ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ସଂସ୍କୃତି ଓ ପରମ୍ପରାର ପ୍ରସାରରେ ସହାୟକ ହେବ ଏହି କେନ୍ଦ୍ର

Sep 9, 2023 - 13:08
Sep 9, 2023 - 13:09
 0  5
ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ସଂସ୍କୃତି ଓ ପରମ୍ପରାର ପ୍ରସାରରେ ସହାୟକ ହେବ ଏହି କେନ୍ଦ୍ର
ସୌଜନ୍ୟ: ଓଡିଶା ରାଜ୍ୟ ସଂଗ୍ରହାଳୟ
ଭୁବନେଶ୍ୱର, ସେପ୍ଟେମ୍ବର ୯: ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।  ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ । ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ପାଇକ ମାନଙ୍କ ସାମୁହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଛାତ୍ର ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି କେନ୍ଦ୍ର ଗଡ ଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବ। ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଯୋଗ୍ୟ ଯେ ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍‌ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ।  ଇଂରେଜ ଶାସନ ବିରୁଦ୍ଧରେ ଏହା ଥିଲା ଦେଶର ପ୍ରଥମ ବିଦ୍ରୋହ ବୋଲି ଐତିହାସିକ ମାନେ ମତପ୍ରକାଶ କରନ୍ତି । ଏହି ମହାନ  ପାଇକ ପରମ୍ପରାକୁ ଉଜ୍ଜିବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ  ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

5T ସଚିବ ଭି.କେ. ପାଣ୍ଡିଆନ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ ଏବଂ ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ। ଓଡିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ଭାବରେ ପାଣ୍ଡିଆନ ବର୍ଣ୍ଣନା କରିଥିଲେ ଏବଂ ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପରେ ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

What's Your Reaction?

like

dislike

love

funny

angry

sad

wow