ବିଏମ୍‌ସିର ବାୟୋମାଇନିଂ ପ୍ରସ୍ତୁତି ଜୋରଦାର

Jun 19, 2023 - 10:31
 0  832
ବିଏମ୍‌ସିର ବାୟୋମାଇନିଂ ପ୍ରସ୍ତୁତି ଜୋରଦାର

ବାୟୋମାଇନିଂ କିଭଳି ସଫଳ ହେବ ସେଥିପାଇଁ ଗୁରୁତ୍ବ ଦେଇଛି ବିଏମ୍‌ସି । ବିଏମ୍‌ସି ଅଧିକାରୀମାନେ ଭୁଆସୁଣୀ ପରିଦର୍ଶନ କରି ବାୟୋମାଇନିଂ ପ୍ରକ୍ରିୟା ଅନୁଧ୍ୟାନ କରିଛନ୍ତି। ଅଧିକାରୀଙ୍କ ଉପସ୍ଥିତିରେ ଟ୍ରମେଲ୍‌ ମେସିନ୍‌ର ଟ୍ରାଏଲ୍‌ ରନ୍‌ ହୋଇଛି। ଏହି ପରୀକ୍ଷାରେ ମେସିନ୍‌ ସଫଳ ହୋଇଥିବା ବିଏମ୍‌ସି କହିଛି। ଏହା ଛଡ଼ା ଗୋଟିଏ ମେସିନ୍‌ ପାଖରୁ ଅନ୍ୟ ଏକ ମେସିନ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ନେବା ପାଇଁ ଭୂତଳ କେବଲିଂ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଏହି ପ୍ରକ୍ରିୟା ଶେଷ ହେବା ପରେ ବିଦ୍ୟୁତୀକରଣ କାର୍ଯ୍ୟ ଶେଷ ହେବ। ଏହା ପରେ ବାୟୋମାଇନିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଭୁଆସୁଣୀର ପ୍ରାୟ ୬୦ଏକର ଜାଗାରେ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇ ରହିଛି। ବାୟୋମାଇନିଂ ପ୍ରକ୍ରିୟ‌ାରେ ଦିନକୁ ୨ହଜାର ଟନ୍ ଆବର୍ଜନା ପୃଥକୀକରଣ ଓ ପ୍ରକ୍ରିୟାକରଣ ହେବ। ପ୍ରଥମେ ୱିଣ୍ଡ୍ରୋସ୍‌ ପ୍ରକ୍ରିୟାରେ ଜେସିବି ସାହାଯ୍ୟରେ ଆବର୍ଜନାକୁ ତାଡ଼ି ଖୋଲା ପବନ ଓ ଖରା ଦିଆଯିବ। ଏହା ପରେ ଟ୍ରମେଲ୍‌ ମେସିନ୍‌ ସହାୟତାରେ ଆକାର ଅନୁସାରେ ଅର୍ଥାତ୍‌ ୧୦୦, ୩୫, ୧୬ ଓ ୬ମିଲିମିଟର ଆକାରର ଆବର୍ଜନାକୁ ଅଲଗା ଅଲଗା କରିଦିଆଯିବ। ଏହାପରେ ଫାଇନ୍‌ ଆର୍ଥ ଓ ରିଫ୍ୟୁଜ୍‌ଡ୍‌-ଡିରାଇଭ୍‌ ଫୁଏଲ୍‌ (ଆରଡିଏଫ୍‌)ଆଧାରରେ ଏଭଳି ଦୁଇ ଭାଗରେ ଆବର୍ଜନାକୁ ଭାଗ ଭାଗ କରି ଦିଆଯିବ।

ଆରଡିଏଫ୍‌ରେ ପ୍ଲାଷ୍ଟିକ୍‌, କନା, ଅଖା, କାଠ, ଇଟା-ପଥର-କଂକ୍ରିଟ୍‌ ପ୍ରଭୃତି ଜିନିଷ ରହିବ। ଏହାକୁ ପରିଚାଳନା କରାଯିବା ପରେ ସେଗୁଡ଼ିକୁ ସିମେଣ୍ଟ ଫ୍ୟାକ୍ଟ୍ରି ଓ ଥର୍ମାଲ ପ୍ଲାଣ୍ଟକୁ ଯିବ। ଖାଲୁଆ ଜାଗା ସମତଳ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ। ବାକି ୬ମିଲିମିଟର ଆକାରର ଯେଉଁ ଆବର୍ଜନା ବାହାରିବ, ତାହା ଫାଇନ୍‌ ଆର୍ଥ। ଏଥିରେ ରସାୟନିକ ପଦାର୍ଥ ମିଶାଯାଇ କମ୍ପୋଷ୍ଟ କରାଯିବ, ଯାହା ଏହି ପ୍ରକଳ୍ପର ଶେଷ ଉତ୍ପାଦ ହେବ। ଏହା ପରେ ଏହି ଜାଗାର ମୂଳ ଅବସ୍ଥା ଫେରି ଆସିବ। ଏଠାରେ ପାର୍କ କରାଯାଇ ଜାଗାକୁ ଆକର୍ଷଣୀୟ କରାଯିବ।

ତେବେ ବର୍ଷା ହେଲେ ଏହି ସବୁ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଚଳିତ ମାସରେ ହିଁ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଏଣୁ ଲଗାତାର ବର୍ଷା ହେବ। ଏଣୁ ପ୍ରାୟ ନଭେମ୍ବର ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତିନିବର୍ଷ ମଧ୍ୟରେ ଏହାକୁ ସାରିବାକୁ ସ୍ଥିର କରାଯାଇଛି। ବର୍ଷା ପୂର୍ବରୁ ଏହା ଆରମ୍ଭ ହୋଇ ନଥିବାରୁ ଏହି ଡେଡ୍‌ଲାଇନ୍‌ ପ୍ରଭାବିତ ହେବ ବୋଲି କୁହାଯାଉଛି। ଅନ୍ୟପଟେ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇ ରହିଥିଲା। କିନ୍ତୁ କ୍ରମାଗତ ଭାବରେ ଏଠାକୁ ଆବର୍ଜନା ବୁହା ହେଉଥିଲା। ଏଣୁ ପରିମାଣ ମଧ୍ୟ ବଢ଼ି ଯାଇଛି। ଏହା ମଧ୍ୟ ବିଳମ୍ବ ହେବାର ଅନ୍ୟତମ କାରଣ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.