ଭାରତ ଅଷ୍ଟମ ଥର ଏସିଆ କପ୍ ଜିତିଲା ଭାରତ

Sep 18, 2023 - 11:32
 0  3
ଭାରତ ଅଷ୍ଟମ ଥର ଏସିଆ କପ୍  ଜିତିଲା ଭାରତ

ଗୋଟିଏ ଓଭରରେ ୪ ୱିକେଟ୍ ସଫଳତା ସହିତ ମହମ୍ମଦ ସିରାଜଙ୍କ ତୋଫାନୀ‌ ବୋଲିଂ (୭-୧-୨୧-୬) ବଳରେ ଭାରତ ଅଷ୍ଟମ ଥର ଏସିଆ କପ୍‌ର ବିଜେତା ହୋଇଛି। ଘରୋଇ ଶ୍ରୀଲଙ୍କାକୁ ଏକତରଫା ଭାବେ ଫାଇନାଲ୍‌ରେ ୧୦ ୱିକେଟ୍‌ରେ ପରାସ୍ତ କରି ଭାରତ ଏହି ସଫଳତା ପାଇଛି। ଉଭୟ ଦଳ ମାତ୍ର ୨୧.୩ ଓଭର ଖେଳିବା ଏହି ମ୍ୟାଚ୍‌ର ରୋମାଞ୍ଚକୁ ଲୁଟି ନେଇଥିଲା। ଶ୍ରୀଲଙ୍କା ମାତ୍ର ୧୫.୨ ଖେଳିଥିବା ବେଳେ ଭାରତ ୬.୧ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ ମାତ୍ର ୫୦ ରନ୍‌ରେ ରୋକି ଦେଇ ଭାରତ ରବିବାରର ଫାଇନାଲ୍‌କୁ ଅତି ସହଜରେ ଜିତିବା ସହ ବିଶ୍ବକପ୍‌ ପୂର୍ବରୁ ମନସ୍ତାତ୍ତ୍ବିକ ବିଜୟ ମଧ୍ୟ ଅର୍ଜନ କରିଛି। ସିରାଜଙ୍କ ବୋଲିଂ ବିସ୍ଫୋରଣ ସହିତ ଯଶପ୍ରୀତ୍ ବୁମରା ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂରେ ଅବଦାନ ରଖିଥିଲେ। ଅବଶିଷ୍ଟ କାର୍ଯ୍ୟକୁ ଭାରତୀୟ ଯୁବ ଯୋଡ଼ି ଈଶାନ କିଶନ ଓ ଶୁବମନ ଗିଲ୍‌ ଅତି ସହଜରେ ଶେଷ କରି ଦେଇଥିଲେ। କିଶନ ୧୮ ବଲ୍‌ରୁ ୨୩* ଏବଂ ଗିଲ୍‌ ୧୯ ବଲ୍‌ରୁ ୨୭* ରନ୍‌ ସଂଗ୍ରହ କରି ଭାରତକୁ ୨୬୩ ବଲ୍‌ ପୂର୍ବରୁ ବିଜୟ ଦେଇଥିଲେ।
ଯାହାକି ମଧ୍ୟ ଭାରତ ପାଇଁ ଆଉ ଏକ ରେକର୍ଡ ଆଣି ଦେଇଥିଲା। ବଲ୍ ବ୍ୟବଧାନରେ ଭାରତର ଏହା ସର୍ବବୃହତ ବିଜୟ ‌ହୋଇଥିଲା। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗୋଟିଏ ଦିନିକିଆ ମ୍ୟାଚ୍‌ରୁ ସର୍ବନିମ୍ନ ରନ୍‌ (୧୦୧) ସହିତ ମଧ୍ୟ ଫଳାଫଳ ବାହାରିଛି। ସିରାଜ ପ୍ରଥମ ଭାରତୀୟ ଭାବେ ମଧ୍ୟ ଗୋଟିଏ ଓଭରରେ ୪ ୱିକେଟ୍‌ ଅକ୍ତିଆର କରି ନିଜକୁ ପୁଣି ଥରେ ପ୍ରମାଣିତ କରିଦେଇଥିଲେ। ପ୍ରଥମ ଥର ପାଇଁ ସିରାଜ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଏଥିସହ ଭାରତ ମଧ୍ୟ ୫ ବର୍ଷ ପ‌େର ଏସିଆ କପ୍ ହାସଲ କରିଛି। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ସିରାଜଙ୍କୁ ମିଳିଥିଲା। କୁଲଦୀପ ଯାଦବ (୯ ୱିକେଟ୍‌) ସମ୍ପୂର୍ଣ୍ଣ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.