ପୁଲିସ ପଦକ ପାଇବାକୁ ଆମ ରାଜ୍ୟରୁ ୧୭ ପୁଲିସ କର୍ମଚାରୀ ମନୋନୀତ

Aug 14, 2023 - 07:44
Aug 15, 2023 - 07:44
 0  6
ପୁଲିସ ପଦକ ପାଇବାକୁ ଆମ ରାଜ୍ୟରୁ ୧୭ ପୁଲିସ କର୍ମଚାରୀ ମନୋନୀତ
ପୁଲିସ ପଦକ ପାଇବାକୁ ଆମ ରାଜ୍ୟରୁ ୧୭ ପୁଲିସ କର୍ମଚାରୀ ମନୋନୀତ

ପୁଲିସ ପଦକ ପାଇବାକୁ ଆମ ରାଜ୍ୟରୁ ୧୭ ପୁଲିସ କର୍ମଚାରୀ ମନୋନୀତ
ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ୯୫୪ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ । ବୀରତା ପାଇଁ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ (ସିଆରପିଏଫ୍) ରାଷ୍ଟ୍ରପତି ପଦକ (ପିପିଏମଜି) ପାଇବେ । ସେହିପରି ବିଭିନ୍ନ ରାଙ୍କର ୨୨୯ ପୁଲିସ କର୍ମଚାରୀଙ୍କୁ ସାହସିକତା ପୁଲିସ ପଦକ (ପିଏମଜି), ବିଭିନ୍ନ ରାଙ୍କର ୮୨ ପୁଲିସ କର୍ମଚାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ  ଓ ବିଭିନ୍ନ ରାଙ୍କର ୬୪୨ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତାଲିକା ଜାରି ହୋଇଛି । ସାହସିକତା ପୁରସ୍କାର ପାଇଥିବା ବିଭିନ୍ନ ରାଙ୍କର ୨୩୦ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ୧୨୫ ପୁଲିସ କର୍ମଚାରୀ ମାଓପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି । ସେହିପରି ଜାମ୍ମୁ ଓ କାଶ୍ମୀର ପୁଲିସର ୭୧ ପୁଲିସ କର୍ମଚାରୀ, ଉତ୍ତର ପୂର୍ବାଞ୍ଚଳର ୧୧ ପୁଲିସ କର୍ମଚାରୀଙ୍କୁ ସାହସିକତା ପୁଲିସ ପଦକ ପ୍ରଦାନ କରାଯିବ ।  ସାହସିକତା ପୁଲିସ ପଦକ ପାଉଥିବା କର୍ମୀଙ୍କ ମଧ୍ୟରେ ୨୮ ସିଆରପିଏଫ, ୩୩ ମହାରାଷ୍ଟ୍ର ପୁଲିସ, ୫୫ ଜାମ୍ମୁକାଶ୍ମୀର ପୁଲିସ, ୨୪ ଛତିଶଗଡ଼, ୨୨ ତେଲଙ୍ଗାନା, ୧୮ ଆନ୍ଧ୍ରପ୍ରଦେଶ ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର କର୍ମଚାରୀ ଅଛନ୍ତି । ଆମ ରାଜ୍ୟରୁ ସାହସିକତା ପୁଲିସ ପଦକ ପାଇଥିବା କର୍ମଚାରୀମାନେ ହେଲେ ସୁବେଦାର ପ୍ରହ୍ଲାଦ ହିମିରକା, ଏସଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ କୁମାର ବରିହା ଏବଂ କନେଷ୍ଟବଳ ସୁଜିତ କୁମାର ରଣା । ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବେ ରାଜ୍ୟ ପୁଲିସ ମୁଖ୍ୟାଳୟର ଅତିରିକ୍ତ ପୁଲିସ ଡିଜି (ଆଧୁନିକୀକରଣ) ସଞ୍ଜୟ କୁମାର ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ, ଭୁବନେଶ୍ୱରର ଅତିରିକ୍ତ ପୁଲିସ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥୀ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ଆମ ରାଜ୍ୟରୁ ପୁଲିସ ପଦକ ପାଇବାକୁ ଯୋଗ୍ୟ ବିବେଚିତ ୧୧ ପୁଲିସ କର୍ମୀ ହେଲେ :  ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ଆଇଜି ଡଃ ଦୀପକ କୁମାର, ଭୁବନେଶ୍ୱରସ୍ଥିତ ଅତିରିକ୍ତ ପୁଲିସ ଅଧିକ୍ଷକ ଅନନ୍ତ ଚରଣ ପତି, କଟକରେ କାର୍ଯ୍ୟରତ ଅତିରିକ୍ତ ପୁଲିସ ଅଧିକ୍ଷକ ବେଣୁଧର ନାୟକ, ବ୍ରହ୍ମପୁର ସହର ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପୁଲିସ ଉପଅଧିକ୍ଷକ ଅମିତା ତ୍ରିପାଠୀ, ମୟୂରଭଞ୍ଜରେ କାର୍ଯ୍ୟରତ ସିଆଇ ପୁଲିସ ହାବିଲଦାର କୃଷ୍ଣଚନ୍ଦ୍ର ମହନ୍ତ, ଦେବଗଡ଼ ପୁଲିସ ରିଜର୍ଭ କାର୍ଯ୍ୟାଳୟର କନେଷ୍ଟବଳ ପିଟର ତିର୍କୀ, ଖୋର୍ଦ୍ଧାରେ କର୍ତ୍ତବ୍ୟରତ ପୁଲିସ ଅତିରିକ୍ତ ଉପ ନିରୀକ୍ଷକ ଗୁପ୍ତ ପ୍ରସାଦ ମହାନ୍ତି, ସମ୍ବଲପୁରରେ ନିୟୋଜିତ ପୁଲିସ ଉପନିରୀକ୍ଷକ (ସଶସ୍ତ୍ର) ଦିଲୀପ କୁମାର ନାୟକ, ଭୁବନେଶ୍ୱରରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ସୁଶାନ୍ତ କୁମାର ମାଝୀ ଏବଂ ଭୁବନେଶ୍ୱରରେ କର୍ତ୍ତବ୍ୟରତ ପୁଲିସ ନିରୀକ୍ଷକ ଉମାକାନ୍ତ ପ୍ରଧାନ ।

What's Your Reaction?

like

dislike

love

funny

angry

sad

wow