ସ୍ୱାୟତ୍ତ ଶାସନ ଦିବସରେ ବିଏମ୍‌ସିର ବ୍ୟାପକ କାର୍ଯ୍ୟକ୍ରମ, ନଗରବନ୍ଧୁ ସମେତ ଅନ୍ୟାନ୍ୟ ପୁରସ୍କାର : ଉନ୍ମୋଚନ ହେଲା ମୁଖପତ୍ର ‘ଆହ୍ୱାନ’

Sep 1, 2023 - 17:55
 0  8
ସ୍ୱାୟତ୍ତ ଶାସନ ଦିବସରେ ବିଏମ୍‌ସିର ବ୍ୟାପକ କାର୍ଯ୍ୟକ୍ରମ, ନଗରବନ୍ଧୁ ସମେତ ଅନ୍ୟାନ୍ୟ ପୁରସ୍କାର : ଉନ୍ମୋଚନ ହେଲା ମୁଖପତ୍ର ‘ଆହ୍ୱାନ’

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମାରାଥନ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଏମ୍‌ସି ମୁଖ୍ୟାଳୟ ଆଇସିଓଏମ୍‌ସି ଟାୱାର ପରିସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା। ମେୟର ସୁଲୋଚନା ଦାସ ଜାତୀୟ ପତାକା ଉତୋଳନ କରି ବିଏମ୍‌ସିକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ସହ ସୁସ୍ଥ ଭୁବନେଶ୍ୱର ଗଢିତୋଳିବାକୁ ଭୁବନେଶ୍ୱରବାସିଙ୍କୁ ଆହ୍ୱାନ ଦେଇଛନ୍ତି ।

ପରେ ଆରମ୍ଭ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମ । ନୂଆକରି ଆସିଥିବା ମଶା ଧୁଆଁ ଦିଆ ଗାଡି ଓ ମଶା ମରା ତୈଳ ସିଂଚନ ଗାଡି, ମହାଯାତ୍ରା ଓ ପଶୁ ଆମ୍ବୁଲାନ୍ସକୁ ଉଦଘାଟନ କରିଥିଲେ ମେୟର ସୁଲୋଚନା ଦାସ । ସହରରେ ଆବଶ୍ୟକତା ଅନେକ ଯାହାକି କ୍ରମବର୍ଦ୍ଧିଷ୍ଣୁ ଜନ ସଂଖ୍ୟା ପାଇଁ ଦେଖାଦେଉଛି । ତେବେ ଏହାକୁ ପୁରଣ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିମଳକୁ ଯେପରି ଗୁରୁତ୍ୱ ଦିଆଯାଉଛି, ଆମ ସରକାର ମଧ୍ୟ ଅନ୍ୟ ବିକାଶ ମୂଳକ କାର୍ଯ୍ୟ ପାଇଁ ସମାନ ଭାବେ ତତ୍ପର । ବିଶେଷ କରି ଲୋକମାନଙ୍କର ଅଭିଯୋଗ ସମାଧାନ ନିମନ୍ତେ ଆମେ ୫ଟି ମନ୍ତ୍ର ଆଧାରରେ ବିଭିନ୍ନ ଅନ୍‌ଲାଇନ ମାଧ୍ୟମରେ କରାଉଛୁ । ଯାହାର ଉଦାହରଣ ଭୁବନେଶ୍ୱର ଡଟ୍ ମି, ସଫା ଭୁବନେଶ୍ୱର ଆପ୍ ଏବଂ ୧୯୨୯ ଇତ୍ୟାଦି ବୋଲି କହିଥିଲେ କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଏହି ଅବସରରେ ୫ଗୋଟି ମଶା ଧୁଆଁ ଦିଆ ଅତ୍ୟାଧୁନିକ ଗାଡିକୁ ଲୋକାର୍ପିତ କରିଥିଲେ ମେୟର ସୁଲୋଚନା ଦାସ । କେବଳ ମଶା ଧୁଆଁ ଦିଆ ଗାଡି ନୁହେଁ, ୫ଟି ବ୍ୟାଟେରୀ ଚାଳିତ ମଶା ତେଲ ସିଚନ ମେସିନ, ୩ଟି ମହାଯାତ୍ରା ଗାଡି ଏବଂ ଗୋଟିଏ ପଶୁ ଆମ୍ବୁଲାନ୍ସକୁ ଭୁବନେଶ୍ୱରବାସିଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡେପୁଟି ମେୟର ମଞ୍ଜୁଲତା କହଁର, ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ, ସୂର୍ଯ୍ୟବଂଶୀ ମୟୁର ବିକାଶ, ସିଟି ଇଂଜିନିୟର ଅରୁଣ କୁମାର ନାୟକ, ନାଲକୋ ସିଏମ୍‌ଡି, ଓଏମ୍‌ସିର ବରିଷ୍ଠ ଅଧିକାରୀ, ବିଭିନ୍ନ କମିଟିର ଅଧ୍ୟକ୍ଷ, ସମସ୍ତ କର୍ପୋରେଟର, ବିଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ।

ଏହା ପରେ ୬ ନମ୍ବର ଅନ୍ତର୍ଗତ ଗଙ୍ଗନଗରରେ ଥିବା ଏସୟୁଏଚ୍ ଓ ବେଗର୍ସ ହୋମ୍ ଅନ୍ତେବାସୀଙ୍କୁ ମେୟର  ଫଳ ଓ କମଳ ପ୍ରଦାନ କରିଥିଲେ । ପରେ ୫୦ ନମ୍ବର ୱାର୍ଡ ଅନ୍ତର୍ଗତ ରାଜଧାନୀ କଲେଜଠାରୁ ବରମୁଣ୍ଡା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥକୁ ଲୋକାର୍ପଣ କରିଥିଲେ । ଏହା ପରେ ଚିନ୍ତାମଣିଶ୍ୱର ହାଇସ୍କୁଲଠାରୁ ଶବର ସାହି ଜାଲି ଗଳି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଆରସିସି ବକ୍ସ ସେଲ୍‌
ଡ୍ରେନକୁ ଟୁକୁନୀ ସାହୁ, ମନ୍ତ୍ରୀ, ବାଣିଜ୍ୟ, ପରିବହନ ଓ ଜଳ ସଂପଦ ବିଭାଗ, ଓଡିଶା ସରକାର, ଉଦ୍‌ଘାଟନ କରିଥିଲେ । ମେୟର ଶ୍ରୀମତୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ତଥା ଏକାମ୍ର ବିଧାୟକ, ସ୍ଥାନୀୟ କର୍ପୋରେଟର ଓ ଅନ୍ୟ କର୍ପୋରେଟରମାନେ ଉପସ୍ଥିତ ଥିଲେ । ୪୫ ନମ୍ବର କର୍ପୋରେଟର ଅମରେଶ ଜେନାଙ୍କର ଉଦ୍ୟମକୁ ସଭାରେ ଉଚ୍ଚ ପ୍ରସଂଶା କରାଯାଇଥିଲା ।

ଏହା ପରେ ଗୁରୁଦ୍ୱାରଠାରୁ ରେଳବାଇ ଓଭର ବ୍ରିଜ୍ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଡ୍ରେନକୁ ଓ ସହିଦ ନଗର କଲ୍ୟାଣ ଜୁଏଲାରୀଠାରୁ ପ୍ଲଟ ନଂ-୧ ( ତାରିଣୀ ବ୍ୟାଲେସ୍‌) ଭାୟା ବିଡିଏ ପାର୍କ ରାସ୍ତାର ଉନ୍ନତିକରଣକୁ ଲୋକାର୍ପିତ କରାଯାଇଥିଲା । ଅପରାହ୍ନରେ ମୁଖ୍ୟ ଡ୍ରେନ ନଂ-୧ର ନାରାୟଣ ସ୍କୁଲଠାରୁ କ୍ଲବ ଟାଉନ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଆରସିସି ଡ୍ରେନ ଏବଂ ହାତିଆଶୁଣୀ ୱେଲ୍‌ଥ ସେଂଟରଠାରେ ନିର୍ମିତ ମୋ ଖତ ଗୋଦାମ ଗୃହର ଉଦ୍‌ଘାଟନ କରିଥିଲେ ମେୟର ଶ୍ରୀମତୀ ଦାସ ଓ ମାନ୍ୟବର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ।

ଶେଷରେ ସଂଧ୍ୟା ୬ଟାରେ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଥିଲା ସାଧାରଣ ସଭା । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିସବୁ ଉଦ୍‌ଘାଟନୀ ଉତ୍ସବରେ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ, ବିଜ୍ଞାନ, କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ଟୁକୁନୀ ସାହୁ, ମନ୍ତ୍ରୀ, ବାଣିଜ୍ୟ, ପରିବହନ ଓ ଜଳ ସଂପଦ ବିଭାଗ, ମାନ୍ୟବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମାନ୍ୟବର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଡେପୁଟି ମେୟର ମଂଜୁଲତା କହଁର, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଂଚି ନାରାୟଣ
ମହାସୂପକାର, ମିହିର କୁମାର ରାଉତ, ସ୍ଥାନୀୟ କର୍ପୋରେଟରଙ୍କ ସମେତ ଅନ୍ୟ କର୍ପୋରେଟର ବୃନ୍ଦ ଓ ଟିମ୍ ବିଏମ୍‌ସି ଉପସ୍ଥିତ ଥିଲେ
ା ଏହି ଅବସରରେ ବିଏମ୍‌ସିର ମୁଖପତ୍ର ‘ଆହ୍ୱାନ’ର ଉନ୍ମୋଚନ କରାଯାଇଥିଲା ।

ଭୁବନେଶ୍ୱରର ଡିଜିଟାଲ କନେକ୍‌ଟିଭିଟ୍ ବଢାଇଲେ, ଆଗାମୀ ଦିନରେ ଯୁବବର୍ଗ ବିଶେଷ ଭାବେ ଉପକୃତ ହେବେ, ଏବଂ ବିଶ୍ୱଦରବାରରେ ଭୁବନେଶ୍ୱରର ଗୌରବ ବୃଦ୍ଧି ପାଇବା ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ । ପ୍ରତି ୱାର୍ଡକୁ ସରସ ସୁନ୍ଦର କରିପାରିଲେ ଏବଂ ଗୋଷ୍ଠୀ ସହଭାଗିତା ବୃଦ୍ଧି ପାଇଲେ, ଏ ସହର ଆହୁରି ଆଗକୁ ଯିବ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ ।

ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ, ପୂର୍ବରୁ ଥିବା ଭୁବନେଶ୍ୱରର ଚିତ୍ର ଏବେ ସଂପୂର୍ଣ୍ଣ ବଦଳି ଯାଇଛି । ରାଜ୍ୟର ଏହା ରାଜଧାନୀ ହୋଇଥିବାରୁ ଏହାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ନିହାତି ଦରକାର ବୋଲି ସେ କହିଥିଲେ ।

ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଖୋଲା ହାତ ଆମକୁ ପରିଚୟ ଦେଇଛି । ସହରର ସବୁ ବର୍ଗର ନାଗରିକ ସମ୍ମାନର ସହିତ ବଂଚିବା ପାଇଁ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଭୁବନେଶ୍ୱର ଏ ଦିଗରେ ଆଗୁଆ ଏବଂ ଅନ୍ୟସହର ପାଇଁ ଉଦାହରଣ ସାଜିଛି ବୋଲି କହିଥିଲେ ମାନ୍ୟବର ଉତର ବିଧାୟକ ସୁଶାନ୍ତ କୁମାର ରାଉତ।

ଗତ ଏକ ବର୍ଷ ମଧ୍ୟରେ ଭୁବନେଶ୍ୱରର ପରିମଳ ଏବଂ ବିକାଶରେ ଆଖି ଦୃର୍ଶିଆ ଅଗ୍ରଗତି ପାଇଁ କର୍ପୋରେସନ ସଦସ୍ୟ ସଦସ୍ୟାଙ୍କୁ ବଧେଇ ଜଣାଇବା ସହ ନାଗରିକମାନଙ୍କ ସହଯୋଗକୁ ପ୍ରସଂଶା କରିଥିଲେ କମିଶନର ବିଜୟ ଅମୃତା କୁଲାଙ୍ଗେ।  ଏହି ଅବସରରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା ।

ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀ, ଅଧିକାରୀ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ
ସମ୍ବର୍ଦ୍ଧିତ କରାଯାଇଥିଲା । ୬ଜଣଙ୍କୁ ନଗରବନ୍ଧୁ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ
ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ । 

What's Your Reaction?

like

dislike

love

funny

angry

sad

wow