ପରିଚୟ ହରାଇବ ଟ୍ବିଟର: ବଦଳିବ ଲୋଗୋ

Jul 24, 2023 - 18:00
 0  5
ପରିଚୟ ହରାଇବ ଟ୍ବିଟର: ବଦଳିବ ଲୋଗୋ

ଏଲନ୍‌ ମସ୍କ ଟ୍ବିଟର୍‌କୁ ରିବ୍ରାଣ୍ଡିଂ କରିବା ଉପରେ ବିଚାର କରୁଛନ୍ତି।ମସ୍କ ଟ୍ବିଟରର ନାମ ବଦଳାଇ ‘ଏକ୍ସ’ରଖିବାକୁ ମନ ସ୍ଥିର କରିଛନ୍ତି। ଚୀନ୍‌ର ୱିଚାଟ୍‌ ଭଳି ଟ୍ବିଟରକୁ ସେ ଏକ ସୁପର୍‌ ଆପ୍‌ ଭାବେ ବିକାଶ କରିବାକୁ ଚାହୁଛନ୍ତି। ସୁପର୍‌ ଆପ୍‌ରେ ସୋସିଆଲ ମିଡିଆ ସହିତ ଟାକ୍ସି ବୁକିଂ, ସପିଙ୍ଗ, ପେମେଣ୍ଟ୍‌ ଆଦି ବହୁ କାର୍ଯ୍ୟ ହୋଇପାରୁଛି।  ପର୍ଯ୍ୟାୟକ୍ରମେ କଂପାନିର ପରିଚୟ ପାଲଟିଥିବା ନୀଳ ଚଢ଼େଇକୁ ମଧ୍ୟ ସେ ହଟାଇ ନୂଆ ଲୋଗୋ ଆଣିବେ। ଟ୍ବିଟରର ନୂଆ ଲୋଗୋ କଣ ହେବା ଦରକାର ତାହାକୁ‌ ନେଇ ମସ୍କ ଭିଡିଓ ଜାରି କରିଛନ୍ତି। ବହୁ ଦିନ ପୂର୍ବରୁ ଲୋଗୋ ବଳିଯିବାର ଥିଲା ବୋଲି ସେ କହିଛନ୍ତି।

ଗତ ଏପ୍ରିଲ୍‌ରେ କିଛି ସମୟ ପାଇଁ କଂପାନିର ନୀଳ ଚଢ଼େଇ ଲୋଗୋକୁ ବଦଳାଇ ସେହି ସ୍ଥାନରେ ଡୋଜ୍‌କଏନ୍‌ ସିବା ଇନର ଛବି ରଖାଯାଇଥିଲା। ଅବଶ୍ୟ ତାହାକୁ ପରବର୍ତ୍ତୀ ସମୟ‌ରେ ହଟାଇ ଦିଆଯାଇଛି। ଟ୍ବିଟର୍‌ର ବ୍ରାଣ୍ଡ୍‌କୁ ସମ୍ପୂର୍ଣ୍ଣ ବଦଳାଇ ଦିଆଯିବ ବୋଲି ମସ୍କ କହିଛନ୍ତି। ‘ଏକ୍ସ’ ନାମରେ ଏକ ସୁପର୍ ଆପ୍ ବିକାଶ କରିବା ଲାଗି ମସ୍କ ଦୀର୍ଘ ଦିନରୁ ବିଚାର କରୁଛନ୍ତି। ସେହି ଯୋଜନାର ଏକ ଅଂଶ ଭାବେ ଗତବର୍ଷ ୪୪୦୦ କୋଟି ଡଲାରରେ ସେ ଟ୍ବିଟରକୁ କିଣିଛନ୍ତି। ତାହାକୁ ‘ଏକ୍ସ’ ସହିତ ମିଶ୍ରଣ କରାଯିବ ବୋଲି ସେ କହିଛନ୍ତି। କିଛି ଦିନ ପୂର୍ବେ ସେ କଂପାନିର ସିଇଓ ଭାବେ ଲିଣ୍ଡା ୟାକାରିନୋକୁ ନିଯୁକ୍ତି ଦେଇଛନ୍ତି। ଟ୍ବିଟର୍‌କୁ ସେ ‘ଏକ୍ସ’ରେ ରୂପାନ୍ତରୀତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ମସ୍କ କହିଥିଲେ। ଟ୍ବିଟରକୁ ମସ୍କ କିଣିବା ପ‌ରଠାରୁ ସେଥିରେ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରୁଛନ୍ତି। ପ୍ରଥମେ ସେ କଂପାନିର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିଲେ। ପ୍ଲାଟ୍‌ଫର୍ମ ଅସ୍ଥିର ରହିବାରୁ ବିଜ୍ଞାପନଦାତାମାନେ ଦୂରେଇ ଯାଇଥିଲେ। ନିକଟରେ ମସ୍କ କହିଥିଲେ ଯେ ବିଜ୍ଞାପନ ରାଜସ୍ବ ୫୦% ହ୍ରାସ ପାଇଛି। କଂପାନି ଏବେବି କ୍ଷତିରେ ଚାଲୁଛି। ରାଜସ୍ବ ବଢ଼ାଇବା ଲାଗି ସେ ବ୍ଲୁ ସବ୍‌ସ୍କ୍ରିପ୍‌ସନ୍ ଆରମ୍ଭ କରି ବ୍ଲୁ ଟିକ୍ ପାଇଁ ମାସିକ ଫି’ ଅସୁଲ କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.