୨୦୨୪ ପାଇଁ ବେଙ୍ଗାଲୁରୁରେ ବିରୋଧୀଙ୍କ ସଜବାଜ: ବଦଳିପାରେ ୟୁପିଏର ନାଁ

Jul 18, 2023 - 12:26
 0  5
୨୦୨୪ ପାଇଁ ବେଙ୍ଗାଲୁରୁରେ ବିରୋଧୀଙ୍କ ସଜବାଜ: ବଦଳିପାରେ ୟୁପିଏର ନାଁ

୨୦୨୪ ଲୋକସଭା ଆସନ ପାଇଁ ବିରୋଧୀଙ୍କ ସଜବାଜ ଆରମ୍ଭ ହୋଇଛି। ବିରୋଧୀଙ୍କ ବୈଠକରେ ଅଣ ବିଜେପି ଦଳ ଗୁଡ଼ିକର ‌ନୂଆ‌ ମେଣ୍ଟ ପାଇଁ ଏକ ନୂଆ ନାଁ ସ୍ଥିର ହୋଇପାରେ ବୋଲି ଆଶା କରାଯାଉଛି। କଂଗ୍ରେସ, ଆପ୍‌ ଏବଂ ଟିଏମ୍‌ସି ସମେତ ଅନ୍ୟ ଅଣ ବିଜେପି ଦଳ ଗୁଡ଼ିକର ନୂଆ ମେଣ୍ଟକୁ ୟୁପିଏ (ୟୁନାଇଟେଡ୍‌ ପ୍ରୋଗ୍ରେସିଭ ଆଲିଆନ୍ସ) କୁହାନଯାଇପାରେ।  କଂଗ୍ରେସ ନେତୃତ୍ବାଧୀନ ୟୁପିଏ ପୂର୍ବରୁ ୨ ଥର ତଥା ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କ୍ଷମତାରେ ଥିଲା। ସୋନିଆ ଏହାର ସଭାପତି ଅଛନ୍ତି। ତେବେ ନୂଆ ବିରୋଧୀ ମେଣ୍ଟର ନାଁ କ’ଣ ରହିବ ପ୍ରଶ୍ନ କରିବାରୁ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଦଳ ଏକାକୀ ଉକ୍ତ ବିଷୟରେ କିଛି ନିଷ୍ପତ୍ତି ନେଇପାରିବନି। ସମସ୍ତ ଦଳ ଏକାଠି ବସିବେ ଏବଂ ଆସନ୍ତାକାଲିର ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।

ବେଙ୍ଗାଲୁରୁରେ ବିରୋଧୀ ଦଳଗୁଡ଼ିକର ମିଳିତ ବୈଠକ ସୋମବାର ଆରମ୍ଭ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଉକ୍ତ ବୈଠକରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଦ୍ବିତୀୟ ଦିନରେ ଯୋଗ ଦେବେ। ଆଜିର ନୈଶଭୋଜି ବୈଠକରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଏମ୍‌କେ ଷ୍ଟାଲିନ, ଅରବିନ୍ଦ କେଜ୍ରିୱାଲ, ନୀତୀଶ କୁମାର, ହେମନ୍ତ ସୋରେନ, ଭଗବନ୍ତ ମାନ୍, ଲାଲୁ ପ୍ରସାଦ ଯାଦବ, ମମତା ବାନାର୍ଜୀ ପ୍ରମୁଖ ଯୋଗ ଦେଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଜିର ବୈଠକରେ ଯୋଗ ଦେଇ ବିରୋଧୀ ନେତାମାନଙ୍କ ପାଇଁ ନୈଶଭୋଜିର ଆୟୋଜନ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ କରିବା ଉଦ୍ଦେଶ୍ୟରେ କଂଗ୍ରେସର ଆବାହକତ୍ବରେ ଏହି ବୈଠକର ଆୟୋଜନ କରାଯାଇଛି। ବିରୋଧୀ ଦଳଗୁଡ଼ିକ ଭିତରେ ବୃହତ୍ତର ସମନ୍ବୟ ଓ ଯୋଗାଯୋଗ ରକ୍ଷା ଏବଂ ସିଟ୍ ଭାଗବଣ୍ଟା ଆଦି ଉପରେ ମଙ୍ଗଳବାର ଆଲୋଚନା ହୋଇଛି।

ଆମ୍ ଆଦ୍‌ମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲ, ସଞ୍ଜୟ ସିଂହ ଓ ରାଘବ ଚଢ଼ା ଆଜିର ବେଙ୍ଗାଲୁରୁ ବୈଠକରେ ଯୋଗ ଦେଇଛନ୍ତି। କେନ୍ଦ୍ରର ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରିବ ବୋଲି ଘୋଷଣା କରିବା ପରେ ଆପ୍ ବିରୋଧୀ ବୈଠକରେ ଯୋଗ ଦେବ ବୋଲି ଘୋଷଣା କରିଥିଲା। କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ କଂଗ୍ରେସ ଖୋଲାଖୋଲି ଭାବେ ବିରୋଧ ନ କଲେ ଆପ୍ ବିରୋଧୀ ମେଣ୍ଟରେ ଯୋଗ ଦେବା କଷ୍ଟକର ହୋଇପଡ଼ିବ ବୋଲି କେଜ୍ରିୱାଲଙ୍କ ଦଳ କହିଥିଲା। ଆର୍‌ଜେଡ଼ି ନେତା ଲାଲୁ ପ୍ରସାଦ ଯାଦବ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜିର ବିରୋଧୀ ବୈଠକରେ ଯୋଗ ଦେଇଛନ୍ତି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ୍‌ରେ ଲାଲୁ, ତେଜସ୍ବୀ ଓ ରାବ୍ରିଦେବୀଙ୍କ ନାମ ରଖିବା ପରେ କ୍ରୋଧିତ ଲାଲୁ ନରେନ୍ଦ୍ର ମୋଦୀ ସରକାରଙ୍କ ମୂଳୋତ୍ପାଟନ କରିଦେବେ ଏବଂ ବେଙ୍ଗାଲୁରୁ ବିରୋଧୀ ବୈଠକରେ ଯୋଗ ଦେବେ ବୋଲି କହିଥିଲେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.