇଥିଲେ। ମଙ୍ଗଳବାର ଭାରତର ବ୍ୟାଟିଂ କ୍ରମକୁ ଧ୍ବସ୍ତ କରିବାରେ ୱେଲା‌ଲଗେ ବଡ଼ ଭୂମିକା ନେଇଥିଲେ। ଏପରିକି ଏସିଆ କପ୍‌ରେ ଭାରତ ବିପକ୍ଷରେ ୫ ୱିକେଟ୍‌ ପାଇବାରେ ସେ ଶ୍ରୀଲଙ୍କାର ରହସ୍ୟମୟ ବୋଲର ଭାବେ ପରିଚିତ ଅଜନ୍ତା ମେଣ୍ଡିସ୍‌ ଓ ପରଭେଜ୍‌ ମହାରୁଫ୍‌ଙ୍କ ସମକକ୍ଷ ହେବା ସହ ଦ୍ବିତୀୟ ସ୍ପିନର ହୋଇଛନ୍ତି। ୧୧ ଓଭର ପର୍ଯ୍ୟନ୍ତ ୮୦ ରନ୍‌ରେ କୌଣସି ୱିକେଟ୍‌ ହରାଇନଥିବା ଭାରତ ପାଇଁ ଦୁଃସ୍ବପ୍ନ ପାଲଟିଥିଲେ ୱେଲାଲଗେ। ତାଙ୍କର ସ୍ପିନ୍‌ ଯାଦୁରେ ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, କେଏଲ୍‌ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶିକାର ହେବାରୁ ଭାରତର ବିପର୍ଯ୍ୟୟ ଘଟିଥିଲା। ତାଙ୍କ ପୂର୍ଣ୍ଣ କୋଟାରୁ ସେ ୪୦ ରନ୍‌ ବ୍ୟୟ କରି ଏହି ସଫଳତା ପାଇଥିଲେ। ୨୦ ବର୍ଷୀୟ ଏହି ବାମହାତୀ ସ୍ପିନର୍‌ ମଧ୍ୟ ପ୍ରଥମ ଥର ୫ ୱିକେଟ୍ ସଫଳତା ଅର୍ଜନ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.