ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ପ୍ରଥମ ରାଜ୍ୟସ୍ତରୀୟ ବୈଠକ: ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ପୁରସ୍କାର

Aug 25, 2023 - 16:46
 0  5
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ପ୍ରଥମ ରାଜ୍ୟସ୍ତରୀୟ ବୈଠକ: ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ପୁରସ୍କାର
ଭୁବନେଶ୍ୱର, ୨୫I୦୮: ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ଏନେଇ ପ୍ରଥମ ରାଜ୍ୟସ୍ତରୀୟ କମିଟି ବୈଠକ ଗୁରୁବାର ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଥିଲା I ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ବିଷୟରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀଙ୍କ ତାଲିକାକୁ ବୈଠକରେ ଉପସ୍ଥାପିତ କରାଯାଇଥିଲା ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଅଶ୍ୱଥୀ ଏସ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଅଶ୍ୱଥୀ କହିଥିଲେ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଶା କରାଯାଉଛି ଏହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିବ।

ରାଜ୍ୟସ୍ତରରେ ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ତାଲିକାକୁ ରାଜ୍ୟସ୍ତରୀୟ କମିଟି ଅନୁମୋଦନ କରିବା ପରେ ପୁରସ୍କାର ରାଶି ସିଧାସଳଖ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏହା ସହ ଜିଲ୍ଲାସ୍ତରୀୟ ମେଧାବୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକାକୁ ଖୁବଶୀଘ୍ର ଜିଲ୍ଲାସ୍ତରୀୟ କମିଟିକୁ ଅନୁମୋଦନ ପାଇଁ ପଠାଇବାକୁ ଶ୍ରୀମତୀ ଅଶ୍ୱଥୀ କହିଥିଲେ । 

ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଅନୁସୂଚିତତ ଜନଜାତି ଓ ଜାତି ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ । ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଦଶମ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ଦିଆଯିବ । ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫୦ ହଜାର ଟଙ୍କା, ଜିଲ୍ଲାସ୍ତରରେ ଶ୍ରେଷ୍ଠ ୩,୦୦୦ ଜଣଙ୍କୁ ୧୦ ହଜାର ଟଙ୍କା ଏବଂ ବ୍ଲକସ୍ତରରେ ପ୍ରତି ବ୍ଲକ୍ରୁ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ।

 ଅନ୍ୟପକ୍ଷରେ ଦଶମବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ମିଳିବ । ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଜୀତୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ରେସନକାର୍ଡ ହିତାଧିକାରୀ ପରିବାରର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ।

ଏହା ପରେ ବିଦ୍ୟାଳୟସ୍ତରରେ ନେତୃତ୍ୱ ନେବାର କଳା ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ମିଳିବ ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର । ପ୍ରତ୍ୟେକ ସ୍କୁଲରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ । ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ ।

କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ଆବାହକ ତଥା ‘ମୋ ସ୍କୁଲ ଅଭିଯାନ’ର ସଦସ୍ୟ ସଚିବ ଅନୁପମ ସାହା ସ୍ୱାଗତ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ‘ମୋ ସ୍କୁଲ ଅଭିଯାନ’ର ଭାରପ୍ରାପ୍ତ ଅଧିକାରୀ କାବେରୀ ମୁଦୁଲି ସମସ୍ତ ପୁରସ୍କାର ଓ ଏହାର ଚୟନ ପ୍ରକ୍ରିୟା ଉପରେ ସମ୍ୟକ ସୂଚନା ଦେଇଥିଲେ।

ବୈଠକରେ ବିଭାଗୀୟ ସମସ୍ତ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ନିଦେ୍ର୍ଦଶକ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ଯୁଗ୍ମ ନର୍ଦେଶକ, ଏନସିଇଆରଟି, ଏନସିପିସିଆର୍, ୟୁଏନଡିପି, ୟୁଏନ୍ଏଫପିଏ, ଡବ୍ଲ୍ୟଏଫପି, ୟୁନିସେଫ୍ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ‘ମୋ ସ୍କୁଲ ଅଭିଯାନ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ୍ ଜେନା ଧନ୍ୟବାଦ ଦେଇଥିଲେ । 

ଉଲ୍ଲେଖଯୋଗ୍ୟ, ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପରୁସ୍କାର’ର ଆଭିମୁଖ୍ୟ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍କୁଲର ସଫଳତାକୁ ଆହୁରି ପ୍ରୋତ୍ସାହିତ କରିବା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟକ୍ତିଗତ ପୁରସ୍କାର (ଇଣ୍ଡିଭିଜୁଆଲ୍ ଆୱାର୍ଡ) ଓ ଆନୁଷ୍ଠାନିକ ପୁରସ୍କାର (ଇନଷ୍ଟିଚ୍ୟସନାଲ୍ ଆୱାର୍ଡ) ବ୍ୟବସ୍ଥା ରହିଛି । ବ୍ୟକ୍ତିଗତ ପୁରସ୍କାରରେ ଛାତ୍ରଛାତ୍ରୀଙ୍କୁ ମେଧାବୀ ପୁରସ୍କାର, ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ଦିଆଯିବ । ଏହା ସହ ବ୍ୟକ୍ତିଗତ ପୁରସ୍କାରରେ ଶିକ୍ଷକ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ସିଆର୍ସିସି ପୁରସ୍କାର, ବିଇଓ ପୁରସ୍କାର ଏବଂ ଡିଇଓ ପୁରସ୍କାର ଦିଆଯିବ । ଅନ୍ୟପକ୍ଷରେ ଆନୁଷ୍ଠାନିକ ପୁରସ୍କାରରେ ମାଧ୍ୟମିକ ସ୍କୁଲଗୁଡ଼ିକୁ ଜିଲ୍ଲା, ବ୍ଲକ୍, ସ୍କୁଲ ସ୍ତରରେ ପୁରସ୍କୃତ କରାଯିବ । ଏହା ସହ ଶ୍ରେଷ୍ଠ ଏସ୍ଏମ୍ସି, ଶ୍ରେଷ୍ଠ ପୁରାତନ ଛାତ୍ର କମିଟି, ଶ୍ରେଷ୍ଠ ଗ୍ରାମପଞ୍ଚାୟତକୁ ମଧ୍ୟ ଏହି ପୁରସ୍କାର ମିଳିବ । ସେହିପରି ଆନୁଷ୍ଠାନିକ ପୁରସ୍କାରରେ ପ୍ରାଥମିକ ସ୍କୁଲ ପାଇଁ ରହିଛି ସ୍କୁଲ ପୁରସ୍କାର । ଏହା ସହ ତିନୋଟି ଶ୍ରେଷ୍ଠ ଡିଆଇଟିଗୁଡିକୁ ମଧ୍ୟ ଆନୁଷ୍ଠାନିକ ପୁରସ୍କାର ଦିଆଯିବ ।

What's Your Reaction?

like

dislike

love

funny

angry

sad

wow