ବର୍ଷା ପ୍ରଭାବ ଟମାଟୋ ଦର ଆକଶଛୁଆଁ

Jun 27, 2023 - 11:53
 0  7
ବର୍ଷା ପ୍ରଭାବ ଟମାଟୋ ଦର ଆକଶଛୁଆଁ

ବର୍ଷା ପ୍ରଭାବ ଫଳରେ ଟମାଟୋ ଉତ୍ପାଦନ କମିଛି। ଫଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି। କେଜି ପିଛା ୨୫-୩୦ ଟଙ୍କାରେ ଉପଲବ୍ଧ ହେଉଥିବା ଟମାଟୋ ଏବେ କେତେକ ସ୍ଥାନରେ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ହାରାହାରି ଭାବେ ବିଭିନ୍ନ ସ୍ଥାନରେ ଏହାର ଦାମ୍ ୬୫-୭୦ ଟଙ୍କା ରହିଛି। ଉତ୍ପାଦନ ହ୍ରାସ ପାଇବାରୁ ଏଭଳି ସ୍ଥିତି ସୃଷ୍ଟି ହେଇଥିବା କୁହାଯାଉଛି। ସପ୍ତାହକ ଭିତରେ ଟମାଟୋ ମୂଲ୍ୟରେ ଦୁଇ ଗୁଣା ବୃଦ୍ଧି ଘଟିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି। ମେ’ରେ ଚାଷୀମାନେ କିଲୋ ପିଛା ୩-୫ ଟଙ୍କା ଦରରେ ଟମାଟୋ ବିକିଥିଲେ। ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହେବା ମଧ୍ୟ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ କୁହାଯାଉଛି। ବିଭିନ୍ନ ରାଜ୍ୟରେ ଟମାଟୋ ଯୋଗାଣ ହ୍ରାସ ପାଇଛି।

ଜମିରେ ଯେଉଁ ଟମାଟୋ ଗଛ ଥିଲା ତାହା ନିକଟରେ ହୋଇଥିବା ବର୍ଷାରେ ନଷ୍ଟ ହୋଇଯାଇଛି। ବାଡ଼ ଜରିଆରେ ଯେଉଁ ଗଛ ଥିଲା ତାହା କେବଳ ବଞ୍ଚିଯାଇଛି। ଅଳ୍ପ ଦାମ୍ ମିଳୁଥିବାରୁ ବଞ୍ଚିଯାଇଥିବା ଗଛର ସୁରକ୍ଷା ପ୍ରତି ଚାଷୀମାନେ ବିଶେଷ ଧ୍ୟାନ ଦେଉନାହାନ୍ତି। ସେମାନେ ସାର କିମ୍ବା କିଟନାଶକ ବି ବ୍ୟବହାର କରୁନାହାନ୍ତି। ଫଳରେ ପୋକ ଲାଗିବା କାରଣରୁ ମଧ୍ୟ ଫସଲ ନଷ୍ଟ ହୋଇଛି। ଉତ୍ପାଦିତ ଟମାଟୋର ଉଚିତ ମୂଲ୍ୟ ପାଉନଥିବାରୁ ଏବଂ ପରିବହନ ଖର୍ଚ୍ଚ ଅଧିକ ରହୁଥିବାରୁ ଚାଷୀମାନେ ଜମିରେ ଟ୍ରାକ୍ଟର ଚଲାଇ ଟମାଟୋ ଗଛକୁ ନଷ୍ଟ କରୁଛନ୍ତି। ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଟମାଟୋ ଦାମ୍ ନିୟନ୍ତ୍ରଣରେ ଥିଲା। ତେଣୁ ମାସ ଶେଷ ଆଡ଼କୁ ଏଭଳି ସ୍ଥିତି ଉପୁଜିବ ବୋଲି କେହି ଆକଳନ କରିପାରିନଥିଲେ। ଯଦି ଟମାଟୋ ଚାଷ ହେଉଥିବା ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିବ ତେବେ ଆଉ କିଛି ଦିନ ପର୍ଯ୍ୟନ୍ତ ଟମାଟୋ କିଣିବା ଲାଗି ପକେଟ୍‌ରୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ବର୍ଷା ପ୍ରଭାବରେ କେବଳ ଟମାଟୋ ନୁହେଁ ବହୁ ପନିପରିବା ଦାମ୍ ବୃଦ୍ଧି ପାଇଛି।

ଦେଶରେ ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶରେ ଅଧିକ ଟମାଟୋ ଚାଷ ହୋଇଥାଏ। ସେଠାରୁ ବିଭିନ୍ନ ସ୍ଥାନକୁ ଟମାଟୋ ପଠାଯାଏ। ଚୀନ୍ ପରେ ଭାରତ ହେଉଛି ବିଶ୍ବର ଦ୍ବିତୀୟ ବଡ଼ ଟମାଟୋ ଉତ୍ପାଦନକାରୀ ଦେଶ। ଚୀନ୍‌ରେ ୫.୬ କୋଟି ଟନ୍ ଟମାଟୋ ଉତ୍ପାଦନ ହେଉଥିବା ବେଳେ ଭାରତରେ ୨ କୋଟି ଟନ୍ ଟମାଟୋ ଉତ୍ପାଦନ ହେଉଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.