ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପରିଚାଳନାକୁ ନେଇ ଦ୍ବନ୍ଧ

Sep 4, 2023 - 17:06
 0  4
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପରିଚାଳନାକୁ ନେଇ ଦ୍ବନ୍ଧ

ଭୁବନେଶ୍ୱର : ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ଉଠାଇ ହଟଚମଟ ସୃଷ୍ଟି କରିଛି।  ବିରୋଧୀ ଦଳ ଏବଂ ବିଶେଷ କରି ଆଞ୍ଚଳିକ ଦଳମାନେ ଏହାକୁ ତୀବ୍ର ବିରୋଧ କରିଥିବା ବେଳେ ସରକାର ଏହା ସପକ୍ଷରେ ଦୃଢ଼ ଯୁକ୍ତି ଦର୍ଶାଉଛନ୍ତି। ଏହାକୁ ନେଇ ରାଜନୀତି ହଠାତ୍ ସରଗରମ ହୋଇଛି। ତେବେ ‌ମୋଦୀ ସରକାରଙ୍କ ଏହି ଯୋଜନା ବାସ୍ତବ ରୂପ ନେଇପାରିବ କି? ଏହି ପ୍ରଶ୍ନ କେବଳ ରାଜନୈତିକ ଦଳ ଓ ସାଧାରଣ ଜନତାକୁ ନୁହେଁ, ବିଶେଷଜ୍ଞଙ୍କୁ ମଧ୍ୟ ଆନ୍ଦୋଳିତ କରୁଛି। ଯୋଜନାଟି କାନକୁ ଭଲ ଶୁଭୁଥିଲେ ମଧ୍ୟ ଏହାକୁ କାର୍ଯ୍ୟକ‌ାରୀ କରିବା ଏତେ ସହଜ ହେବନାହିଁ। ଏହି କାରଣରୁ କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳଙ୍କ ସହିତ ବିଚାର ଅାଲୋଚନା କରି ସହମତି ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଉଦ୍ଦେଶ୍ୟ ହେଉଛି ଲୋକସଭା ନିର୍ବାଚନ ସହିତ ଏକ ସଙ୍ଗରେ ସବୁ ରାଜ୍ୟ ବିଧାନସଭା ନିର୍ବ‌ାଚନ କରିବା। ୧୯୫୧-୫୨, ୧୯୫୭, ୧୯୬୨ ଏବଂ ୧୯୬୭ରେ ଲୋକସଭା ଓ ବିଧାନସଭ‌‌ା ନିର୍ବାଚନ ଏକ ସମୟରେ ହୋଇଥିଲା। କିନ୍ତୁ ୧୯୬୮ ଓ ୧୯୬୯ରେ କେତେକ ବିଧାନସଭାକୁ ନିର୍ଧାରିତ ସମୟ ପୂର୍ବରୁ ଭାଙ୍ଗି ଦିଆଯାଇଥିଲା। ସେହିଭଳି ଲୋକସଭା ମଧ୍ୟ ଆଗରୁ ଭଙ୍ଗ ହୋଇଥିଲା। ପୁଣି ୧୯୭୧ରେ ‌େଲାକସଭା ପାଇଁ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ କରାଯାଇଥିଲା। ଫଳରେ ଏକକାଳୀନ ନିର୍ବ‌ାଚନ ଧାରା ଭଙ୍ଗ ହୋଇଥିଲା। ପୁଣି ସେହି ୧୯୬୭ର ପୂର୍ବ ସ୍ଥିତିକୁ ଫେରିବା ଲାଗି ମୋଦୀ ସରକାର ଆଗ୍ରହୀ। ଏଥିପାଇଁ ବିଜେପି ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ମଧ୍ୟ ଦେଇସାରିଛି।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସପକ୍ଷରେ‌ ତିନିଟି ଦୃଢ଼ ଯୁକ୍ତି ରହିଛି। ସେଗୁଡ଼ିକ ହେଲା; ୫ ବର୍ଷରେ ଥରେ ଏକକାଳୀନ ନିର୍ବାଚନ ହେଲେ ସମୟ ଅପଚୟ ଓ ଅଯଥା ଖର୍ଚ୍ଚକୁ ରୋକାଯାଇପାରିବ, ବିଭିନ୍ନ ସମୟରେ ନିର୍ବାଚନ କାରଣରୁ ଆଦର୍ଶ ଆଚରଣ ବିଧି ଯୋଗୁଁ ବିକାଶ କାର୍ଯ୍ୟରେ ଯେଉଁ ପ୍ରତିବନ୍ଧକ ରହୁଥିଲା ତାହା ହଟିଯିବ, ସରକାରରେ ସ୍ଥିରତା ରହିବ ଏବଂ ସରକାରମାନେ ବିକାଶ ଉପରେ ଧ୍ୟାନ ଦେଇପାରିବେ। ବାରମ୍ବାର ନିର୍ବ‌ାଚନ ଯୋଗୁଁ ଅର୍ଥ ସମ୍ବଳ ଉପରେ ଚାପ ପଡ଼ୁଛି ବୋଲି ସେମାନଙ୍କର ଯୁକ୍ତି।

ଅନ୍ୟପକ୍ଷରେ ବିରୋଧୀ ଏବଂ ବିଶେଷ କରି ଆଞ୍ଚଳିକ ଦଳ ଏହି ଯୋଜନାର ବିରୋଧ କରୁଛନ୍ତି। ସେମାନଙ୍କର ଯୁକ୍ତି ହେଉଛି ଯେ ବିଧାନସଭା ନିର୍ବାଚନ ଅାଞ୍ଚଳିକ ପ୍ରସଙ୍ଗ ଭିତ୍ତି‌େର ଲଢ଼ାଯାଉଛି। ‌ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହେଲେ ଜାତୀୟ ପ୍ରସଙ୍ଗ ଅଗ୍ରାଧିକାର ପାଇବ ଏବଂ ଆଞ୍ଚଳିକ ସ୍ବାର୍ଥ କ୍ଷତିଗ୍ରସ୍ତ ହେବ। ଏହାବ୍ୟତୀତ ଏପରି ପରିକଳ୍ପନା ସଂଘୀୟ ବ୍ୟବସ୍ଥାକୁ ଧ୍ବସ୍ତ ମଧ୍ୟ କରିଦେବ। କିନ୍ତୁ ନିର୍ବାଚନ କମିସନ ଆର୍ଥିକ ଦୃଷ୍ଟି‌ରୁ ଏକ ସମୟରେ ଲୋକସଭା ଓ ବିଧାନସଭ‌ା ନିର୍ବାଚନ କରାଯିବା ଠିକ୍ ବୋଲି କହୁଛନ୍ତି। ଏହା ସପକ୍ଷରେ ଦୃଢ଼ ଯୁକ୍ତି କରି ନିର୍ବାଚନ କମିସନ କହୁଛନ୍ତି, ଏକ ସଙ୍ଗରେ ନିର୍ବାଚନ କଲେ ୪ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗତ ଲୋକସଭା ନିର୍ବାଚନ (୨୦୧୯)ର ଉଦାହରଣ ଦେଇ କମିସନ କହିଛନ୍ତି ଯେ ଏଥିରେ ୩ ହଜାର ୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାପରେ ହୋଇଥିବା କେବଳ ବିହାର ବିଧାନସଭା ନିର୍ବାଚନରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏମିତି ବିଭିନ୍ନ ସମୟରେ ବିଧାନସଭା ନିର୍ବାଚନ ‌େହଲେ ଖର୍ଚ୍ଚ ବହୁଗୁଣା ବଢ଼ିଯିବ।

ଏସଂପର୍କରେ ବିରୋଧୀଙ୍କ ଯୁକ୍ତି ହେଲା ‌େଯ ଏକକାଳୀନ ନିର୍ବାଚନ ପାଇଁ ୨୫ ଲକ୍ଷ ଭୋଟିଂ ମେସିନ୍ ଦରକାର। କିନ୍ତୁ କମିସନ ପାଖରେ ଏବେ ରହିଛି ମାତ୍ର ୧୨ ଲକ୍ଷ। ୨୫ ଲକ୍ଷ ଭୋଟିଂ ମେସିନ୍ ଏବଂ ଭିଭିପିଏଟି ପାଇଁ ୯ ହଜାର ୨୮୪ କୋଟି ଟଙ୍କା ଦରକାର। ଏହି ମେସିନ୍ ୧୫ ବର୍ଷ ପାଇଁ ସଂରକ୍ଷିତ ରଖାଯାଇପାରିବ। ତିନିଟି ନିର୍ବାଚନ ପରେ ଭୋଟିଂ ମେସିନ୍ ପୁଣି ବଦଳାଇବାକୁ ପଡ଼ିବ। ଏହା କେମିତି ଖର୍ଚ୍ଚ କମାଇବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଯଦି ନିର୍ବାଚନ କମିସନଙ୍କ ଯୁକ୍ତିକୁ ଠିକ୍ ବୋଲି ଧରାଯିବ, ପ୍ରଶ୍ନ ଉଠୁଛି; ଏକ ସମୟରେ ଲୋକସଭା ସହିତ ସବୁ ରାଜ୍ୟ ବିଧାନସଭା ନିର୍ବାଚନ କରାଯିବା ସମ୍ଭବ କି? ବିଶେଷ କରି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ସମୟରେ। ଚଳିତ ବର୍ଷ ଶେଷ ଆଡ଼କୁ ୬ଟି ରାଜ୍ୟ ଏବଂ ଆସନ୍ତା ବର୍ଷ ୭ଟି ବିଧାନସଭାର ନିର୍ବାଚନ ହେବାକୁ ଯାଉଛି। ଲୋକସଭା ସହିତ ଏହି ୧୩ଟି ରାଜ୍ୟ ବିଧାନସଭା ନିର୍ବାଚନ ଏକ ସମୟରେ ହେଲେ କୌଣସି ଅସୁବିଧା ନାହିଁ। କିନ୍ତୁ ଯେଉଁ ବିଧାନସଭାର କାର୍ଯ୍ୟକାଳ ୨୦୨୫, ୨୦୨୬, ୨୦୨୭ ଏବଂ ୨୦୨୮ରେ ସରିବାକୁ ଯାଉଛି, ସେଗୁଡ଼ିକର ଭାଗ୍ୟ କଣ ହେବ? ସେହି ବିଧ‌ାନସଭାକୁ ବହୁ ଆଗରୁ କ’ଣ ଭାଙ୍ଗି ଦିଆଯିବ?

ଯଦି ସରକାର ଏଭଳି କରିବାକୁ ନିଷ୍ପତ୍ତି ନିଅନ୍ତି, ତାହାହେ‌େଲ ଏଥିପାଇଁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ। ଲୋକସଭା କାର୍ଯ୍ୟକାଳ, ବିଧାନସଭା କାର୍ଯ୍ୟକାଳ ଏବଂ ‌େଲାକପ୍ରତିନିଧି ଆଇନରେ ସଂ‌େଶାଧନ ଦରକାର। ଏଭଳି ସମ୍ବିଧାନ ସଂଶୋଧନ କରିବାକୁ ହେଲେ ସଂସଦରେ ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଜରୁରି। ଏ‌ହାଛଡ଼ା ଅର୍ଧାଧିକ ରାଜ୍ୟ ବିଧାନସଭ‌ାର ସ୍ବୀକୃତି ମଧ୍ୟ ଆବଶ୍ୟକ। ଏଥିଲାଗି ସରକାରଙ୍କୁ ବଡ଼ ଧରଣର କସରତ କରିବାକୁ ପଡ଼ିବ। ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କ ସହିତ ବିଚାର ଆଲୋଚନା କରି ସହମତି ଆଣିବାକୁ ପଡ଼ିବ। ବିନା ସହମତିରେ ଏହା ସମ୍ଭବ ନୁହେଁ। ଏଥିପାଇଁ ଆଞ୍ଚଳିକ ଦଳଗୁଡ଼ିକୁ ମନେଇବା ଏତେ ସହଜ ହେବନାହିଁ। ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି ଯେ ବିଧାନସଭା ଭଙ୍ଗ ଲାଗି କେନ୍ଦ୍ର ହାତରେ କ୍ଷମତା ରହିଥିବା ପର୍ଯ୍ୟନ୍ତ ସଂଘୀୟ ବ୍ୟବସ୍ଥା ମଜବୁତ ହୋଇପାରିବ ନାହିଁ। ରାଜ୍ୟ ବିଧାନସଭା ଭାଙ୍ଗିବା ନେଇ ସମ୍ବିଧାନରେ ଯେଉଁ ସଂଶୋଧନ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି, ତାହା ରାଜ୍ୟମାନଙ୍କୁ ଦୁର୍ବଳ କରିପକାଇବ। ଏହା ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିବ। ଯଦି ଏମିତି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଚାହୁଛନ୍ତି, ତାହାହେଲେ ଏତେ ତରବର କାହିଁକି? ଏଥିପାଇଁ ସମୟ ଦରକାର, ବ୍ୟାପକ ବିଚାରବିମର୍ଶ ଦରକାର। ସଂସଦର ସ୍ବତନ୍ତ୍ର ଅଧିବେଶନକୁ ଆଉ ୧୫ ଦିନ ବାକି ଥିବା ବେଳେ ଏତେ କମ୍ ସମୟ ମଧ୍ୟରେ ଏତେ ବଡ଼ ନିଷ୍ପତ୍ତି କେମିତି ନିଆଯିବ? ଏ ଦିଗରେ ଯଦି ସରକାରଙ୍କର ଆନ୍ତରିକତା ରହିଛି, ତାହାହେଲେ ସବୁ ରାଜନୈତିକ ଦଳ, ସଂଗଠନ ଓ ବିଶେଷଜ୍ଞମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ ପାଇଁ ସୁଯୋଗ ସୃଷ୍ଟି କରନ୍ତୁ। ତେବେ ଏହି ପ୍ରସଙ୍ଗରେ ବିଜେପି ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ସହଯୋଗୀ ଦଳର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲି ନାହାନ୍ତି। ସେମାନଙ୍କର ରହସ୍ୟମୟ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.