ଆଇସିସିର ସଂଶୋଧିତ ସୂଚୀ: ବଦଳିଲା ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

Aug 10, 2023 - 19:09
 0  3
ଆଇସିସିର ସଂଶୋଧିତ ସୂଚୀ: ବଦଳିଲା ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ
ଆଇସିସିର ସଂଶୋଧିତ ସୂଚୀ: ବଦଳିଲା ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ସହିତ ମୋଟ ୯ ମ୍ୟାଚ୍‌ର ସୂଚୀରେ ପରିବର୍ତ୍ତନ କରିଛି ଆଇସିସି। ବିଶ୍ବକପ୍‌ରେ ଏହି ଦୁଇ ଚିରପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଅକ୍ଟୋବର ୧୫ ତାରିଖରେ ଖେଳାଯିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନବରାତ୍ରୀ ପ୍ରଥମ ଦିନ ପାଳନ ପାଇଁ ଅହମଦାବାଦରେ ପୁଲିସ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ କରିପାରିବନି ବୋଲି ଅବଗତ କରାଇଥିଲା। ଏହାପରେ ଉକ୍ତ ମ୍ୟାଚ୍‌କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୧୪ ତାରିଖରେ ଆୟୋଜନ କରାଯିବକୁ ସ୍ଥିର ହୋଇଛି। ସେହିପରି କୋଲ୍‌କାତାରେ ନଭେମ୍ବର ୧୨ ତାରିଖରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ଦୀପାବଳି ପାଇଁ ଗୋଟିଏ ଦିନ ପୂର୍ବରୁ ଆୟୋଜନ କରାଯିବ। ଏହି ଦୁଇ ମ୍ୟାଚ୍‌ ପାଇଁ ଅନ୍ୟ ୭ଟି ମ୍ୟାଚ୍‌ ପ୍ରଭାବିତ ହୋଇଛି। ପ୍ରସାରଣକାରୀ ସଂସ୍ଥା ସହିତ ଆଲୋଚନା କରିବା ପରେ ଦୁଇଟି ମ୍ୟାଚ୍‌ର ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଅକ୍ଟୋବର ୧୦ ତାରିଖରେ ଧର୍ମଶାଳାରେ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଦିବାରାତ୍ରରୁ ପରିବର୍ତ୍ତନ ହୋଇ ଦିନ ବେଳା ଆନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୪ ତାରିଖରେ ଚେନ୍ନାଇରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ଦିନ ପରିବର୍ତ୍ତେ ଦିବାରାତ୍ର ଖେଳାଯିବ।

ଦିନିକିଆ ବିଶ୍ବକପ୍‌ ପାଇଁ ଚଳିତ ମାସ ୨୫ ତାରିଖରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଆଇସିସି ପକ୍ଷରୁ ସଂଶୋଧିତ ବିଶ୍ବକପ୍‌ ସୂଚୀ ପ୍ରକାଶ କରିବା ସହିତ ଟିକେଟ୍‌ ବିକ୍ରି ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛି। ଏହି ମେଗା ଇଭେଣ୍ଟର ଚାହିଦାକୁ ଦେଖି ଟିକେଟ୍‌ଗୁଡ଼ିକୁ ୭ଟି ପର୍ଯ୍ୟାୟରେ ବିକ୍ରି କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ଦର୍ଶକମାନେ www.cricketworldcup.com/register ୱେବସାଇଟ୍‌ ମାଧ୍ୟରେ ଟିକେଟ୍‌ ବୁକିଂ କରିପାରିବେ।

ପ୍ରଥମେ ୨୫ ତାରିଖରେ ଅଣ ଭାରତୀୟ ୱାର୍ମ ଅପ୍‌ ଓ ଇଭେଣ୍ଟ ମ୍ୟାଚ୍‌ ଟିକେଟ୍‌ ବିକ୍ରି କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ୩୦ ତାରିଖରେ ଗୁଆହାଟୀ ଓ ତ୍ରିଭେନ୍ଦ୍ରମ୍‌ରେ ହେବାକୁ ଥିବା ଭାରତୀୟ ମ୍ୟାଚ୍‌ ଟିକେଟ୍‌, ୩୧ ତାରିଖରେ ଚେନ୍ନାଇ, ଦିଲ୍ଲୀ ଓ ପୁଣେରେ ହେବାକୁ ଥିବା ଭାରତୀୟ ମ୍ୟାଚ୍‌ ଟିକେଟ୍‌, ସେପ୍ଟେମ୍ବର ୧ ତାରିଖରେ ଧର୍ମଶାଳା, ଲକ୍ଷ୍ନୌ ଓ ମୁମ୍ବାଇରେ ହେବାକୁ ଥିବା ଭାରତୀୟ ମ୍ୟାଚ୍‌ ଟିକେଟ୍‌, ‌୨ ତାରିଖରେ ବେଙ୍ଗାଲୁରୁ ଓ କୋଲ୍‌କାତାରେ ହେବାକୁ ଥିବା ଭାରତୀୟ ମ୍ୟାଚ୍‌ ଟିକେଟ୍‌, ୩ ତାରିଖରେ ଅମହଦାବାଦ୍‌ରେ ହେବାକୁ ଥିବା ଭାରତୀୟ ମ୍ୟାଚ୍‌ର ଟିକେଟ୍‌ ଏବଂ ୧୫ ତାରିଖରେ ସେମିଫାଇନାଲ୍‌ ଓ ଫାଇନାଲ୍‌ ପାଇଁ ଟିକେଟ୍‌ ବିକ୍ରି କରାଯିବାକୁ ସ୍ଥିର ହୋଇଛି। କୌଣସି ଇ-ଟିକେଟ୍‌ ପରିବର୍ତ୍ତେ ମୁଖ୍ୟ ଟିକେଟ୍‌କୁ ଷ୍ଟାଡିୟମ୍‌ରେ ପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କୁ ଦେଖାଇବାକୁ ହେବ। ଯେଉଁମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିବେ ସେମାନଙ୍କ ପାଇଁ ମ୍ୟାଚ୍‌ ସ୍ଥାନରେ ୭ରୁ ୮ଟି କାଉଣ୍ଟର ମାଧ୍ୟମରେ ତାହାକୁ ବଦଳ କରି ମୁଖ୍ୟ ଟିକେଟ୍‌ ଆଣିବାକୁ ହେବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ଏଥିସହିତ ଅତିଥିଙ୍କ ଆପାୟିତ କରିବା ପାଇଁ ବିସିସିଆଇକୁ ୩୦୦ ମାଗଣା ଟିକେଟ୍‌ ପାଇବ। ପୁଣି ରାଜ୍ୟ ସଂଘଗୁଡ଼ିକ ଲିଗ୍‌ ମ୍ୟାଚ୍‌ଗୁଡ଼ିକରେ ୧୨୯୫ ଟିକେଟ୍‌ ଏବଂ ଭାରତ ମ୍ୟାଚ୍‌ ଓ ସେମିଫାଇନାଲ୍‌ ମ୍ୟାଚ୍‌ରେ ୧୩୫୫ ଟିକେଟ୍‌ ଆଇସିସିକୁ ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ, ବିଶ୍ବକପ୍‌ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ୧୦ଟି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.