ନନ୍ଦିନୀ ଶତପଥୀ ଓଡିଶାର ନାରୀ ସଶକ୍ତିକରଣର ମୂର୍ତ୍ତିମନ୍ତ ପ୍ରତୀକ, ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

Aug 4, 2023 - 19:14
 0  12
ନନ୍ଦିନୀ ଶତପଥୀ ଓଡିଶାର ନାରୀ ସଶକ୍ତିକରଣର ମୂର୍ତ୍ତିମନ୍ତ ପ୍ରତୀକ, ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ଅଗଷ୍ଟ ୪: ଅଗ୍ନିବର୍ଷୀ ବକ୍ତା,ଛାତ୍ରଜୀବନରୁ ସାମ୍ୟବାଦୀ ବିଚାରଧାରାରୁ କର୍ମମୟ ସଂଗ୍ରାମୀ ଜୀବନ ଆରମ୍ଭ କରି ପରବର୍ତ୍ତୀ ଅବସ୍ଥାରେ ପ୍ରଥମ ଓଡ଼ିଆ ମହିଳା କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଥିବା ବିଶିଷ୍ଟ ଲେଖିକା ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ସପ୍ତଦଶ ବାର୍ଷିକୀ ଶ୍ରାଦ୍ଧୋତ୍ସଵ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ରାଜଭବନ ସନ୍ନିକଟ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି।

ଏହି ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ପାଠ କରିଥିଲେ । ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ଶ୍ରୀ ପ୍ରବୀର ମହାନ୍ତି, ଶ୍ରୀ ରୁଦ୍ରନାରାୟଣ ସାମନ୍ତରାୟ, କର୍ପୋରେଟର ଅମରେଶ ଜେନା,ଉଇ ଫର ଭୁବନେଶ୍ୱର କର୍ମକର୍ତ୍ତା, ଜୟ ଓଡ଼ିଶା ସଭ୍ୟବୃନ୍ଦ, ପୁର୍ବତନ କର୍ପୋରେଟର ନରେନ ସାହୁ,ଶାଶ୍ୱତି ମିଶ୍ର,ରମାନାଥ ସାମନ୍ତରାୟ, ପ୍ରାଧ୍ୟାପକ ଡ଼ଃ ରଙ୍ଗାଧର ସାହୁ,ରମେଶ ଚନ୍ଦ୍ର ପାତାଳସିଂହ,ଅଶ୍ୱିନୀ ପଟ୍ଟନାୟକ, ପ୍ରଗତି ରଥ, ଉଷାରାଣୀ ମହାନ୍ତି,ରୀତା ମହାନ୍ତି, ଅନୁପମା ବେହେରା, ଶାନ୍ତିଲତା ସାହୁ ପ୍ରମୁଖ ଯୋଗ ଦେଇ ନନ୍ଦିନୀ ଦେବୀଙ୍କ ସାମଗ୍ରିକ ଜୀବନର ତ୍ୟାଗ ଓ ସଂକଳ୍ପ ଉପରେ ଆଲୋକପାତ କରିଥିଲେ । 

ବିଶିଷ୍ଟ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କନ୍ୟା ଓ ସାମ୍ୟବାଦୀ ନେତା ଓ ଲେଖକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଝିଆରୀ ନନ୍ଦିନୀ ଦେବୀ ଛାତ୍ରୀ ଜୀବନରୁ ସାମ୍ୟବାଦ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ ।ପରବର୍ତ୍ତୀ ଅବସ୍ଥାରେ କଂଗ୍ରେସ ଦଳରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଅନ୍ତରଙ୍ଗ ସହଯୋଗୀଭାବେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ହୋଇଥିଲେ।

ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ଜଣେ ଦକ୍ଷ ପ୍ରଶାସିକାର ହେବାର ଗୌରବ ଅର୍ଜନ କରିଥିଲେ ।ପ୍ରଥମେ କଟକ ସହରରୁ ଉପନିର୍ବାଚନରେ ବିଧାୟିକା ନିର୍ବାଚିତ ହେବା ସହ ବିଭିନ୍ନ ସମୟରେ ବିଧାୟିକା ଭାବେ ବିର୍ବାଚିତ ହୋଇଥିଲେ । ତାଙ୍କ ଜୀବନରେ ସେ ସର୍ବଦା ଅପରାଜେୟ ଥିଲେ । ଜଣେ ରାଜନେତ୍ରୀ ସହ ଜଣେ ସୁଲେଖିକା ଭାବେ ବହୁ ସାହିତ୍ୟ ରଚନା କରି ଓଡ଼ିଶାର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । 

ଏହି ଅବସରରେ ଆଡଭୋକେଟ ରମାବଲ୍ଲଭ ରଥ,ବୁଦ୍ଧରାମ ,ସମରେନ୍ଦ୍ର ସାହୁ, ଉଷାରାଣୀ ମହାନ୍ତି, ରଘୁନାଥ ରାୟ,ଭବାନୀ ଶଙ୍କର ଜଗଦେଵ, ରଘୁନାଥ ପାତ୍ର, ଅଜୟ କୁମାର ହରିଚନ୍ଦନ,ମନୋରଞ୍ଜନ ପଟ୍ଟନାୟକ,ନାରାୟଣ ମହାପାତ୍ର, ରଶ୍ମିତା ମଲ୍ଲିକ,ରାଜେଶ୍ୱର ହୋତା ଓ ସୀତାକାନ୍ତ ମହାପାତ୍ରଙ୍କୁ ନନ୍ଦିନୀ ଶତପଥୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow