ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ମଧ୍ୟାହ୍ନଭୋଜନ ରାସନ୍‌ ବ୍ୟବସ୍ଥା : ଉପକୃତ ହେବେ ୩୬୯୪

Aug 30, 2023 - 20:18
 0  9
ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ମଧ୍ୟାହ୍ନଭୋଜନ ରାସନ୍‌ ବ୍ୟବସ୍ଥା : ଉପକୃତ ହେବେ  ୩୬୯୪
Image Courtesy: Kalinga TV

ଭୁବନେଶ୍ୱର,୩୦ା୮: ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ ମଧ୍ୟାହ୍ନଭୋଜନ ଚାଉଳ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି ।

ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ମଧ୍ୟ ସେମାନଙ୍କ ଘରେ ପହଁଞ୍ଚାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ୩୬୯୪ ଛାତ୍ରଛାତ୍ରୀ ଉପକୃତ ହେବେ । 

 ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀଙ୍କ ଶୁଖିଲା ରାସନ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପିଲାଙ୍କ ପାଖରେ ଶୁଖିଲା ରାସନ୍ ଓ ପାଠ୍ୟପୁସ୍ତକ ପହଞ୍ଚାଇବାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ସ୍କୁଲ ଆସିପାରୁ ନଥିବା ଛାତ୍ରଛାତ୍ରୀମାନଙ୍କର କୌଣସି ଅସୁବିଧା ହେଲେ ସେମାନେ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏଏନ୍‌ଏମ୍ ବା ଆର୍‌ବିଏସ୍‌କେଙ୍କ ସହାୟତା ନେଇପାରିବେ । ଏହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ କାଉନ୍‌ସେଲିଂ ପାଇଁ ନିଆଯିବ ।

ଏହାସହ ସ୍କୁଲ ଆସିପାରୁନଥିବା ଏହି ଛାତ୍ରଛାତ୍ରୀଙ୍କ ଘରକୁ ପ୍ରତିମାସରେ ବିଦ୍ୟାଳୟ ଶିକ୍ଷକ, ବ୍ଲକ୍ ସହଯୋଗୀ ଅଧିକାରୀ (ବିଆର୍‌ପି), ଆଇଇଭିମାନେ ତଦାରଖ କରିବା ପାଇଁ ଯିବେ । ସେମାନେ କିଭଳି ପଢୁଛନ୍ତି, ପଢ଼ାରେ କେତେ ଉନ୍ନତି କରୁଛନ୍ତି ଆଦି ସମ୍ପର୍କରେ ପଚାରି ବୁଝିବେ । ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଭିଭାବକଙ୍କର କାଉନ୍‌ସେଲିଂ ମଧ୍ୟ କରାଯିବ

। 

What's Your Reaction?

like

dislike

love

funny

angry

sad

wow