ପ୍ରତ୍ୟକ୍ଷ ଛାତ୍ରସଂସଦ ନିର୍ବାଚନ ଦାବି କଲା ଏଆଇଡିଏସ୍‌ଓ

Sep 14, 2023 - 13:01
 0  7
ପ୍ରତ୍ୟକ୍ଷ ଛାତ୍ରସଂସଦ ନିର୍ବାଚନ ଦାବି କଲା ଏଆଇଡିଏସ୍‌ଓ

ସାରା ରାଜ୍ୟରେ ଶିକ୍ଷାମାରଣ ନୀତିକୁ ବିନା ବାଧାରେ ଲାଗୁ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ୫ବର୍ଷ ଧରି ବିଭିନ୍ନ ଆଳରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି । ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର ଆକାଡେମିକ କ୍ୟଲେଣ୍ଡର ପ୍ରକାଶ କରିଛନ୍ତି । ମାତ୍ର ସେଥିରେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ଉଲ୍ଲେଖ କରାଯାଇନାହିଁ । ଏଆଇଡିଏସ୍‌ଓ(ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟ୍‌ସ ଅର୍ଗାନାଇଜେସନ୍‌)ର ରାଜ୍ୟ ସଭାପତି ସୋମନାଥ ବେହେରା ଓ ସଂପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି; ନିର୍ବାଚିତ ଛାତ୍ରସଂସଦ ଗଠନ କରିବା ଛାତ୍ରଛାତ୍ରୀମାନଙ୍କର ଏକ ସଂଗ୍ରାମଲବଧ ଅଧିକାର। ନବଜାଗରଣ ଯୁଗର ମନୀଷୀ ତଥା ଆମ ଦେଶର ସ୍ୱାଧୀନତା ସଂଗ୍ରାମର ବରେଣ୍ୟ ନେତାମାନେ ଗଣତାନ୍ତ୍ରିକ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗଭାବେ ଛାତ୍ର ଓ ଶିକ୍ଷକମାନଙ୍କର ଗଣତାନ୍ତ୍ରିକ ଅଧିକାର ଦାବି ଉତ୍‌ଥାପିତ କରିଥିଲେ। ସର୍ବପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୩୮ ମସିହା ଅକ୍ଟୋବର ୩୧ ତାରିଖ ଦିନ ଶିଲଂଠାରେ ତାଙ୍କର ଏକ ଐତିହାସିକ ଭାଷଣରେ ଛାତ୍ରଛାତ୍ରୀମାନଙ୍କର ନିଜସ୍ୱ ସଂଗଠନ ‘ନିର୍ବାଚିତ ଛାତ୍ରସଂସଦ’ର ଦାବି ଉପସ୍ଥାପନ କରିଥିଲେ। ସମସ୍ତ ପ୍ରକାର ଅନ୍ୟାୟ ତଥା ଶିକ୍ଷା କର୍ତ୍ତୃପକ୍ଷଙ୍କ ଅବିଚାର ବିରୁଦ୍ଧରେ ଲଢିବା ପାଇଁ ଛାତ୍ରଛାତ୍ରୀମାନଙ୍କର ନିଜସ୍ୱ ଅସ୍ତ୍ର ଭାବେ ଛାତ୍ରସଂସଦ ଗଠନର ଦାବି ସେଦିନ ଉଠିଥିଲା। କିନ୍ତୁ ଆଜି ସ୍ୱାଧୀନ ଭାରତରେ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଆବଶ୍ୟକୀୟ ଅଧ୍ୟାପକ ଅଭାବ, ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ଅନିୟମିତତା, ଲାଇବ୍ରେରୀ-ଲାବ୍ରୋଟରୀର ଅବ୍ୟବସ୍ଥା, ଭିତ୍ତିଭୂମିର ଅଭାବ, ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାଂପ୍ରଦାୟିକରଣ ତଥା ଜାତୀୟ ଶିକ୍ଷାନୀତି ୨୦୨୦ ଭଳି ଶିକ୍ଷାମାରଣ ନୀତି ବିରୁଦ୍ଧରେ ଗଢି ଉଠୁଥିବା ଛାତ୍ର ଆନ୍ଦୋଳନ ତଥା ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ଖର୍ବ କରିବାକୁ ସରକାର ଦୀର୍ଘଦିନ ଧରି ଷଡଯନ୍ତ୍ର କରିଆସୁଛନ୍ତି । ଆନ୍ଦୋଳନ ଦମନ କରିବା ପାଇଁ ସରକାର ବିଭିନ୍ନ କୁତ୍ସିତ ପନ୍ଥା ମଧ୍ୟ ଅବଲମ୍ବନ କରୁଛନ୍ତି । ପ୍ରଥମେ ସରକାରଙ୍କର ଗୋଡାଣିଆ ଛାତ୍ରନେତା ତିଆରି କରିବା ପାଇଁ ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗଡୋ କମିଶନ ମାଧ୍ୟମରେ ବିଭିନ୍ନ କଟକଣା ଲାଗୁ କରାଗଲା । ଗତ ୫ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନରେ ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ କୁଯୁକ୍ତି ଆଳରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି । ଅର୍ଥାତ୍ ବିନାବାଧାରେ ଶିକ୍ଷାମାରଣ ନୀତି ଲାଗୁ କରିବା, ସରକାରଙ୍କ ସ୍ୱୈରାଚାରୀ ଶାସନ ଓ ଶିକ୍ଷାମାରଣ ନୀତି ବିରୁଦ୍ଧରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସମ୍ଭାବନାକୁ ଅଙ୍କୁରେ ବିନାଶ କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହାର ପ୍ରତିବାଦରେ ତଥା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପୂର୍ବଭଳି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଏଆଇଡିଏସ୍‌ଓ ପକ୍ଷରୁ ଆସନ୍ତା ୧୫ ସେପ୍ଟେମ୍ବର ରାଜ୍ୟର ବିଭିନ୍ନ ସ୍ଥାନରେ ସାରା ଓଡିଶା ପ୍ରତିବାଦ ଦିବସ କରିବାକୁ ରାଜ୍ୟର ଛାତ୍ର-ଛାତ୍ରୀମାନଙ୍କୁ ଆହ୍ୱାନ ଦିଆଯାଇଛି । ଛାତ୍ର ସଂସଦ ନିର୍ବାଚନ ଦାବିରେ ଏହି ସାରା ଓଡିଶା ପ୍ରତିବାଦ ଦିବସକୁ ସଫଳ କରିବାକୁ ରାଜ୍ୟର ସର୍ବସ୍ତରର ଗଣତନ୍ତ୍ର ପ୍ରେମୀ ଜନସାଧାରଣ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ଏଆଇଡିଏସଓ ପକ୍ଷରୁ ଆବେଦନ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.