୪୨ ତମ ପ୍ରତିଷ୍ଠା ଦିବସ: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସହଯୋଗ ଜାରି ରଖିବାକୁ ନାବାର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

Jul 13, 2023 - 07:11
 0  16
୪୨ ତମ ପ୍ରତିଷ୍ଠା ଦିବସ: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସହଯୋଗ ଜାରି ରଖିବାକୁ ନାବାର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
୪୨ ତମ ପ୍ରତିଷ୍ଠା ଦିବସ: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସହଯୋଗ ଜାରି ରଖିବାକୁ ନାବାର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର, ଜୁଲାଇ ୧୩: ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ଓଡ଼ିଶାର ବିକାଶ ସହ ଦୀର୍ଘ ବର୍ଷ ଧରି ଜଡିତ ହୋଇରହିଛି । ସଂପ୍ରତି ଜଳବାୟୁ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ହୋଇଥିବା ବେଳେ ରାଜ୍ୟ ସରକାର ଭିତ୍ତିଭୂମି ସୁଦୃଢୀକରଣ ଠାରୁ ଆରମ୍ଭ କରି ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆଦି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନାବାର୍ଡ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସହାୟତା ପ୍ରଦାନ କରାଯାଉଛି ଓ ଏହା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱରସ୍ଥିତ ‘ହୋଟେଲ ମେ ଫେୟାର’ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ନାବାର୍ଡର ୪୨ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ପାଇବା ସଂଗେ ସଂଗେ ଜୀବନଯାପନର ଧାରା ବଦଳିଛି ।

ରାଜ୍ୟରେ ଜଳସେଚନ କ୍ଷମତା ବୃଦ୍ଧି, ଫସଲ ବିବିଧିକରଣ, ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ବ୍ୟବସ୍ଥା ଆଦି କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । 

ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ତରଫରୁ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଆଂଚଳିକ ନିର୍ଦ୍ଦେଶକ ଡଃ ଶାରଦା ପ୍ରାସାଦ ମହାନ୍ତି, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ୱରର ମୁଖ୍ୟ ପରିଚାଳକ ଚନ୍ଦ୍ରଶେଖର ଶର୍ମା, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଗୌତମ ପାତ୍ର ପ୍ରମୁଖ ଯୋଗଦେଇ ୪୨ ତମ ପ୍ରତିଷ୍ଠା ଦିବସ ଅବସରରେ ନାବାର୍ଡର ସମସ୍ତ କର୍ମକର୍ତ୍ତା ଓ ବ୍ୟାଙ୍କ ସହିତ ଜଡିତ ବିଭିନ୍ନ ସରକାରୀ ଓ ଅନ୍ୟ ସହଭାଗୀ ଅନୁ‌ଷ୍ଠାନର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇ ବକ୍ତବ୍ୟ ରଖିଥିଲେ।  

କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଗର୍ଗ କହିଥିଲେ ଯେ, ନାବାର୍ଡ ସହାୟତାରେ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଉପଯୋଗ କରିବାରେ ଜଳ ସଂପଦ ବିଭାଗ ଏକ ପ୍ରମୁଖ ଅଂଶୀଦାର ଭାବେ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ସେତୁ ନିର୍ମାଣ ଆଦି କାର୍ଯ୍ୟ କରିଆସୁଛି । ଭୌଗୋଳିକ ସୀମା ଆଧାରରେ ବିଭିନ୍ନ କ୍ଷେତ୍ରରେ ଅଦ୍ୟାବଧି ପହଞ୍ଚି ପାରିନଥିବା କ୍ଷେତ୍ର, ବିକାଶରେ ସାମିଲ କରାଯାଇ ପାରିନଥିବା ବିଭିନ୍ନ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଅନ୍ତର୍ଭୁକ୍ତି ଏବଂ ନାବାର୍ଡ ଦ୍ୱାରା ହିତାଧିକାରୀମାନେ କିପରି ଅଧିକ ସହଜରେ ଶୀଘ୍ର ସହାୟତା ପାଇବା ସଂଗେ ସଂଗେ ଉପକୃତ ହେବେ, ‌ ସେ ସଂପର୍କରେ ଗର୍ଗ ପରାମର୍ଶ ଦେଇଥିଲେ ।

ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍‌ ନାବାର୍ଡ ଦ୍ୱାରା କିପରି ମିଶନ ଶକ୍ତି ମହିଳାମାନେ ଉପକୃତ ହେଉଛନ୍ତି, ସେ ସଂପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । 

ଜୁଲାଇ ୧୨, ୧୯୮୨ ମସିହାରେ ସଂସଦର ଏକ ଆଇନ୍ ଦ୍ୱାରା ନାବାର୍ଡ ପ୍ରତିଷ୍ଠା ଲାଭ କରିଥିଲା । ଭାଗିଦାରୀ ଆର୍ଥିକ ଓ ଅଣ ଆର୍ଥିକ ସମ୍ପୃକ୍ତି ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟା ଓ ସଂସ୍ଥାଗତ ବିକାଶ ମାଧ୍ୟମରେ ପୋଷଣୀୟ ଓ ସମାନକୃଷି ଓ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖି ଏହା ରାଷ୍ଟ୍ରର ଏକ ପ୍ରମୁଖ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି ।

ବିଗତ ୪ ବର୍ଷରେ ନାବାର୍ଡ ଓଡ଼ିଶାରେ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଆର୍ଥିକ ସହାୟତା ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରଦାନ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୩୧ ହଜାର ୯୬ କୋଟି ଟଙ୍କା ସହାୟତା ପ୍ରଦାନ କରିଛି । ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ଆସିଥିବା ଓଡିଶାର ମିଶନ ଶକ୍ତି ମଡେଲକୁ ନାବାର୍ଡ ସହଯୋଗ ଦେଇଆସିଛି ।

ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି)ରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏସ୍.ଏମ.ଇ) ସଂଖ୍ୟା ବୃଦ୍ଧିରେ ଅଂଶୀଦାର ହେବା ପର୍ଯ୍ୟନ୍ତ ମହିଳାମାନେ ଏବେ ବିକାଶର ପୃଷ୍ଠପୋଷକ ପାଲଟିଛନ୍ତି ଏବଂ ଭବିଷ୍ୟତର ଏସଏମଇ ହେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସେମାନଙ୍କର ସ୍ୱପ୍ନକୁ ଆଗକୁ ବଢ଼ାଉଛନ୍ତି । ଏଥିରେ ନାବାର୍ଡର ସହଯୋଗ ରହିଆସିଛି । ଏଥି ସହିତ କୃଷି ଆୟକୁ ନିଶ୍ଚିତ କରିବା, ଜନଜାତିମାନଙ୍କର ଜୀବିକାକୁ ସୁରକ୍ଷିତ କରିବା ପାଇଁ ନାବାର୍ଡ ସହାୟତା ପ୍ରଦାନ କରିଆସୁଛି । 

ନାବାର୍ଡ, ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ପରିଚାଳନା ମୁଖ୍ୟ ଡ଼ଃ ସୁଧାଂଶୁ କେ.କେ.ମିଶ୍ର ଯୋଗ ଦେଇ ନାବାର୍ଡ ଜରିଆରେ ଖାଦ୍ୟ ପ୍ରକ୍ରିୟାକରଣ, ଔଦ୍ୟୋଗିକ ବିକାଶ, ଜନଜାତି କଲ୍ୟାଣ, ଗୋଷ୍ଠୀ ପରିଚାଳନା ଭିତ୍ତିକ ପ୍ରକଳ୍ପ ଏବଂ ହସ୍ତତନ୍ତ ଶିଳ୍ପ ଆଦିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ନାବାର୍ଡ ଏହାର କାର୍ଯ୍ୟଧାରାକୁ ଆହୁରି ବୃଦ୍ଧି କରିବ ବୋଲି ସେ ପ୍ରକାଶ କହିଥିଲେ ।  

ଏହି ଅବସରରେ ନାବାର୍ଡ ଦ୍ୱାରା ପ୍ରକାଶିତ ୨ଟି ପ୍ରକାଶନ “ପ୍ରତିଫଳନ ୨୦୨୨-୨୩” ( ରିଫ୍ଲେକ୍ସନ୍ସ-୨୦୨୩ ) ଏବଂ ଓଡ଼ିଶାରେ ନାବାର୍ଡ-ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରକଳ୍ପର ପ୍ରଭାବ ମୂଲ୍ୟାଙ୍କନ (ଇମ୍ପାକ୍ଟ ଇଭାଲୁଏସନ ଅଫ୍ ନାବାର୍ଡ ଆର.ଆଇ.ଡି.ଏଫ୍ ପ୍ରୋଜେକ୍ଟସ୍ ଇନ୍ ଓଡିଶା) ଆଦି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । 

ନାବାର୍ଡ,ଓଡିଶା ଆଂଚଳିକ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଡଃ. ବିଭୂତି ଭୂଷଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ବିଭିନ୍ନ କ୍ଷେତ୍ରରେ ଓଡିଶାର ବିକାଶ ଦିଗରେ ନାବାର୍ଡର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ନାବାର୍ଡ ତରଫରୁ ମ୍ୟାନେଜର ଇପ୍ସା ମହାନ୍ତି ନାବାର୍ଡର ଲକ୍ଷ୍ୟ, ଉଦ୍ଦେଶ୍ୟ, ଗ୍ରାମୀଣ ବିକାଶରେ ନାବାର୍ଡର ପୂନଃ ଆର୍ଥିକ ସହାୟତା, ନାବାର୍ଡ ସହାୟତାରେ ଧାନ କିଣା, ନୂଆ ଓଡ଼ିଶା ଗଠନ ପାଇଁ ଭିତ୍ତିଭୂମି ବିକାଶରେ ନାବାର୍ଡର ସହଯୋଗ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ନାବାର୍ଡର ସାଧାରଣ ପରିଚାଳକ, ଓଡିଶା ଆଂଚଳିକ କାର୍ଯ୍ୟାଳୟ ସତ୍ୟ ରଂଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଭିନ୍ନ ବ୍ୟାଙ୍କର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ ସଂଘ, କୃଷକ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

ଗ୍ରାମୀଣ ବିକାଶ କ୍ଷେତ୍ରରେ ନାବାର୍ଡର ସଫଳତା ପଛରେ ପ୍ରମୁଖ ଯୋଗଦାନ ରହିଥିବା ବିଭିନ୍ନ ସରକାରୀ ଅନୁଷ୍ଠାନର କର୍ତ୍ତୃପକ୍ଷ, ସହଭାଗୀ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ ସଂଘ, ସଫଳ କୃଷକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।        

          

What's Your Reaction?

like

dislike

love

funny

angry

sad

wow