ରାସ୍ତାରେ ପ୍ରାଥମିକ ଶିକ୍ଷକ ଶିକ୍ଷକ, ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ବାଧାପ୍ରପ୍ତ

Sep 12, 2023 - 11:46
 0  8
ରାସ୍ତାରେ ପ୍ରାଥମିକ ଶିକ୍ଷକ ଶିକ୍ଷକ, ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ବାଧାପ୍ରପ୍ତ

ଦୀର୍ଘ ୪ ଦିନ ହେବ ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଅଜବ ଚିତ୍ର  ଦେଖିବାକୁ ମିଳୁଛି। ପିଲା ସ୍କୁଲ ଯାଉଛନ୍ତି ହେଲେ ସେଠାରେ ତାଙ୍କୁ ନାର ପାଠ ପଡା ହେଉଛି ନା ହେୁଛି ଶିକ୍ଷା ଦାନ। ଶିକ୍ଷା ଦାନ ବ୍ୟବସ୍ଥାରେ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍କୁଲ ଯିବା ବଦଳରେ ରାଜରାଧୀ ରାଜରାସ୍ତାରେ  ଧାରଣା ଦେଇ  ଆନ୍ଦୋଳନ କରୁଛନ୍ତି।  ଅନେକ ସ୍ଥାନରେ ସ୍କୁଲରେ ତାଲା ପଡ଼ିଛି। ପିଲାମାନେ ସକାଳୁ ସକାଳୁ ବିଦ୍ୟାଳୟ ଆସୁଛନ୍ତି। ମାତ୍ର ପାଠପଢ଼ା ହେଉ ନାହିଁ। କେଉଁଠି ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁଛନ୍ତି ତ ଆଉ କେଉଁଠି ଭୋକିଲା ପେଟରେ। ୪ ଦିନ‌ ହେଲା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ର ଦେଖିବାକୁ ମିଳୁଛି। କୋରାପୁଟଠାରୁ ଆରମ୍ଭ କରି ରାୟଗଡ଼ା, ପୁରୀ, ଅନୁଗୁଳରେ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ସାମୂହିକ ଛୁଟି ନେଇଯାଇଥିବାରୁ ସ୍ଥିତି ନିୟନ୍ତ୍ରଣ ବାହାରେ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଠପ୍‌ ହୋଇଥିବାବେଳେ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଖୁଆଇ ଛାଡ଼ୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ। ଯେଉଁଠି ପ୍ରଧାନଶିକ୍ଷକଙ୍କ ହାତରେ ମଧ୍ୟାହ୍ନଭୋଜନ ଦାୟିତ୍ବ ରହିଛି ସେଠାରେ ପିଲାମାନେ ବିନା ଖାଦ୍ୟରେ ଘରକୁ ଫେରୁଛନ୍ତି। ଉପାନ୍ତରୁ ଉପକୂଳ ଯାଏ ସ୍ଥିତି ସମାନ। ରାଜ୍ୟ ସରକାର ଏ ସବୁ ଜାଣି ମଧ୍ୟ ନିରବ ଦ୍ରଷ୍ଟା ସାଜିଛନ୍ତି।  ଶିକ୍ଷକଙ୍କ ଦାବି ପୂରଣ ନେଇ ଆଗ୍ରହ ପ୍ରକାଶ କରୁ ନ ଥିବା ଶିକ୍ଷକ ସଂଘ ଅଭିଯୋଗ କରିଛି।

ସ୍ଥିତି ଜଟିଳ ଆଡ଼କୁ ଯାଉଥିବାରୁ ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରାଯାଇଥିଲା। ମାତ୍ର ସେଥିରୁ କୌଣସି ସୁଫଳ ମିଳିପାରି ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଉପସ୍ଥାପିତ ଦାବି ସମ୍ପର୍କରେ ଆଲୋଚନା ପୂର୍ବକ ଏକ ୫ ଜଣିଆ ସବ୍‌-କମିଟି ଗଠନ କରାଯାଇଛି। ଦାବିଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସବ୍‌ କମିଟିର ତର୍ଜମାକୁ ଆଧାର କରି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ବିଧିବ୍ୟବସ୍ଥା ଅନୁଯାୟୀ ଦାବିଗୁଡ଼ିକ ଉପସ୍ଥାପନ କରାଯିବ। ତେଣୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆହୁତ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ସଂଘର କର୍ମକର୍ତ୍ତାମାନଙ୍କୁ ଗଣଶିକ୍ଷା ସଚିବ ଅନୁରୋଧ କରାଯାଇଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୭ ଓ ୨୦୨୨ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଭଣ୍ଡୁର ପରି ଏଥର ମଧ୍ୟ ସମାନ ପନ୍ଥା ଆପଣାଇଛନ୍ତି ରାଜ୍ୟ ସରକାର। ଆଜିର ଆଲୋଚନା ସମୟରେ ଗଣଶିକ୍ଷା ସଚିବ ଅଶ୍ବସ୍ତୀ ଏସ୍‌, ଅତିରିକ୍ତ ସଚିବ ଭୈରବ ସିଂ ପଟେଲ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହଙ୍କ ସମେତ ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିଥିଲେ। ଆଲୋଚନା ସମୟରେ ଗ୍ରେଡ୍‌ ପେ’ ଏବେ ବଢ଼ିପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ରୋକଠୋକ୍‌ ଶୁଣାଯିବା ସହ ଡିସେମ୍ବର ଆଡ଼କୁ ଏନେଇ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଇଥିଲା। ରାଜ୍ୟ ସରକାରଙ୍କ ଏଭଳି ମତ ପରେ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନରୁ ନ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ମଙ୍ଗଳବାର ପୂର୍ବାହ୍ଣ ୧୧ଟାରେ ଫେଡେରେସନ୍‌ ମହାସଚିବ ଚାରୁଲତା ମହାପାତ୍ର ସଂଘର ଷ୍ଟିୟରିଂ କମିଟି ବୈଠକ ଡାକିଛନ୍ତି।

ସଂଘର ଜଣେ ସଦସ୍ୟ କହିଛନ୍ତି ଯେ ଦାବି ପୂରଣ ନେଇ ପୂର୍ବରୁ ମଧ୍ୟ ବାରମ୍ବାର ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ପ୍ରତାରଣା କରିଛନ୍ତି। ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଶିକ୍ଷକ ସଂଘ ଅଗଷ୍ଟ ୫ରେ ବିଇଓ, ୧୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଶା କରାଯାଉଥିଲା, ଗୁରୁ ଦିବସରେ ରାଜ୍ୟ ସରକାର ଶିକ୍ଷକଙ୍କ ଦାବି ସମ୍ପର୍କରେ କିଛି ଗୋଟିଏ ନିଷ୍ପତ୍ତି ଗ୍ରହଣ କରିବେ। ମାତ୍ର ସେପରି କିଛି ହେଲା ନାହିଁ, ଯାହାକି ପ୍ରାଥମିକ ଶିକ୍ଷକମାନଙ୍କୁ ଗଭୀର ଆଘାତ ଦେଇଛି ଏବଂ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲିପଡ଼ିଥିବା ୨୦ ହଜାର ଶିକ୍ଷକ ପଦ ପୂରଣ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରି ବାହା ବା ସାଉଁଟିବା ଲକ୍ଷ୍ୟରେ ଥିବା ରାଜ୍ୟ ସରକାରଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ର କ୍ୟାରିଅର ଅଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟାଇବା ପରି ଦାବି ନେଇ ୪ ଦିନ ହେଲା ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମୁହ ଛୁଟି ନେଇ ୩୧୪ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.