ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ତମ ପ୍ରତିଷ୍ଠା ଦିବସ ପାଳିତ

Sep 3, 2023 - 22:14
 0  7
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ତମ ପ୍ରତିଷ୍ଠା ଦିବସ ପାଳିତ
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର-ତା.୦୩.୦୯.୨୦୨୩- ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । 

ଏହି ଅବସରରେ ଯୋଗଦେଇ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ଓଟିଡିସି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ରାଜ୍ୟ ଅର୍ଥନୀତିକୁ ତ୍ବରାନ୍ବିତ କରିବାରେ ଅଗ୍ରଣୀ ଭୂମିକା ତୁଲାଇଛି ।

ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ସହ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ ରଖିବାରେ ସକ୍ଷମ ହୋଇଛି । ପର୍ଯ୍ୟଟନ କ୍ଷେତ୍ରରେ ସମଗ୍ର ଦେଶରେ ଅନ୍ୟରାଜ୍ୟ ପାଇଁ ଓଟିଡିସି ଉଦାହରଣ ସୃଷ୍ଟି କରିଥିବା ନେଇ ଡଃ ମହାନ୍ତି ଉଲ୍ଲେଖ କରିଥିଲେ ।

ବିଭିନ୍ନ ପର୍ବପର୍ବାଣୀରେ ପିଠା ବିକ୍ରୟ କରି ୧୬ ଲକ୍ଷ ଟଙ୍କା ଲାଭ କରିଥିବା ବେଳେ ମୋଟ ବ୍ୟବସାୟରେ ଓଟିଡିସି ଗତବର୍ଷ ୫ କୋଟି ଟଙ୍କା ଲାଭ କରିଥିବା ସେ ଉଲ୍ଲେଖ କରିଥିଲେ । ନିଗମର ସ୍ବର୍ଣ୍ଣ ଜୟନ୍ତୀ ପାଳନ ବେଳେ ଏହି ଲାଭାଶଂ ବହୁଗଣିତ ହେବ ବୋଲି ସେ କହିଥିଲେ । 

ସେହିଭଳି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଓଟିଡିସି ଗୁରୁ ଭୂମିକା ଗ୍ରହଣ କରିଛି । ପର୍ଯ୍ୟଟନ ଓ ଭ୍ରମଣ କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗକୁ ଆପଣେଇବାରେ ସଫଳ ହୋଇଛି ।

କରୋନା ମହାମାରୀ ସମୟରେ କାର୍ଯ୍ୟକରି ନିଜ ଦକ୍ଷତା ପ୍ରତିପାଦିତ କରିଥିବା ସେ କହିଥିଲେ । ଓଡିଶା ୱାକ୍ସ, ତାଳଦଣ୍ତା ଓ କଟକରେ ବୋଟ କ୍ଲବ ଖୋଲିବା ସହ ନୂତନ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଓଟିଡିସି ଆଗରେ ରହିଥିବା ଶ୍ରୀ ଯାଦବ କହିଥିଲେ । 

ଏହି ଅବସରରେ ଓଟିଡିସି ଜେନେରାଲ ମ୍ୟାନେଜର ଡଃ ଲଲାଟେନ୍ଦୁ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପର୍ଯ୍ୟଟନର ପ୍ରୋତ୍ସାହନ କ୍ଷେତ୍ରରେ ଓଟିଡିସିର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । 

ପୂର୍ବରୁ ଓଟିଡିସି ପରିସରରେ ଚାରାରୋପଣ କରାଯିବା ସହ ଉନ୍ନତିକରଣ ହୋଇଥିବା ୧୨ଟି ଶଯ୍ୟାକୁ ଲୋକାର୍ପିତ କରାଯାଇଥିଲା । 

ପ୍ରାରମ୍ଭରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । 

ସେହିଭଳି ନିଗମର ଉତ୍କର୍ଷ କ୍ଷେତ୍ରରେ ପୁରୀ ଓ ଗୋପାଳପୁର ସ୍ଥିତ ପାନ୍ଥନିବାସ, ଭୁବନେଶ୍ବରସ୍ଥିତ ନିମନ୍ତ୍ରଣ ରେସ୍ତରାଁ ସମେତ ଓଟିଡିସିର ବିଭିନ୍ନ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ କର୍ମଚାରୀ ଶ୍ରୀମରୀ ବିଦୁ ନାୟକ, ଶ୍ରୀ କେଦାର ବାରିକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପ୍ରତିଷ୍ଠା ଦିବସର ଉପହାର ପ୍ରଦାନ କରାଯାଇଥିଲା । ଏଥିସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଫୁଡ ବ୍ଲଗର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । 

ଏହି ଅବସରରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା,ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବାଳମୁକୁନ୍ଦ ଭୂୟାଁ, ଶ୍ରୀ ଅନନ୍ତ ନାରାୟଣ ଲାଗୁରୀ, ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ, ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ । 

ଶେଷରେ ଡିଭିଜନାଲ ମ୍ୟାନେଜର ଶ୍ରୀ ପ୍ରଶାନ୍ତ କୁମାର ପଣ୍ତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସ୍ଥାପିକା ଶୋଭନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow