ଗୀତିଗଙ୍ଗୋତ୍ରିର ବାର୍ଷିକ ଉତ୍ସବ: ସମ୍ବର୍ଦ୍ଧନା ଓ ଗୀତିକବି ସମ୍ମିଳନୀ ଓ ଗୀତିକବିତା ପାଠୋତ୍ସବ ଆୟୋଜିତ

Sep 22, 2023 - 12:46
 0  10
ଗୀତିଗଙ୍ଗୋତ୍ରିର ବାର୍ଷିକ ଉତ୍ସବ: ସମ୍ବର୍ଦ୍ଧନା ଓ ଗୀତିକବି ସମ୍ମିଳନୀ ଓ ଗୀତିକବିତା ପାଠୋତ୍ସବ ଆୟୋଜିତ

ଭୁବନେଶ୍ୱର: ଗୀତିଭାରତୀ ଟ୍ରଷ୍ଟଦ୍ବାରା ପରିଚାଳିତ ତ୍ରୈମାସିକ ଗୀତିକବିତା ପତ୍ରିକା ଗୀତିଗଙ୍ଗୋତ୍ରିର ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ ସଂଗୀତ ଆସର ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦିବଂଗତ ଗୀତିକବି ଅନ୍ନପୂର୍ଣ୍ଣା ନନ୍ଦଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଗୀତିକବି ସମ୍ମିଳନୀ ଓ ଗୀତିକବିତା ପାଠୋତ୍ସବକୁ ପ୍ରତିମାରାଣୀ ଷଡ଼ଙ୍ଗୀ, ମିନତୀ ମିଶ୍ର, କାଦମ୍ବିନୀ ପରିଜା ଓ ଗୀତା ଷଡ଼ଙ୍ଗୀ ପ୍ରମୁଖ ସଂଯୋଜନା କରିଥିଲେ। ଏହି ପାଠୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପଚାଶରୁ ଊର୍ଦ୍ଧ୍ଵ ଗୀତିକବି ଅଂଶଗ୍ରହଣ କରିଥିଲେ।

ପରେପରେ ଆୟୋଜିତ ଦ୍ବିତୀୟ ଅଧିବେଶନରେ ପ୍ରଭାତ କୁମାର ନନ୍ଦଙ୍କ ସଭାପତିତ୍ୱରେ ପ୍ରଫେସର ରଘୁନାଥ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଗୀତିକବିତାରେ ଉପଧା ଓ ଅନୁପ୍ରାସ ବିଷୟରେ ଆଲୋଚନା କରିଥିଲେ। ପତ୍ରିକାର ସଂପାଦକ ଅଜୟ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠପରେ ମୁଖ୍ୟଅତିଥି ରବିନାରାୟଣ ସେନାପତି ଓଡ଼ିଆ ସାହିତ୍ୟରେ ବିକାଶ ଓ ଗୀତିଭାରତୀର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଗୀତିଗଙ୍ଗୋତ୍ରିର ନୂତନ ସଂଖ୍ୟା ସହିତ, ଅନ୍ନପୂର୍ଣ୍ଣା ନନ୍ଦଙ୍କ ଭକ୍ତି ନୈବେଦ୍ୟ, ଗୀତାଞ୍ଜଳି ପାଣିଙ୍କ କୋମଳ ଗାନ୍ଧାର, ଶରତଚନ୍ଦ୍ର ରଥଙ୍କ ଆଧୁନିକ ଓଡ଼ିଆ ଗୀତିକବିତାର ସ୍ବର ଓ ସ୍ବାକ୍ଷର ଇତ୍ୟାଦି ପୁସ୍ତକଗୁଡ଼ିକ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏତଦଭିନ୍ନ ଗୀତିଗଙ୍ଗୋତ୍ରି ମାନନୀୟେଷୁ ସମ୍ମାନ ଗୌରହରି ଦଳାଇଙ୍କୁ, ସରୋଜ କୁମାର ମହାନ୍ତି ସ୍ମାରକୀ କଣ୍ଠଶିଳ୍ପୀ ସମ୍ମାନ ସୁଭାଷ ଚନ୍ଦ୍ର ଦାଶଙ୍କୁ, ଶ୍ରୀଚରଣ ପଟ୍ଟନାୟକ ସ୍ମୃତି ସମ୍ମାନ ଦେବେନ୍ଦ୍ର ଦାସଙ୍କୁ, ଅରବିନ୍ଦ ମହାନ୍ତି ସ୍ମୃତି ସମ୍ମାନ ସଚ୍ଚି ମହାନ୍ତିଙ୍କୁ, ଦୂରମଣି ଦିବାକର ସ୍ମାରକୀ ସମ୍ମାନ ରବିନାରାୟଣ ସେନାପତିଙ୍କୁ, ଅନ୍ନପୂର୍ଣ୍ଣା ନନ୍ଦ ସ୍ମୃତି ସମ୍ମାନ ବସନ୍ତ ଦାସଙ୍କୁ, ରବିକିରଣ ସ୍ମାରକୀ ସମ୍ମାନ ସୁରେଶ ମହାପାତ୍ରଙ୍କୁ ଓ ସୂର୍ଯ୍ୟମଣି ସାମନ୍ତରାୟ ସ୍ମୃତି ସମ୍ମାନ ପ୍ରମିଳା ପତିଙ୍କୁ ପ୍ରଦାନ କରାଯାଇଥିଲା।

ପରିଶେଷରେ ଆୟୋଜିତ ସଂଗୀତ ଆସରରେ ଅନ୍ନପୂର୍ଣ୍ଣା ନନ୍ଦ, ପ୍ରଭାତ କୁମାର ନନ୍ଦ, ଅଜୟ କୁମାର ମହାନ୍ତି ଓ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ରଚିତ ଗୀତଗୁଡିକୁ ସୁବାସ ରାମ, ମହେନ୍ଦ୍ର ଆଚାର୍ଯ୍ୟ, ରାଜକିଶୋର ଗୋଛାଏତ ଓ ନୀଳମଣି ଓଝାଙ୍କ ସ୍ବର ସଂଯୋଜନାରେ ପ୍ରମୁଖ କଣ୍ଠଶିଳ୍ପୀ ମହେନ୍ଦ୍ର ଆଚାର୍ଯ୍ୟ, ପ୍ରଶାନ୍ତ ସାମଲ, ସନ୍ତୋଷ କର, ଅଜୟ ଶତପଥୀ, ଏନ୍ ଶ୍ରୀନିବାସ ରାଓ, ରାଜୀବ ମହାପାତ୍ର, ପ୍ରତିଭା ପ୍ରଧାନ ଓ ସତ୍ୟ ସିଦ୍ଧାନ୍ତ ପ୍ରମୁଖ ଗାନକରି ଉପସ୍ଥିତ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିଲେ। ଜଗନ୍ନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମକୁ ପତ୍ରିକାର ସହ ସଂପାଦିକା ମିନତୀ ମହାନ୍ତି ସୁଲଳିତ କଣ୍ଠରେ ସଂଯୋଜନା କରିଥିଲେ। ପରିଶେଷରେ ପତ୍ରିକାର ଅନ୍ୟତମ ସହ ସଂପାଦକ ରବି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow