ବିରୋଧୀ ବୈଠକକୁ ଦେଖି ବିଜେପି ଏନ୍‌ଡିଏର ଶକ୍ତି ପ୍ରଦର୍ଶନ  

Jul 18, 2023 - 12:36
 0  6
ବିରୋଧୀ ବୈଠକକୁ ଦେଖି ବିଜେପି ଏନ୍‌ଡିଏର ଶକ୍ତି ପ୍ରଦର୍ଶନ  

ଗୋଟିଏ ପଟେ ଦକ୍ଷିଣ ଭାରତରେ ବିରୋଧୀଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଏନ୍‌ଡିଏ ନେତାମାନଙ୍କ ବୈଠକ ଆରମ୍ଭ ହୋଇଛି। କଂଗ୍ରେସ-ନେତୃତ୍ବାଧୀନ‌ ବିରୋଧୀ ବୈଠକରେ ୨୬ଟି ଦଳ ସାମିଲ ହୋଇଥିବା ବେଳେ ବିଜେପି-ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବୈଠକରେ ୩୮ଟି ଦଳ ଯୋଗଦେବେ‌ ବୋଲି ବିଜେପି ଦାବି କରିଛି।ବିରୋଧୀ ବୈଠକକୁ ଚ୍ୟାଲେଂଜ କରି ଆଜି ନୂଆଦିଲ୍ଲୀରେ ଏନ୍‌ଡିଏ ଶକ୍ତି ପ୍ରଦର୍ଶନ କରିବ। ବିଜେପି ନିଜ ସମର୍ଥକ ଦଳମାନଙ୍କୁ ନେଇ ମଙ୍ଗଳବାର ଦିଲ୍ଲୀରେ ବୈଠକର ଆୟୋଜନ କରିଛି। ଉଭୟ ଦିଲ୍ଲୀ ଓ ବେଙ୍ଗାଲୁରୁ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଭୟ ପକ୍ଷ ନିଜନିଜର ରଣନୀତି ପ୍ରସ୍ତୁତ କରିବେ। ଏନ୍‌ଡିଏର ମଙ୍ଗଳବାର ବୈଠକ ଉପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ବିଜେପି ହତାଶ ହୋଇପଡ଼ିଛି। ଭାଗଭାଗ ହୋଇଯାଇଥିବା ଦଳର ବିଚ୍ଛିନ୍ନ ଅଂଶକୁ ନିଜ ଆଡ଼କୁ ନେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିର ବେଙ୍ଗାଲୁରୁ ବୈଠକରେ ଯୋଗ ଦେଇଛନ୍ତି। ଗତ ମାସରେ ସେ ପ୍ରଥମ ବିଜେପି-ବିରୋଧୀ ବୈଠକର ଆୟୋଜନ କରିଥିଲେ। ପାଟନାଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ଦଳର ୩୦ରୁ ଊର୍ଦ୍ଧ୍ବ ନେତା ଯୋଗ ଦେଇଥିଲେ
ବିଜେପି ମୁଖ୍ୟ ଜେପି ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ସ୍ପଷ୍ଟ କରିଛନ୍ତି। ନଡ୍ଡା କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଏନ୍‌ଡିଏର ପରିସର ବଢ଼ିଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଯୋଜନା ଏବଂ ନୀତିର ସକାରାତ୍ମକ ପ୍ରଭାବ ପାଇଁ ଏହା ସମ୍ଭବ ହୋଇଛି। ତେବେ ଏନ୍‌ଡିଏ ବୈଠକରେ ବର୍ତ୍ତମାନର ମେଣ୍ଟ ସହଯୋଗୀ ଏବଂ ପୂର୍ବତନ ସହଯୋଗୀ ସାମିଲ ହେବେ। ଗତ କିଛି ସପ୍ତାହ ଧରି ବିଜେପି ଏହାର ପୂର୍ବତନ ସହଯୋଗୀମାନଙ୍କ ନିକଟରେ ପହଞ୍ଚିବାପାଇଁ ଚେଷ୍ଟା ଚଳାଇଛି। ଗତ ସପ୍ତାହାନ୍ତରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓପି ରାଜଭର ଏନ୍‌ଡିଏରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ମଧ୍ୟ ଅନ୍ୟ ଜଣେ ଓବିସି ନେତା ଚିରାଗ ପାଶ୍ବାନ ଦିଲ୍ଲୀରେ ଏନ୍‌ଡିଏ ବୈଠକରେ ଯୋଗ ଦେବେ। ଚିରାଗ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.