କିମାଶ୍ଚର୍ଯ୍ୟମର ଦ୍ଵିତୀୟ ସଂସ୍କରଣ ପାଠକାର୍ପିତ

Sep 13, 2023 - 17:44
 0  8
କିମାଶ୍ଚର୍ଯ୍ୟମର ଦ୍ଵିତୀୟ ସଂସ୍କରଣ ପାଠକାର୍ପିତ

ଭୁବନେଶ୍ୱର: ଯୁବ ପ୍ରାବନ୍ଧିକ ଓ ସ୍ତମ୍ଭକାର ପରଂବ୍ରହ୍ମ ତ୍ରିପାଠୀଙ୍କ ପ୍ରବନ୍ଧ ସଂକଳନ 'କିମାଶ୍ଚର୍ଯ୍ୟମ'ର ଦ୍ଵିତୀୟ ସଂସ୍କରଣର ପାଠକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ଯୋଗଦେଇ ବରିଷ୍ଠ କଥାକାର ଅଜୟ ସ୍ୱାଇଁ କହିଥିଲେ ଯେ 'କଣ' ଅପେକ୍ଷା କାହିଁକି ଅଧିକ ଗୁରୁତ୍ୱପୂର୍ଣ୍ଣ। ଚିରାଚରିତ ଭାବେ ଓଡ଼ିଆ ସାହିତ୍ୟରେ 'କଣ'ର ଉପସ୍ଥିତି ଅଧିକ। କିମାଶ୍ଚର୍ଯ୍ୟମ କାହିଁକି କୁ ଗୁରୁତ୍ୱ ଦେଇଥିବାରୁ ସମାସମାୟିକ ଜୀବନ ଓ ପ୍ରସଙ୍ଗର ଜଳଛବି ହୋଇ ପାରିଛି।

କଥାକାର ତଥା ପୂର୍ବତନ ପ୍ରଶାସକ ସହଦେଵ ସାହୁ କହିଥିଲେ ଯେ ସରଳ ଭାଷା, ସାହାସିକତା, ସମ୍ବେଦନଶୀଳତା କିମାଶ୍ଚର୍ଯ୍ୟମକୁ ବହି ଭିଡ଼ ଭିତରେ ନିଆରା କରିପାରିଛି। ସାମ୍ବାଦିକ ତଥା ସ୍ତମ୍ଭକାର ସନ୍ଦୀପ ସାହୁ କହିଥିଲେ ଯେ ସାଧାରଣତଃ ସାହିତ୍ୟର ବିଭିନ୍ନ ବିଭାଗ ଭିତରେ ପ୍ରବଂଧର ପାଠକ ସଂଖ୍ୟା କମ। କିନ୍ତୁ ମାତ୍ର ଏକ ବର୍ଷ ଭିତରେ ଏହି ପୁସ୍ତକର ଦ୍ୱିତୀୟ ସଂକଳନ ଅନେକ ମିଥକ ଭାଙ୍ଗିବାରେ ସଫଳ ହୋଇଛି। ଏହା ଲେଖକଙ୍କ ଶୈଳୀ ଓ ରଚନା ପ୍ରତି ପାଠକୀୟ ସ୍ୱୀକୃତି। ଯୁବକବି ସୂର୍ଯ୍ୟସ୍ନାତ ତ୍ରିପାଠୀ ନିଜ ଅଭିଭାଷଣରେ ସାହିତ୍ୟକୁ ସାହିତ୍ୟ ସଭାରୁ ବାହାରକୁ ନେଇ ସାଧାରଣ ପାଠକ ପାଖରେ ପହଞ୍ଚାଇବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିବା ସହ ସଙ୍କଳନର ଦ୍ଵିତୀୟ ସଂସ୍କରଣ ଏଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଥିଲେ।

ନିଜ ଲେଖକୀୟ ବକ୍ତବ୍ୟରେ ଲୋକଙ୍କ ପାଇଁ ଲୋକଙ୍କ କଥା ଲୋକଙ୍କ ଭାଷାରେ  କହିପାରିଲେ ଏହା ଲୋକାଦୃତ ହେବ ବୋଲି ପରଂବ୍ରହ୍ମ କହିଥିଲେ। ଏହା ତାଙ୍କର ଚତୁର୍ଥ ପ୍ରବନ୍ଧ ସଂକଳନ ଓ 'କିମାଶ୍ଚର୍ଯ୍ୟମ'ର ପ୍ରଥମ ସଂସ୍କରଣ ୨୦୨୨ ମସିହାରେ ପ୍ରକାଶିତ ହୋଇଥିଲା। ବର୍ଷା ପ୍ରକାଶନର ନିର୍ଦ୍ଦେଶକ ବାଦଲ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ ସଭା ପରିଚାଳନା କରିଥିଲେ।  ଏଥିରେ ଅନେକ ସାହିତ୍ୟିକ, ପାଠକ ଓ ସାମ୍ବାଦିକ ଯୋଗ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow