ରାଜ୍ୟ ଗ୍ରନ୍ଥାଗାରରେ ପାଠକ ମାନଙ୍କୁ ମାର୍ଗ ଦର୍ଶନ କାର୍ଯ୍ୟକ୍ରମ

Aug 6, 2023 - 20:09
 0  7
ରାଜ୍ୟ ଗ୍ରନ୍ଥାଗାରରେ ପାଠକ ମାନଙ୍କୁ ମାର୍ଗ ଦର୍ଶନ କାର୍ଯ୍ୟକ୍ରମ
ରାଜ୍ୟ ଗ୍ରନ୍ଥାଗାରରେ ପାଠକ ମାନଙ୍କୁ ମାର୍ଗ ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଅଗଷ୍ଟ ୬: ରାଜ୍ୟର ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ମୂଳକ ସେବା ପରୀକ୍ଷାରେ ସଫଳ ହେବା ନିମନ୍ତେ ଆଜି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ମାର୍ଗଦର୍ଶନ ନିମନ୍ତେ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା ଶୁଭାରମ୍ଭ ହୋଇଅଛି।

ନିଜ ବକ୍ତବ୍ୟରେ ଶ୍ରୀ ସାହୁ ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସେମାନେ ପରୀକ୍ଷା ପ୍ରଶ୍ନପତ୍ରର ଉତ୍ତର ପ୍ରଦାନ କଲାବେଳେ କରୁଥିବା ତ୍ରୁଟିର ଅବତାରଣା କରି ସେମାନେ କିଭଳି ପରୀକ୍ଷା ବ୍ୟବସ୍ଥାରେ ସଠିକ ଉତ୍ତର ପ୍ରଦାନ କରିବେ ଉଦାହରଣ ସହିତ ବୁଝାଇଥିଲେ।

ପ୍ରତ୍ୟେକ ବିଦ୍ୟାର୍ଥୀ ଶୃଙ୍ଖଳିତ ଜୀବନ ଯାପନ କରି ଗୁରୁଜନ ଓ ସମାଜ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଈଶ୍ୱର ବିଶ୍ୱାସୀ ହୋଇ ନିଷ୍ଠାର ସହିତ ବିଭିନ୍ନ ପାଠ୍ୟପୁସ୍ତକ ପଠନ କରିବା ସଙ୍ଗେ ସଙ୍ଗେ ଖବରକାଗଜ ନିରନ୍ତର ପଠନ କରିବା ଆବଶ୍ୟକ । ବିଦ୍ୟାର୍ଥୀ ଜୀବନକୁ ଏକ ତପସ୍ୱୀର ଜୀବନ ଭାବେ ବିବେଚନା କରି ସାମାଜିକ ଗଣମାଧ୍ୟମ, ଅନଲାଇନ ଖେଳ, ବିଳାସ ବ୍ୟସନରୁ ଦୂରେଇ ରହି ସୁସ୍ଥ ମାନସିକତାରେ ଅଧ୍ୟୟନ କରିବା ଆବଶ୍ୟକ।

ଏହି ସମୟରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନିଦ୍ରା ହେବା ଅପେକ୍ଷା ଶୀଘ୍ର ନିଦ୍ରା ଯାଇ ପ୍ରତ୍ୟୁଷରେ ଅଧ୍ୟୟନ କରିବା ଆବଶ୍ୟକ । ବିଭିନ୍ନ ପୁସ୍ତକ,ଖବରକାଗଜ ସହିତ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ଥିବା ପତ୍ରିକା ଓ ପୁସ୍ତକ ପଢ଼ାପଢ଼ି କରିବା ସହିତ ନୋଟ ପ୍ରସ୍ତୁତ କରି ପରସ୍ପର ମଧ୍ୟରେ ଏ ସଂକ୍ରାନ୍ତରେ ଆଲୋଚନା କଲେ ସେମାନଙ୍କ ମେଧାଶକ୍ତି ବୃଦ୍ଧି ହୋଇ ପାରିବ।

ପରୀକ୍ଷା ଦେବା ସମୟରେ ନିଜେ ଅନୁଭବ କରୁଥିବା ସଠିକ ପ୍ରଶ୍ନର ଉତ୍ତର ପ୍ରଦାନ କରି ଏହାପରେ ସଂଶୟ ଥିବା ପ୍ରଶ୍ନର ସଠିକ ଉତ୍ତର ଦେବାକୁ ଚେଷ୍ଟା କରିବେ ।ବିଫଳତାରେ ହତାଶ ନହୋଇ ଦୃଢ଼ ମନୋବଳ ନେଇ ଆଗାମୀ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । 

ଏହି ସମୟରେ ବିଭିନ୍ନ ପରୀକ୍ଷାରେ ସଫଳ ହୋଇଥିବା ପରୀକ୍ଷାର୍ଥୀଙ୍କ ସଫଳତାର ରହସ୍ୟକୁ ଅନୁଶୀଳନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ନିଜ ବକ୍ତବ୍ୟରେ ବିଦ୍ୟାର୍ଥିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାକ୍ଷିକ ମାର୍ଗଦର୍ଶନ ବିଭିନ୍ନ ପ୍ରଶାସକ,ଅଧ୍ୟାପକ ଓ ବିଶେଷଜ୍ଞ ମାନଙ୍କ ଦ୍ୱାରା ପ୍ରଦାନ କରାଯିବ।

ପରବର୍ତୀ ଅବସ୍ଥାରେ ଏହି ମାର୍ଗଦର୍ଶନ କାର୍ଯ୍ୟକ୍ରମ ବିଭାଗ ଅଧିନସ୍ଥ ବିଭିନ୍ନ ଗ୍ରନ୍ଥାଗାରରେ ଆୟୋଜନ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ ଗ୍ରନ୍ଥାଗାରିକଙ୍କ ସହିତ ପାଠକମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପରିବାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡା,ସଂସ୍କୃତି ଉପ ନିର୍ଦେଶକ ଦେବାନନ୍ଦ ବରିହା ଉପସ୍ଥିତ ଥିଲେ।

ଏହି ମାର୍ଗଦର୍ଶନ କାର୍ଯ୍ୟକ୍ରମଦ୍ୱାରା ଆଗାମୀ ଦିନରେ ପାଠକମାନେ ଅଧିକ ସଂଖ୍ୟାରେ ସଫଳ ହୋଇପାରିବେ ବୋଲି ପାଠକମାନଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି ।

What's Your Reaction?

like

dislike

love

funny

angry

sad

wow