ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାର ରାଜ୍ୟସ୍ତରୀୟ କମିଟି ଦ୍ୱାରା ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟକାରିତା ତଦାରଖ ଓ ସମୀକ୍ଷା  

Aug 23, 2023 - 19:29
 0  8
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାର ରାଜ୍ୟସ୍ତରୀୟ କମିଟି ଦ୍ୱାରା ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟକାରିତା ତଦାରଖ ଓ ସମୀକ୍ଷା  
ଭୁବନେଶ୍ୱର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍ଏଫ୍)ର କାର୍ଯ୍ୟକାରିତା ସଂପର୍କରେ ତଦାରଖ ଓ ସମୀକ୍ଷା ବୈଠକ ରାଜ୍ୟସ୍ତରୀୟ କମିଟି ଦ୍ୱାରା ସୋମବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 
                              
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମସ୍ତ ୩୦ଟି ଜିଲ୍ଲାରେ ଗଠନ କରାଯାଇଛି । ପ୍ରତି ଜିଲ୍ଲାପାଇଁ ରାଜସ୍ୱ ଆୟୁକ୍ତ କିମ୍ବା ଜିଲ୍ଲାପାଳମାନେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବୋର୍ଡ ଅଫ୍ ଟ୍ରଷ୍ଟିର ଅଧ୍ୟକ୍ଷ ରହିଛନ୍ତି । ଜିଲ୍ଲା ସ୍ତରରେ ବୋର୍ଡର ଏକ କାର୍ଯ୍ୟନିର୍ବାହୀ କମିଟି ରହିଛି । ସେହିପରି ଓଡ଼ିଶା ଖଣିଜ ପ୍ରତିଷ୍ଠାନ ନିୟମ-୨୦୧୫ ଅନୁଯାୟୀ ରାଜ୍ୟସ୍ତରୀୟ କମିଟି ରହିଛି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା ଓ ଡିଏମ୍ଏଫ୍ ନିୟମ-୨୦୧୫ ଅନୁଯାୟୀ କାର୍ଯ୍ୟ ସଂପର୍କିତ ବିବରଣୀ ଆବଶ୍ୟକ ନିର୍ଦ୍ଦେଶନାମା ଓ ପରାମର୍ଶ ଦେବା ଜିଲ୍ଲାସ୍ତରୀୟ କମିଟିର କ୍ଷମତା ରହିଛି । 

ଏହି ପରିପ୍ରେକ୍ଷୀରେ ଆଜିର ଅନୁଷ୍ଠିତ ବୈଠକରୁ ଜଣାଯାଇଛି ଯେ ୨୦୧୫ ରୁ ଗତ ମାସ ଜୁଲାଇ ୩୧  ତାରିଖ ସୁଦ୍ଧା  ବିଭିନ୍ନ  ଜିଲ୍ଲା ପାଇଁ କୋଇଲା ଏବଂ ଲିଗ୍ନାଇଟ୍ ଅନ୍ୟ ପ୍ରମୁଖ ଖଣି ଏବଂ ଲଘୁ ଖଣିଜ ପଦାର୍ଥ ଉତ୍ସରୁ ମୋଟ ଟ୨୩,୪୯୫.୫୧ କୋଟି ଟଙ୍କା ସଂଗୃହିତ ହୋଇଥିବା ବେଳେ ସେଥିମଧ୍ୟରୁ ୨୩,୩୬୪.୯୬ କୋଟି ଅନୁଦାନ ଦିଆଯାଇଛି ଓ ସେଥିରୁ ୧୩,୬୭୩.୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଶେଷ କରି ଖଣିଜ ସଂପଦ ଥିବା ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମୟୁରଭଞ୍ଜ ଓ ରାୟଗଡ଼ା ଆଦି ୮ଟି ଜିଲ୍ଲାକୁ ୨୩,୭୯୫ଟି ପ୍ରକଳ୍ପ ବାବଦରେ ୨୩,୧୫୧.୯୮  କୋଟି ଟଙ୍କା ଦିଆଯାଇଥିବା ବେଳେ ସେଥିରୁ ୧୩,୫୩୬.୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାକି ମୋଟ ଅନୁଦାନର ୫୮.୪୭ ପ୍ରତିଶତ।

ବୈଠକରେ ଅନୁଦାନ ଅନୁସାରେ ପ୍ରସ୍ତାବିତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କରିବାକୁ ଗୁରୁତ୍ୱ ଦିଆଯାଇଛି । ଖର୍ଚ୍ଚ ହୋଇଥିବା ପ୍ରମୁଖ କ୍ଷେତ୍ର ମଧ୍ୟରେ ରହିଛି ରାସ୍ତା, ସେତୁ ଓ କୋଠା ଭଳି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ରାସ୍ତା ସଂଯୋଗୀକରଣ, ଜୀବିକା ନିର୍ବାହ କାର୍ଯ୍ୟକ୍ରମ, ଜଳସେଚନ, ମହିଳା, ଶିଶୁ, ବୟସ୍କ ଓ ଭିନ୍ନକ୍ଷମମାନଙ୍କ କଲ୍ୟାଣ, ଶକ୍ତି, ଜଳଛାୟା ପ୍ରକଳ୍ପ, ଜଳସେଚନ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ପରିମଳ, ବନୀକରଣ ଓ ଗୃହ ନିର୍ମାଣ ଇତ୍ୟାଦି । ବିଭଗଓ୍ୱାରୀ ଅନୁଦାନ ପ୍ରଦାନ, ଖର୍ଚ୍ଚ ଓ ବକେୟାଥିବା ପାଣ୍ଠି ମଞ୍ଜୁର କରାଯିବା ସଂକ୍ରାନ୍ତରେ  ବୈଠକରେ ସମୀକ୍ଷା କରାଯାଇଥିଲା । 

ଡିଏମ୍ଏଫ୍ ପାଣ୍ଠିରେ ଅଦ୍ୟାବଧି ଓ ନଳକୂପ ଆଦି ବ୍ୟବସ୍ଥାରେ ୫୨୪୪ ଟି ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ(ମେଗା, ସୌରଶକ୍ତି, ଅଗଭୀର କୂପ  ନଳକୂପ)  କରାଯିବା ଦ୍ୱାରା ୪୦ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୩୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୩୧ କୋଟି ଟଙ୍କା ବିନିମୟରେ ଆରଓ ପ୍ଲାଣ୍ଟ, ଜଳ ବିଶୋଧନ ଯୋଜନା, ପମ୍ପିଂ ୟୁନିଟ୍ ସ୍ଥାପନ ଦ୍ୱାରା ୩,୨୯,୩୧୯ ଲୋକ ଉପକୃତି ହେଉଛନ୍ତି।

ସେହିପରି ଶିକ୍ଷା କ୍ଷେତ୍ରରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଆବାସିକ ଛାତ୍ରାବାସ, ଖେଳପଡ଼ିଆ ଉନ୍ନତିକରଣ, ‘୫-ଟି’ ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ଆଦିରେ ଖର୍ଚ୍ଚ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନା ନିର୍ମାଣ, ଉନ୍ନତିକରଣ, ‘ମୋ’ ଗୃହ ନିର୍ମାଣ ସଂପର୍କିତ ଖର୍ଚ୍ଚ ସଂପର୍କରେ ସମୀକ୍ଷା କରାଯାଇଥିଲା । ଡିଏମ୍ଏଫ୍ ପାଣ୍ଠିରେ ୪୦୦ ରାସ୍ତା ପ୍ରକଳ୍ପ ନିର୍ମିତ ହୋଇଥିବା ବେଳେ ୧୫୩ ଟି ସେତୁ ନିର୍ମାଣ କରାଯାଇଛି । ଜୀବିକା ନିର୍ବାହ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏହି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ କହିଥିଲେ ।  

ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ସହାୟତା ଉପକରଣ ପ୍ରଦାନ ବାବଦରେ ୬୬ଟି ପ୍ରକଳ୍ପ ଜରିଆରେ ୯୯୪୯ ଜଣ ଉପକୃତ ହୋଇଛନ୍ତି । ୧୮୨୨ ଟି ବର୍ଷାଜଳ ଅମଳ ପ୍ରକଳ୍ପ, ୯୪ ଟି ଆଡ଼ିବନ୍ଧ ନିର୍ମାଣ କରାଯାଇଛି । ଡିଏମ୍ଏଫ୍ରୁ କାର୍ଯ୍ୟ ପରିଚାଳନା ପାଇଁ ଷ୍ଟେଟ୍ ଡାଟା ସେଣ୍ଟରରେ ଆପ୍ଲିକେସନ ଉପଲବଧ ହୋଇଛି । ସବୁ ଜିଲ୍ଲାରେ ସଂପୃକ୍ତ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଡି.ଏମ୍ଏଫ୍ ପୋର୍ଟାଲକୁ ଏଚଆରଏମ୍ଏସ୍, ଆଇଥ୍ରୀଏମ୍ଏସ୍, ଓ ଓ୍ୱାମିସ୍ ଆପ୍ଲିକେସନ ସହ ସମନ୍ୱିତ  କରାଯାଇଛି । 

ଡିଏମ୍ଏଫ୍ ପାଣ୍ଠି ଦ୍ୱାରା ଯେପରି ଖଣିଜ ଅଂଚଳର ଲୋକେ ଅଧିକ ଉପକୃତ ହେବେ, ମୁଖ୍ୟ ଶାସନ ସଚିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ପାନୀୟଜଳ, ଅଙ୍ଗନୱାଡିକେନ୍ଦ୍ର, ଜୀବିକାର୍ଜନ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆଦିଗୁଡ଼ିକ ଉପରେ ଗୁରୁତ୍ୱ ସେ ଦେଇଛନ୍ତି । ଡିଏମଏଫ୍ ପାଣ୍ଠିରେ ସଂପୃକ୍ତ ଅଂଚଳରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ପଞ୍ଚାୟତ ସଡ଼କଗୁଡିକୁ ଭଲ ଭାବରେ କରାଯାଇପାରିବ, ସେ ସଂପର୍କରେ ଗୁରୁତ୍ୱାରୋପ କରାଯାଇଥିଲା।

ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ଏବଂ  “ମା ଗୃହ” ପ୍ରକଳ୍ପ ଉପରେ  ସେ ଗୁରୁତ୍ୱ ଦେଇଛନ୍ତି।  ପାଣ୍ଠି ପ୍ରଦାନ ଓ ଖର୍ଚ୍ଚ ସଂବନ୍ଧୀୟ ତଥ୍ୟ ଓ ପ୍ରକଳ୍ପ ପରିଚାଳନା ତଥ୍ୟକୁ ସଠିକ ରଖି  ଯୋଜନା ଅନୁମୋଦନ ମୁତାବକ କାର୍ଯ୍ୟକରି ଖର୍ଚ୍ଚ ବୃଦ୍ଧି କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଜଳସେଚନ ଉତ୍ସର ସୁବିଧା ନିଆଯାଇ ସଂପୃକ୍ତ ଅଂଚଳରେ ଜଳସେଚନ ସୁବିଧା ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି I

ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦିରେ  ପ୍ରମୁଖ ଡିଏମ୍ଏଫ୍ ଜିଲ୍ଲାଗୁଡିକୁ ଓଏଏସ୍ ଏବଂ  ଓଡ଼ିଶା ଅର୍ଥସେବା ବା ଓଟିଏସ୍ରୁ ଅଧିକାରୀମାନେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି । ସଂପୃକ୍ତ ସଚିବ ଓ ଜିଲ୍ଲାପାଳମାନଙ୍କ ଉପସ୍ଥିତିରେ ଆଗାମୀ ସେପ୍ଟେମ୍ବର ୨ୟ ସପ୍ତାହରେ ଡିଏମ୍ଏଫ୍  ଏବଂ ଓମ୍ବାଡସି ଅଂଚଳର ବିକାଶ ପାଇଁ ବ୍ୟାପକ ଯୋଜନା ସଂପର୍କରେ ସ୍ୱତନ୍ତ୍ର ବୈଠକରେ  ଆଲୋଚନା କରିବାକୁ ସେ କହିଥିଲେ । ଜିଲ୍ଲାଗୁଡ଼ିକର ଡିଏମ୍ସ୍ ପାଣ୍ଠି ଉପଯୋଗର ଅଡିଟ୍ ରିପୋର୍ଟ ଓ ବାର୍ଷିକ ରିପୋର୍ଟ ପ୍ରଦାନ ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । 

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,  ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକସଂପର୍କ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍, ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow