ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି କ୍ଷେତ୍ରରେ ଆସିବ ସଂସ୍କାର

Jul 3, 2023 - 14:30
 0  4
ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି କ୍ଷେତ୍ରରେ ଆସିବ ସଂସ୍କାର

ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି କ୍ଷେତ୍ରରେ ଆସିବ ସଂସ୍କାର। ଏଣିକି ଗୋଟିଏ ପୋର୍ଟାଲରେ ସମସ୍ତ ମେଧାବୃତ୍ତି ପରିଚାଳିତ ହେବ। ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନଭିନ୍ନ ମେଧାବୃତ୍ତି ପ୍ରଦାନ କରାଯାଉଥିବାବେଳେ ଏଥିରେ ଅସୁବିଧା ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଏକକ ମେଧାବୃତ୍ତି ପୋର୍ଟାଲ ବିକଶିତ କରାଯାଉଛି। ଏନେଇ ଆସନ୍ତା ୭ ତାରିଖରେ ଉନ୍ନୟନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ସଞ୍ଚାଳନ (ଷ୍ଟିୟରିଂ) କମିଟି ବୈଠକ ବସିବ। ବୈଠକରେ ଏହି ପୋର୍ଟାଲ ବିଷୟରେ ଆଲୋଚନା କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ, ଶ୍ରମ ଏବଂ ଇଏସଆଇ, ଏସଟି ଓ ଏସସି, ବିଦ୍ୟାଳୟ ଓ ଗଣଶିକ୍ଷା, କୃଷି ଏବଂ କୃଷକ ସଶକ୍ତୀକରଣ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ବିଜ୍ଞାନ ଏବଂ କାରିଗରୀ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ/ପ୍ରମୁଖ ସଚିବଙ୍କ ସମେତ ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖାଯାଇଛି। ଏହି ବୈଠକ ଯୋଜନା ଏବଂ ସଂଯୋଜନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।
ବୈଠକରେ ମୁଖ୍ୟତଃ ଏକକ ମେଧାବୃତ୍ତି ପୋର୍ଟାଲ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ। ଉଚ୍ଚଶିକ୍ଷା ବିଭାଗ ଉପଦେଷ୍ଟା (ମେଧାବୃତ୍ତି ସ୍କିମ୍)ଙ୍କ ଦ୍ବାରା ଦାଖଲ ହୋଇଥିବା ସୁପାରିସଗୁଡ଼ିକ ଉପରେ ଚର୍ଚ୍ଚା କରାଯିବ। ଏହାସହ ରାଜ୍ୟ ସ୍କଲାରସିପ୍ ସ୍କିମରେ କିପରି ସର୍ବାଧିକ ଲକ୍ଷ୍ୟ ହାସଲ କରିହେବ, ସେ ସମ୍ପର୍କରେ ମଧ୍ୟ ବୈଠକରେ ଗୁରୁତ୍ବ ଦିଆଯିବ। ମେଧାବୃତ୍ତି କାର୍ଯ୍ୟକ୍ରମ କାର୍ଯ୍ୟକାରିତାରେ ବିଭିନ୍ନ ବିଭାଗ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ବିଚାରବିମର୍ଶ ହେବ। ଛାତ୍ରଛାତ୍ରୀ ସେମାନଙ୍କ ଯୋଗ୍ୟତା ଅନୁସାରେ ଶ୍ରେଷ୍ଠ ସ୍କିମ୍ ମନୋନୟନ ପାଇଁ ସେମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ଏ ବିଷୟ ମଧ୍ୟ ବୈଠକର କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା ପାଇଁ ଓକାକର ଆବଶ୍ୟକ ସଫ୍ଟୱେର ସହାୟତା, କାଳିଆ ମେଧାବୃତ୍ତି ଆଦି ସମ୍ପର୍କରେ ଷ୍ଟିୟରିଂ କମିଟି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.