ବଢ଼ିଚାଲିଛି ଖାଦ୍ୟ ସାମଗ୍ରୀ ମୂଲ୍ୟ : ମହଙ୍ଗା ମାଡ଼ରେ ଖାଉଟି ନୟାନ୍ତ

Aug 7, 2023 - 18:17
 0  4
ବଢ଼ିଚାଲିଛି ଖାଦ୍ୟ ସାମଗ୍ରୀ ମୂଲ୍ୟ : ମହଙ୍ଗା ମାଡ଼ରେ ଖାଉଟି ନୟାନ୍ତ

ସମ୍ପ୍ରତି ଦେଶରେ ମହଙ୍ଗା ମାଡ଼ରେ ଖାଉଟି ନୟାନ୍ତ ହେଲେଣି। ତେଜରାତି ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା ଯାଏ ସବୁର ଦର ବୃଦ୍ଧି ହେବାରେ ଲାଗିଛି। ହେଲେ ଏସବୁ ମଧ୍ୟରେ ଟମାଟୋ ଦରକୁ ନେଇ ଚାରିଆଡେ ଜୋରଦାର ଚର୍ଚ୍ଚା। ବର୍ତ୍ତମାନ ବଜାରରେ ଆଳୁ ବ୍ୟତୀତ ଅନ୍ୟ ସମସ୍ତ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ତେବେ ଡାଲି ମୂଲ୍ୟରେ ସବୁଠାରୁ ଅଧିକ ବୃଦ୍ଧି ଘଟିଥିବା ସଂସଦରେ ଖୋଦ୍ କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ବୀକାର କରାଯାଇଛିା କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ସପ୍ତାହରେ ସଂସଦରେ ଦିଆଯାଇଥିବା ସୂଚନାନୁଯାୟୀ, ବଜାରରେ ଏବେ ଯୋଗାଣ ଅଭାବରୁ ଟମାଟୋ କିଲୋ ପିଛା ୨୦୦ ଟଙ୍କା ଟପିଛି। ଅନ୍ୟପକ୍ଷରେ, ଅନ୍ୟ ରୋଷେଇ ସାମଗ୍ରୀର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ମନ୍ତ୍ରଣାଳୟର କହିବାନୁଯାୟୀ, ବିଗତ ଏକ ବର୍ଷ ମଧ୍ୟରେ ହରଡ ଡାଲିର ମୂଲ୍ୟ ସର୍ବାଧିକ ୨୮ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହିତ ଚାଉଳର ମୂଲ୍ୟ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ବିରି ଡାଲି ଏବଂ ଅଟା ଦର ବର୍ଷକରେ ୮ ପ୍ରତିଶତରୁ ଅଧିକ ବ୍ୟୟବହୁଳ ହୋଇଛି।

ବର୍ତ୍ତମାନ ଚାଉଳର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୪୧ ଟଙ୍କା ରହିଥିବାେବଳେ ପୂର୍ବ ବର୍ଷ ଏହା ୩୭ ଟଙ୍କା ରହିଥିଲା। ତେବେ ଘରୋଇ ଉତ୍ପାଦନରେ ଅଭାବ ହେତୁ ହରଡ ଡାଲିର ମୂଲ୍ୟ ବଢ଼ିଥିବା ମନ୍ତ୍ରଣାଳୟ ଦର୍ଶାଇଛି। ୨୦୨୨-୨୩ ଫସଲ ବର୍ଷ ପାଇଁ କୃଷି ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ, ହରଡ ଡାଲିର ଉତ୍ପାଦନ ପୂର୍ବ ଫସଲ ବର୍ଷର ୪୨.୨ ଲକ୍ଷ ଟନ୍ ତୁଳନାରେ ଚଳିତଥର ୩୪.୩ ଲକ୍ଷ ଟନ୍ ରହିବ ବୋଲି କୁହାଯାଇଛି। ସୂଚନା ପ୍ରଦାନ କରି କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏମସି)ର ସଦସ୍ୟ କୌଶିକ୍ କହିଛନ୍ତି ଯେ ଟମାଟୋ, କ୍ୟାପସିକମ୍ ଏବଂ ଅନ୍ୟାନ୍ୟ ଋତୁକାଳୀନ ପନିପରିବା ବିକ୍ରିରେ ବ୍ୟାପକ ହ୍ରାସ ଘଟିଥିବାରୁ ପନିପରିବା ପାଇକାରୀ ବିକ୍ରେତାମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ପ୍ରାଇସ୍ ମନିଟରିଂ ସେଲ୍ ଅନୁଯାୟୀ ଗୁରୁବାର ଦିନ ହରଡ ଡାଲିର ହାରାହାରି ଖୁଚୁରା ମୂଲ୍ୟ ୧୩୬ ଟଙ୍କା ରହିଥିଲା, ଯାହା କି ଗତବର୍ଷ କିଲୋଗ୍ରାମ ପିଛା ୧୦୬ ଟଙ୍କା ୫୦ ପଇସା ରହିଥିଲା। ସେହିପରି ବିରି ଡାଲି କିଲୋ ପିଛା ୧୦୬ ଟଙ୍କା ୫୦ ପଇସାରୁ ୧୧୪ ଟଙ୍କାକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ଆଳୁର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ ଗତବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତ କମ୍ ହୋଇଥିବାବେଳେ ପିଆଜ ମୂଲ୍ୟ ପୂର୍ବ ବର୍ଷର ଏହି ସମୟ ତୁଳନାରେ ୫ ପ୍ରତିଶତ ଅଧିକ ରହିଛି।

ଟମାଟୋ ମୂଲ୍ୟ ଉପରେ ମନ୍ତ୍ରଣାଳୟ କହିଛି ଯେ ଫସଲ ଋତୁ ନାହିଁ, ଉତ୍ପାଦନ ହ୍ରାସ, ଦେଶର ଉତ୍ତର ଭାଗରେ ମୌସୁମୀ ବର୍ଷା ଶୀଘ୍ର ଆସିଯିବାରୁ ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁସାରେ, ଗୁରୁବାର ଟମାଟୋର ହାରାହାରି ମୂଲ୍ୟ କିଲୋ ପିଛା ୧୪୦ ଟଙ୍କା ରହିଛି, କିନ୍ତୁ ଗତ ବର୍ଷ ଏହି ସମୟରେ ଟମାଟୋ ମୂଲ୍ୟ ମାତ୍ର ୩୪ ଟଙ୍କା ରହିଥିଲା। ଉତ୍ତରପ୍ରଦେଶର ବୁଲନ୍ଦସରରେ ଏହା ସର୍ବାଧିକ ୨୫୭ ଟଙ୍କା ହୋଇଥିବାବେଳେ ଦିଲ୍ଲୀରେ ୨୧୩ ଟଙ୍କା ଏବଂ ମୁମ୍ବାଇରେ ୧୫୭ ଟଙ୍କାରେ ବିକ୍ରି ହେଉଛି।ରାଜଧାନୀ ଭୁବନେଶ୍ବରରେ ଟମାଟୋ କିଲୋ ପିଛା ୨୦୦ ଟଙ୍କା ଉପରେ ରହିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.