ସ୍ବାଭିମାନ ଅଞ୍ଚଳର ରୂପାନ୍ତର ପ୍ରକ୍ରିୟାରେ ଆସିବ ନୂଆ ଗତି: ୩ଟି ବୃହତ ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର   

Aug 21, 2023 - 18:38
 0  10
ସ୍ବାଭିମାନ ଅଞ୍ଚଳର ରୂପାନ୍ତର ପ୍ରକ୍ରିୟାରେ ଆସିବ ନୂଆ ଗତି: ୩ଟି ବୃହତ ସେତୁ ନିର୍ମାଣ ପାଇଁ  ୧୦୧ କୋଟି ଟଙ୍କା ମଞ୍ଜୁର   
File Pic: Gurupriya bridge

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ କରୁଛି ଦ୍ରୁତ ଅଗ୍ରଗତି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଟେଲିଯୋଗାଯୋଗ ଆଦି ଅନେକ ମୌଳିକ ସେବା ସୁବିଧାରେ ଉପଲବ୍‌ଧ ହେଉଛି। ରୂପାନ୍ତର ପ୍ରକ୍ରିୟାରେ ସ୍ବାଭିମାନ ଅଞ୍ଚଳ ତ୍ବରିତ ଗତିରେ ଆଗକୁ ବଢୁଛି।

ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେଇ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚିତ୍ରକୋଣ୍ଡା ବ୍ଲକ୍‌ରେ ୩ଟି ବୃହତ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସେଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ବାରା ସ୍ବାଭିମାନ ଅଞ୍ଚଳର ୩୭ ହଜାର ଲୋକ ଉପକୃତ ହେବେ।  ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ମାଲକାନଗିରି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।  ଏହାପରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। 

ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ଖଲିଆଗଡ ନାଳ  ଉପରେ ଯନ୍ତ୍ରୀ ଠାରୁ ଢାକପଦର ରାସ୍ତା ପର୍ଯ୍ୟନ୍ତ ୧୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ସେତୁ ନିର୍ମାଣ କରାଯିବ। ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ପଣସପୁଟ ଓ ଯନ୍ତ୍ରୀ ଗ୍ରାମପଞ୍ଚାୟତର ଲୋକମାନେ ଏହାଦ୍ବାରା ବିଶେଷ ଉପକୃତ ହେବେ ।

ଦ୍ବିତୀୟ ସେତୁଟି କୁମୁଡାଗୁଡା ନଦୀ ଉପରେ ଘନବେଡା ଠାରୁ କୋଡିଗାନ୍ଧୀ ରାସ୍ତା ପର୍ଯ୍ୟନ୍ତ ନିର୍ମାଣ କରାଯିବ।  ୨୨୩ ମିଟର ଦୀର୍ଘ ଏହି ସେତୁ ପାଇଁ ୨୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ପଣସପୁଟ, ଯନ୍ତ୍ରୀ ଓ ଆଣ୍ଡ୍ରାପାଲ୍ଲୀ ଗ୍ରାମ ପଞ୍ଚୟତର ଲୋକମାନେ ବିଶେଷ ଉପକାର ପାଇବେ। 

ତୃତୀୟ ସେତୁଟି ମାଛକୁଣ୍ଡ ନଦୀ ଉପରେ ନିର୍ମାଣ କରାଯିବ। ଏହା ବିଶେଇଗୁଡାକୁ ଯନ୍ତ୍ରୀ ପର୍ଯ୍ୟନ୍ତ ଯୋଡିବ।  ୩୭୨ ମିଟର ଦୀର୍ଘ ଏହି ସେତୁ ପାଇଁ ୫୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ଯନ୍ତ୍ରୀ, ପେପରମେଟଲା ଓ ଆଣ୍ଡ୍ରାପାଲ୍ଲୀ ଗ୍ରାମ ପଞ୍ଚାୟତର ଲୋକମାନେ ବିଶେଷ ଉପକୃତ ହେବେ।

What's Your Reaction?

like

dislike

love

funny

angry

sad

wow