ଷ୍ଟକ୍ ବଜାରରେ ନିବେଶ ବଢ଼ାଇବ ଇଫିଏଫ୍ଓ

Jun 19, 2023 - 10:09
 0  756
ଷ୍ଟକ୍ ବଜାରରେ ନିବେଶ ବଢ଼ାଇବ ଇଫିଏଫ୍ଓ

ବର୍ତ୍ତମାନ ଇପିଏଫ୍ ପୂର୍ବ ଅପେକ୍ଷା ଷ୍ଟକ୍ ବଜାରରେ ଏହାର ନିବେଶ ପରିମାଣ ବୃଦ୍ଧି କରିବାକୁ ଯାଉଛି। ତେବେ ସାଧାରଣ ଲୋକ ଦିନରାତି କାମ କରି ନିଜର କଷ୍ଟ ଉପାର୍ଜିତ ଅର୍ଥର ଏକ ଅଂଶ ପିଏଫ୍(ଭବିଷ୍ୟନିଧି ପାଣ୍ଠି)ରେ କରିଥାଏ। ଯାହାଫଳରେ ବୃଦ୍ଧାବସ୍ଥାରେ ଅବସର ପରେ ତା’ର ଜୀବନ ସଠିକ୍ ଭାବରେ ଚାଲିପାରିବ। ଏଥିରେ ସଦସ୍ୟ ନିଶ୍ଚିତ ଯେ ତାଙ୍କ ଟଙ୍କା ସୁରକ୍ଷିତ ରହିବ, କାରଣ ଏହା ଏକ ସରକାରୀ ସଂସ୍ଥା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଦାୟିତ୍ବରେ ରହିଛି। କିନ୍ତୁ ଆଗକୁ ଇପିଏଫ୍ଓ ନେଉଥିବା ନିଷ୍ପତ୍ତି ସଂଗଠନର କୋଟି କୋଟି ସଦସ୍ୟଙ୍କ ଅର୍ଥକୁ କେତେ ସୁରକ୍ଷିତ ରଖିବ ତାହା ହିଁ ଚିନ୍ତାର ବିଷୟ। ଇପିଏଫ୍ଓର ଏହି ନିଷ୍ପତ୍ତିକୁ ଏବେ ଅର୍ଥ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ମଞ୍ଜୁରୀ ଦେବାକୁ ଯାଉଛି।

ଇପିଏଫଓରେ ଦେଶର ପ୍ରାୟ ୬କୋଟି ଲୋକଙ୍କ ପିଏଫ୍ ଆକାଉଣ୍ଟରେ ଟଙ୍କା ଜମା ହୋଇଛି। ଇପିଏଫ୍ଓ ଏହାକୁ ବିଭିନ୍ନ ସ୍ଥାନରେ ବିନିଯୋଗ କରି ଏହା ଉପରେ ଅର୍ଥ ଅର୍ଜନ କରିଥାଏ। ଏହାର ଲାଭାଂଶ ସଦସ୍ୟଙ୍କ ମଧ୍ୟରେ ବଣ୍ଟନ କରିଥାଏ। ଏହି ଅର୍ଥର କିଛି ଅଂଶ ଷ୍ଟକ୍ ବଜାରରେ ବିନିଯୋଗ କରାଯାଇଛି। ଯଦିଓ ସେୟାର ବଜାରରେ ପାଣ୍ଠି ବିନିଯୋଗ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ। ତଥାପି ବର୍ତ୍ତମାନ ଇପିଏଫ୍ ପୂର୍ବାପେକ୍ଷା ଷ୍ଟକ୍ ମାର୍କେଟରେ ଏହାର ନିବେଶ ପରିମାଣ ବୃଦ୍ଧି କରିବାକୁ ଯାଉଛି। ଏଥିରେ ଏକ୍ସଚେଞ୍ଜ୍ ଟ୍ରେଡେଡ୍ ପାଣ୍ଠି ମାଧ୍ୟମରେ ଜମା ହୋଇଥିବା ଅର୍ଥକୁ ଇକ୍ୱିଟି ଏବଂ ଅନ୍ୟାନ୍ୟ ବିକଳ୍ପରେ ପୁନଃନିବେଶ କରାଯାଇପାରିବ। ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇପିଏଫ୍ ଖୁବ ଶୀଘ୍ର ଅର୍ଥ ମନ୍ତ୍ରଣାଳୟଠାରୁ ଏ ନେଇ ମଞ୍ଜୁରୀ ମାଗିବ। ଯାହାଦ୍ବାରା ସଂଗଠନକୁ ଏହି ନିବେଶରୁ ସର୍ବାଧିକ ରିଟର୍ଣ୍ଣ ପାଇପାରିବ। ଏହି ପରିପ୍ରେକ୍ଷୀରେ, ଇପିଏଫ୍ଓର କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ମାର୍ଚ୍ଚ ଶେଷ ସପ୍ତାହରେ ଏହାକୁ ପାସ କରିଥିଲା। ମାର୍ଚ୍ଚରେ ଅନୁଷ୍ଠିତ ଇପିଏଫ୍ ଟ୍ରଷ୍ଟି ବୋର୍ଡ ବୈଠକର ମିନିଟ୍‌ସରେ ଏ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।ଏହି ଅନୁଯାୟୀ, ଇପିଏଫ୍ଓ ଚାହୁଁଛି ଯେ ଇଟିଏଫ୍‌ରେ ନିବେଶ କରାଯାଇଥିବା ଅର୍ଥକୁ ବର୍ତ୍ତମାନ ଇକ୍ୱିଟି କିମ୍ବା ଅନ୍ୟାନ୍ୟ ଆନୁଷଙ୍ଗିକ ବିକଳ୍ପରେ ବିନିଯୋଗ କରାଯାଉ। ଏହା କରିବା ଦ୍ବାରା ଷ୍ଟକ୍ ବଜାରରେ ଇପିଏଫ୍ଓର ପ୍ରତ୍ୟକ୍ଷ ପାଣ୍ଠି ବିନିଯୋଗ ବୃଦ୍ଧି ପାଇବ ଏବଂ ଏହା ଶେୟାରରେ ନିବେଶର ୧୫ ପ୍ରତିଶତ ସୀମାକୁ ଛୁଇଁପାରିବ। ପ୍ରଚଳିତ ବ୍ୟବସ୍ଥାରେ ଇପିଏଫ୍ଓ ଏହାର ପ୍ରତି ବର୍ଷର ବର୍ଦ୍ଧିତ ଜମା ଅର୍ଥର ୫ ରୁ ୧୫ ପ୍ରତିଶତ ଅର୍ଥ ଇଟିଏଫ୍ ମାଧ୍ୟମରେ ଇକ୍ୱିଟିରେ ନିବେଶ କରିପାରିବ। ଅବଶିଷ୍ଟ ଅର୍ଥକୁ ଡେବ୍ଟ ସିକ୍ୟୁରିଟିଜ୍‌ରେ ବିନିଯୋଗ କରିବାକୁ ପଡିଥାଏ।

ଇପିଏଫ୍ଓର କହିବା ମୁତାବକ ଜାନୁଆରୀ ୨୦୨୩ର ତଥ୍ୟ ଅନୁଯାୟୀ. ଇପିଏଫ୍ଓର କେବଳ ୧୦ ପ୍ରତିଶତ ଅର୍ଥ ଇକ୍ୱିଟିରେ ବିନିଯୋଗ ହୋଇଛି, ଯେତେବେଳେ କି ସଂଗଠନକୁ ଇକ୍ୱିଟିରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ବିନିଯୋଗ କରିବାକୁ ଅନୁମତି ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ଇପିଏଫ୍ଓ ୨୦୧୫-୧୬ରୁ ଇଟିଏଫ୍ ମାଧ୍ୟମରେ ଇକ୍ୱିଟିରେ ପାଣ୍ଠି ବିନିଯୋଗ ଆରମ୍ଭ କରିଛି। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧,୦୧,୭୧୨.୪୪ କୋଟି ଟଙ୍କା ବିନିଯୋଗ କରିଛି। ୧୧,୦୦,୯୫୩.୫୫ କୋଟିର ମୋଟ ବିନିଯୋଗର ଏହା ୯.୨୪ ପ୍ରତିଶତ। ତଥାପି, ଇପିଏଫ୍ଓ ଏହାର ରିଟର୍ଣ୍ଣକୁ ସର୍ବାଧିକ କରିବ ବୋଲି ଆଶା କରାଯାଉଛି। ଅପରପକ୍ଷେ ଅନେକ ବିଶେଷଜ୍ଞ କହୁଛନ୍ତି ଯେ, ଇପିଏଫ୍ଓର ଏହି ନିଷ୍ପତ୍ତି ସେହି ସମୟରେ ନିଆଯାଇଛି ଯେଉଁ ସମୟରେ ଷ୍ଟକ୍ ବଜାରରେ ଅସ୍ଥିରତା ଜାରି ରହିଛି। ଏହିପରି ଅସ୍ଥିର ବଜାରରେ ଅଧÒକ ଅର୍ଥ ବିନିଯୋଗ ନିଷ୍ପତ୍ତି ବିପଦପୂର୍ଣ୍ଣ ହୋଇପାରେ। ଏହା ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ବିପଦରେ ପକାଇବା ପରି ହେବ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.