ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ଆବେଦନ

Sep 12, 2023 - 13:08
 0  4
ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ  ତୁରନ୍ତ ମରାମତି  ପାଇଁ ହାଇକୋର୍ଟରେ ଆବେଦନ

ପୁରୀ ଶ୍ରୀମନ୍ଦିର ନ‌ାଟ ମଣ୍ଡପ ଭିତର ଫଟା ବିମ୍‌କୁ ତୁରନ୍ତ ମରାମତି କରାଯିବା ଆବଶ୍ୟକ। ନଚେତ ଏହା ହୁଏତ ଭୁଶୁଡ଼ି ପଡ଼ିବ। ଏଭଳି ଉଦ୍‌ବେଗ ଦର୍ଶାଇ ତୁରନ୍ତ ନାଟପଣ୍ଡପର ମରାମତି ଦିଗରେ ପଦକ୍ଷେପ ନେବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦିଆଯାଉ ବୋଲି ହାଇକୋର୍ଟରେ ଏକ ଅନ୍ତରୀଣ ଆବେଦନ ଦାୟର କରାଯାଇଛି। ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ପ୍ରସଂଗକୁ ନେଇ ୨୦୧୬ରୁ ବିଚାରାଧୀନ ଥିବା ଜନସ୍ବାର୍ଥ ମାମଲାରେ ଆବେଦନକାରୀ ଅଭିଷେକ ଦାସଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନରେ ଦର୍ଶାଯାଇଛି ଯେ ପୂର୍ବରୁ ଏଏସ୍‌ଆଇ ହାଇକୋର୍ଟରେ ଦାଖଲ କରିଥିବା ତଥ୍ୟରେ ନାଟମଣ୍ଡପ ମରାମତି କାର୍ଯ୍ୟ ସାଂପାଦନ କରାଯାଇଛି ବୋଲି କୁହାଯାଇଥିଲା। ନାଟ ମଣ୍ଡପ ପ୍ରତି କୌଣସି ବଡ଼ ବିପଦ ପ୍ରସଂଗରେ ଏଏସଆଇ କେବେ କହି ନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୩ ଅଗଷ୍ଟ ୧୪ରେ ଆମିକସ୍ କ୍ୟୁରି ଦାଖଲ କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ନାଟ ମଣ୍ଡପ ଭିତର ଫଟା ବିମ୍‌ ସଂକଟାପନ୍ନ ଅବସ୍ଥାରେ ରହିଛି, ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ହୋଇପାରେ। ଏଭଳି ସ୍ଥିତିରେ ତୁରନ୍ତ ନାଟମଣ୍ଡପର ଫଟା ବିମ୍‌ର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଏ ସଂପର୍କିତ ମୂଳ ଜନସ୍ବାର୍ଥ ଆବେଦନର ସେପ୍ଟେମ୍ବର ୧୩ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ। ହାଇକୋର୍ଟରେ ଦାଖଲ ଆମିକସ୍ କ୍ୟୁରି ଇଂଜିନିୟର୍‌ ଏନ.କେ. ମହାନ୍ତିଙ୍କ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଅଗଷ୍ଟ ୧୧ରେ ମରାମତି ଓ ସଂରକ୍ଷଣ କାର୍ଯ୍ୟ ପ୍ରସଂଗରେ ଆମିକସ୍ କ୍ୟୁରି ଏଏସ୍‌ଆଇ କର୍ତ୍ତୃପକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପ୍ରଶାସନ ଏସ୍‌ଇଙ୍କ ସହିତ ଆଲୋଚନା କରିଥିଲେ। ନାଟମଣ୍ଡପର ଫାଟି ଯାଇଥିବା ବିମ୍ ମରାମତି ପ୍ରସଂଗରେ ଆମିକସ୍ କ୍ୟୁରି ମଧ୍ୟ ପୂର୍ବରୁ ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ୨୦୧୮ ଅଗଷ୍ଟରୁ ଏହି ପ୍ରସଂଗ ବିଚାରାଧୀନ ରହିଛି। ନାଟମଣ୍ଡପ ମରାମତି କାର୍ଯ୍ୟକୁ ଗୁରୁତ୍ବର ସହିତ ନିଆଯିବ ବୋଲି ଏଏସ୍‌ଆଇ ଡିଜି ପ୍ରତିଶ୍ରୁତି ଦେଇଥିଲେ। ନାଟମଣ୍ଡପ ଫଟା ବିମ୍‌ର ମରାମତି ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ଅଗଷ୍ଟ ୧୧ରେ ଆମିକସକ୍ୟୁରିଙ୍କ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରାଯାଇଥିଲା। ଆର୍‌ଆଣ୍ଡବି ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଗତ ଜୁନ୍‌ରେ ନାଟ ମଣ୍ଡପର ଫଟା ବିମ୍ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ଏଏସ୍‌ଆଇ ତରଫରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.