ପରିବା ଦର ଆକାଶଛୁଆଁ: ଶହେ ପାଖା ପାଖି ସବୁ ପରିବା

Jul 5, 2023 - 14:15
 0  5
ପରିବା ଦର ଆକାଶଛୁଆଁ: ଶହେ ପାଖା ପାଖି ସବୁ ପରିବା

କିଛିଦିନ ଧରି ପନିପରିବା ଦରବୃଦ୍ଧି କେବଳ ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଲୋକଙ୍କୁ ବାଧୁଥିବା ବେଳେ ଏବେ ଅହେତୁକ ଦରଦାମ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିବା ହାଟଗୁଡ଼ିକରେ କେତେକ ପରିବା ଦର ଶହେ ପାଖାପାଖି ଓ ଅଳ୍ପ କେତେକ ପରିବା ଦର ଶହେ ଉପରେ ରହିଛି ତେବେ ବାହାର ଖୁଚୁରା ଦୋକାନରେ ଅଧିକାଂଶ ପରିବା ଦର କିଲୋପ୍ରତି ଦର ଶହେ ଟଙ୍କା ପାର୍‌‌ କରିଛି। ବିଶେଷକରି ଆଳୁ, ପିଆଜକୁ ଛାଡ଼ିଲେ ଅଧିକାଂଶ ପରିବା ଦର ତିନି ଅଙ୍କ ଛୁଇଁଲାଣି। ଫଳରେ ରାଜଧାନୀର ସବୁ ବର୍ଗର ଲୋକେ ଦରଦାମରେ ଅତିଷ୍ଠ ହୋଇପଡ଼ିଲେଣି। ଏଭଳି ସ୍ଥିତି ଅତିକମ୍‌‌ରେ ଆଉ ଏକମାସ ପର୍ଯ୍ୟନ୍ତ ଜାରିରହିବ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି।

ଗତ ଦୁଇ ସପ୍ତାହ ତଳେ ରାଜଧାନୀର ବିଭିନ୍ନ ପରିବା ହାଟରେ ଭେଣ୍ଡି ଦର କିଲୋପ୍ରତି ୫୦ରୁ ୬୦ ଟଙ୍କା ଥିବା ବେଳେ ଏବେ ଏହା ତିନି ଅଙ୍କ ପାର୍‌‌ କରି ଶହେରେ ପହଞ୍ଚିଛି। ସେହିଭଳି ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ଜହ୍ନି ଏବେ ଶହେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ ଏବେ ୧୨୦ରେ ପହଞ୍ଚିଛି। ଦୁଇ ସପ୍ତାହ ତଳେ ରାଜଧାନୀର ବିଭିନ୍ନ ହାଟରେ ଟମାଟୋ ଦର ୫୦ରୁ ୬୦ ଟଙ୍କା ମଧ୍ୟରେ ସୀମିତ ରହିଥିଲା। ତେବେ ଗତ ସପ୍ତାହରେ ପରିବାର ଦର ଶହେ ଟଙ୍କା ପାର୍‌‌ କରିଥିବା ବେଳେ ହଠାତ୍‌‌ ୧୫ରୁ ୨୦ ଟଙ୍କା କମି ୭୫ରୁ ୮୦ ଟଙ୍କାରେ ବିକ୍ରି ହୋଇଥିଲା। ଏବେ ପୁଣିଥରେ ଟମାଟୋ ଦର ବୃଦ୍ଧି ପାଇଛି। ସେହିଭଳି ଝୁଡ଼ଙ୍ଗ ୪୦ରୁ ୪୫ ଟଙ୍କା ରହିଥିବା ବେଳେ ୧୫ ଦିନ ଭିତରେ ଏହାର ଦର ଶହେ ଟପିଛି।
ଦୈନନ୍ଦିନ ଖାଇବାକୁ ଅଧିକ ରୋଚକପୂର୍ଣ୍ଣ କରୁଥିବା କଞ୍ଚା ଲଙ୍କା ଦର ସର୍ବାଧିକ ରହିଛି। ମଙ୍ଗଳବାର ପରିବା ହାଟରେ କଞ୍ଚାଲଙ୍କା ଦର କିଲୋପ୍ରତି ୩ ଶହ ଟଙ୍କାରେ ବିକ୍ରି ହୋଇଥିଲା। ଫଳରେ ଅନେକ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବେ କଞ୍ଚା ଲଙ୍କା ବଦଳରେ ଶୁଖିଲା ଲଙ୍କାରେ କାମ ଚଳାଉଛନ୍ତି। ସେହିଭଳି ମଙ୍ଗଳବାର ରାଜଧାନୀର ବିଭିନ୍ନ ପରିବା ହାଟରେ ଅଦା କିଲୋପ୍ରତି ଦର ୩ ଶହ ଟଙ୍କା ପାର୍‌‌ କରିଥିବା ବେଳେ ରସୁଣ ଦର ୧୬୦ ରହିଥିଲା। ବାଇଗଣ ଶହେ ରୁ ଊର୍ଦ୍ଧ୍ବ ଦାମ୍‌‌ରେ ବିକ୍ରି ହେଉଥିବା ବେଳେ କଲରା କେଜି ୧୧୦ ଟଙ୍କାରେ ବିକ୍ରି ହେଉଥିଲା। ଅପରପକ୍ଷେ ସବୁଜ ପନିପରିବା ଦରବୃଦ୍ଧି ଦୃଷ୍ଟିରୁ ଲୋକେ ଭାତ ସାଙ୍ଗକୁ ଆଳୁ ପିଆଜକୁ ଖାଉଥିଲେ। କିନ୍ତୁ ଗତ ୧୫ ଦିନ ତଳେ ଆଳୁ ପିଆଜ ଦର ବି ୩୦ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ଦୁଇ ସପ୍ତାହ ତଳେ ଆଳୁଦର ୧୩/୧୪ ଟଙ୍କାରେ ବିକ୍ରି ହେଉଥିବା ଏବେ ୨୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ପିଆଜ ଦାମ ମଧ୍ୟ ଦୁଇଗୁଣ ବୃଦ୍ଧି ପାଇଁ ୩୦ ଟଙ୍କାରେ ପହଞ୍ଚିଛି। ଗତ ଦୁଇ ସପ୍ତାହ ତଳେ ଗୋଦାମରେ ପିଆଜ ଦର ୧୨ରୁ ୧୪ ଟଙ୍କା ଥିବା ବେଳେ ଏବେ ପିଆଜର ଗୋଦାମ ଦର ୧୮ରୁ ୧୯ ଟଙ୍କା ରହିଛି। ତେବେ ଖୁଚୁରା ବ୍ୟବସାୟୀମାନେ ଏବେ ପିଆଜ କିଲୋପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିଭଳି ଆଳୁ ଦର ଏବେ ଗୋଦାମରେ ୧୫ ଟଙ୍କା ଥିବା ବେଳେ ବାହାରେ ୨୦ ଟଙ୍କାରେ ବିକ୍ରି ହେଉଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.