ଗୋଲ୍ଡବଣ୍ଡ ଜାରି କରିବ କେନ୍ଦ୍ର, ନିବେଶକାରୀଙ୍କ ମହଲରେ ଉତ୍ସାହ

Jun 19, 2023 - 09:59
 0  611
ଗୋଲ୍ଡବଣ୍ଡ ଜାରି କରିବ କେନ୍ଦ୍ର, ନିବେଶକାରୀଙ୍କ ମହଲରେ ଉତ୍ସାହ
ଗୋଲ୍ଡବଣ୍ଡ ଜାରି କରିବ କେନ୍ଦ୍ର, ନିବେଶକାରୀଙ୍କ ମହଲରେ ଉତ୍ସାହ

ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ସିରିଜ୍‌ରେ ଗୋଲ୍ଡବଣ୍ଡ ଇସ୍ୟୁ ହେବାକୁ ଯାଉଛି। ୨୦୨୩-୨୪ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ବଣ୍ଡ ଜାରି କରାଯିବ। ପ୍ରଥମ ପର୍ଯ୍ୟାୟ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହା ୨୩ ତାରିଖରେ ଶେଷ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ବଣ୍ଡ ଇସ୍ୟୁ ସେପ୍ଟମ୍ବର ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ବର୍ଷ ପାଇଁ ପ୍ରତି ଗ୍ରାମ ସୁନା ମୂଲ୍ୟ ପିଛା ୫୯୨୬ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଥାତ୍‌ ନିବେଶକାରୀମାନେ ପ୍ରତି ଗ୍ରାମ ସୁନା ମୂଲ୍ୟ ହାରରେ ନିବେଶ କରିପାରିବେ। ଦିନକୁ ଦିନ ଗୋଲ୍ଡବଣ୍ଡ ପାଇଁ ନିବେଶକାରୀଙ୍କ ଆଗ୍ରହ ବୃଦ୍ଧି ପାଉଥିଲା ବେଳେ ଚଳିତ ବର୍ଷ ମଧ୍ୟ ଏହି ସୂତ୍ରରୁ କେନ୍ଦ୍ର ସରକାର ଅଧିକ ପରିମାଣର ଅର୍ଥ ସଂଗ୍ରହ କରିପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଶାବ୍ୟକ୍ତ କରିଛି।

ବିଶେଷକରି ଗୋଲ୍ଡବଣ୍ଡ ନିବେଶରେ ଗ୍ରାହକମାନଙ୍କୁ କୌଣସି କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁ ନଥିବା ଏବଂ ନିର୍ଦ୍ଦିଷ୍ଟ ଅବଧିରେ ଅଧିକ ଲାଭ ମିଳୁଥିବା ଯୋଗୁଁ ଏହି ଯୋଜନାକୁ ନେଇ ନିବେଶକାରୀଙ୍କ ମହଲରେ ଉତ୍ସାହ ରହିଛି। ୨୦୧୫ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୩୦ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରାଯାଇପାରିଛି।କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ‘ସୋଭରିନ ଗୋଲ୍ଡବଣ୍ଡ(ଏସଜିବି) ଏକ ନିବେଶକାରୀ ଯୋଜନା। ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ବେଳେ ଏହା ମାଧ୍ୟମରେ ଯେ କେହି ନିବେଶ କରି ପାରିବେ। ପ୍ରତି ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏନେଇ ଘୋଷଣା କରାଯିବା ସହିତ ନିର୍ଦ୍ଦିଷ୍ଟ ଅବଧିରେ ନିବେଶକାରୀଙ୍କୁ ବଣ୍ଡ କ୍ରୟ କରିବାକୁ ସୁଯୋଗ ଦିଆଯାଇଥାଏ। ଏହି ବଣ୍ଡ ଇସ୍ୟୁ କରାଯିବା ପୂର୍ବରୁ ସେହି ସମୟରେ ଏକ ଗ୍ରାମ ୨୪ କ୍ୟାରାଟ୍‌ ସୁନା ମୂଲ୍ୟ ଯାହା ଥାଏ ତାହାକୁ ଆଧାର କରି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ନିବେଶର ଏକକ ମୂଲ୍ୟ (ୟୁନିଟ୍‌ ପ୍ରାଇସ୍‌) ନିର୍ଦ୍ଧାରଣ କରିଥାଆନ୍ତି।

ଚଳିତ ବର୍ଷ ଏହି ମୂଲ୍ୟ ୫୯୨୬ ଟଙ୍କା ରହିଛି। ଅର୍ଥାତ୍‌ ଜଣେ ନିବେଶକାରୀ ଯଦି ୧୦ ୟୁନିଟ୍‌ ନିବେଶ କରନ୍ତି ତେବେ ତାଙ୍କୁ ୫୯ ହଜାର ୨୬୦ ଟଙ୍କା ନିବେଶ କରିବାକୁ ପଡ଼ିବ। ଏହି ଯୋଜନାର ନିବେଶ ଅବଧି (ଲକ୍‌-ଇନ-ପରିୟଡ) ୫ ବର୍ଷ ରହିଥିଲା ବେଳେ ସେହି ସମୟରେ ୨୪ କ୍ୟାରାଟ୍‌ ଏକ ଗ୍ରାମ ସୁନା ମୂଲ୍ୟ ଯାହା ରହିଥିବ ସେହି ଅନୁସାରେ କେନ୍ଦ୍ର ସରକାର ଜଣେ ନିବେଶକାରୀଙ୍କୁ ଅର୍ଥ ଫେରସ୍ତ କରିବେ। ଏହାବ୍ୟତୀତ ନିବେଶକାରୀଙ୍କୁ ପ୍ରତିବର୍ଷ ୨.୫ ପ୍ରତିଶତ ହାରରେ ଅତିରିକ୍ତ ସୁଧ ମଧ୍ୟ ମିଳିବ। ଜଣେ ଗ୍ରାହକ ଚାହିଁଲେ ଲକ୍‌ ଇନ ପିରିୟଡ ପୂର୍ବରୁ ଅର୍ଥ ଉଠାଣ କରିପାରିବେ। କିନ୍ତୁ ସେ କ୍ଷେତ୍ରରେ ତାଙ୍କୁ ଅତିରିକ୍ତ ସୁଧ ମିଳିବ ନାହିଁ। ସବୁଠାରୁ ବଡ଼ କଥା ହେଲା ବଣ୍ଡ ମାଚ୍ୟୁରିଟି ପରେ ନିବେଶକାରୀଙ୍କୁ ଯେଉଁ ଅର୍ଥ ମିଳିବ ତାହା ଟିକସ ମୁକ୍ତ(କ୍ୟାପିଟାଲ ଟ୍ୟାକ୍ସ ଗେନ୍‌) ରହିବ।

କେମିତି କିଣିବେ ବଣ୍ଡ୍‌

ସାଧାରଣତଃ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାଧ୍ୟମରେ ଏହି ବଣ୍ଡ ବିକ୍ରି କରାଯାଇଥାଏ। କୌଣସି ନିବେଶକାରୀ ଯେତିକି ପରିମାଣର ଅର୍ଥ ନିବେଶ କରିବାକୁ ଚାହୁଁଥିବେ ସେ ସଂପୃକ୍ତ ବ୍ୟାଙ୍କରେ ଆବଶ୍ୟକ ଫର୍ମ ପୂରଣ କରି ଅର୍ଥ ଜମା କରିପାରିବେ। ସେହିପରି ଡାକଘରେ ମଧ୍ୟ ଏହି ଯୋଜନାରେ ନିବେଶ କରିହେବ। ଏହାବ୍ୟତୀତ ଷ୍ଟକ୍‌ ହୋଲ୍ଡିଂ କର୍ପୋରେସନ ଅଫ୍‌ ଇଣ୍ଡିଆ ମାଧ୍ୟମରେ ବି ନିବେଶ କରାଯାଇପାରିବ। ଜଣେ ଗ୍ରାହକ ‘ଡିମାଟ୍‌’ ଆକାଉଣ୍ଟ ଖୋଲି ଏହି ବଣ୍ଡରେ ନିବେଶ କରିପାରିବେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.