କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର

Former Chief Minister Giridhar Gamang's family will return to Congress

Aug 16, 2023 - 12:54
 0  3
କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର

କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର । ଦିଲ୍ଲୀରେ ଓଡିଶା ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଜୋରଦାର ହେଉଛି। କଂଗ୍ରେସ ଛାଡିବା ପରେ ବିଜେପି ଓ ଏହାପରେ ବିଆରଏସରେ ଯୋଗ ଦେଇଥିଲେ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ହେଲେ ଓଡିଶାରେ ବିଆରଏସ ନିଷ୍କ୍ରିୟ ଥିବା ଅଭିଯୋଗ ଆଣି ପୁରୁଣା ଘର କଂଗ୍ରେସ ଫେରିବାକୁ ମନ ବଳାଉଥିବା ଜଣା ପଡୁଛି। ଗମାଙ୍ଗ ପରିବାର କଂଗ୍ରେସକୁ ଫେରିଲେ କୋରାପୁଟରେ କଂଗ୍ରେସର ଶକ୍ତି ବଢିବ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି।

ସୂଚନା ଥାଉକି ଯେ ଗିରିଧର ଗମାଙ୍ଗ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୯ ଥରର କଂଗ୍ରେସ ସାଂସଦ। ୧୯୯୯ରେ ଫେବ୍ରୁଆରୀରୁ ଡିସେମ୍ବର ଯାଏଁ ଓଡି଼ଶାର ମୁଖ୍ୟମନ୍ତ୍ରୀ । ହେଲେ କଂଗ୍ରେସ ସହ ଦୀର୍ଘଦିନର ସଂପର୍କ ଛିନ୍ନ କରି ୨୦୧୫ରେ ପୁଅଙ୍କୁ ଧରି ବିଜେପିରେ ଯୋଗ ଦେଇଥିଲେ କୋରାପୁଟ ଜିଲ୍ଲାର ଏହି ଭେଟେରାନ୍ ନେତା । ପୁଣି ଗେରୁଆ ଦଳରେ ରହି ସାମାଜିକ, ରାଜନୈତିକ ଓ ନୈତିକ ଦାୟିତ୍ୱ ନିର୍ବାହ କରିପାରୁନଥିବା ଅଭିଯୋଗ କରି ବିଜେପିର ହାତ ଛାଡିଦେଲେ । ଗତ ଜାନୁଆରୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଜାତୀୟ ଦଳ ବିଆରଏସରେ ଯୋଗ ଦେଇଥିଲେ ପୁରା ଗମାଙ୍ଗ ପରିବାର । ହେଲେ ଏବେ ପୁଣି ଓଡିଶା ରାଜନୀତିରେ ବିଆରଏସର ରୁଚି ନଥିବା ଅଭିଯୋଗ କରି ଘର ବାହୁଡା ପାଇଁ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚାରୁ ବଳ ଦେଇଛି ଜୁନିୟର ଗମାଙ୍ଗଙ୍କ ବୟାନ ।

କୁହାଯାଉଛି କୋରାପୁଟ କଂଗ୍ରେସରେ ସାଂସଦ ସପ୍ତଗିରି ଉଲାକା ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭିତରେ ଚାଲିଛି ଶୀତଳ ଯୁଦ୍ଧ । ଜିଲ୍ଲା ସଭାପତି ପଦରୁ ତାରାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କୁ ହଟାଯିବା ପଛରେ ସାଂସଦ ସପ୍ତଗିରି ଉଲାକାଙ୍କ ହାତଥିବା ଅଭିଯୋଗ କରି ଭୁବନେଶ୍ୱର କଂଗ୍ରେସ ଭବନ ଆଗରେ ହଙ୍ଗାମା କରିଥିଲେ ତାରାଙ୍କ ସମର୍ଥକ । ତେଣୁ ଗମାଙ୍ଗ ପରିବାରକୁ କଂଗ୍ରେସକୁ ଫେରାଇ ଆଣି, ସାଂସଦଙ୍କୁ ଚେକ୍ ଦେବାକୁ ରଣନୀତି କରୁଛନ୍ତି ତାରା ବାହିନୀପତି । ଏପରିକି ଜୟରାମ ପାଙ୍ଗୀଙ୍କୁ ମଧ୍ୟ କଂଗ୍ରେସକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ୮୦ ବର୍ଷୀୟ ଗିରିଧର ଗମାଙ୍ଗ ୨୦୧୪ରେ କଂଗ୍ରେସ ଟିକେଟରେ ଲଢି ଝିନ୍ନ ହିକକାଙ୍କଠାରୁ ପରାଜିତ ହୋଇଥିଲେ । ପତ୍ନୀ ହେମା ଗମାଙ୍ଗ କିନ୍ତୁ ବିଜେଡି ଟିକେଟରେ ଲଢି କଂଗ୍ରେସର କୈଳାଶ କୁଲେସିକାଙ୍କଠାରୁ ହାରି ଯାଇଥିଲେ । ୨୦୧୯ରେ ବିଜେପି ଟିକେଟରେ ଲଢି ଗୁଣୁପୁରରୁ ହାରିଥିଲେ ପୁଅ ଶିଶିର ଗମାଙ୍ଗ । ଏବେ ପୁଣି ନିର୍ବାଚନ ପୂର୍ବରୁ ଟିକେଟ୍ ଆଶାରେ ଗମାଙ୍ଗ ପରିବାର ନିଜ ପୁରୁଣା ଦଳ କଂଗ୍ରେସକୁ ଫେରିବା ପାଇଁ ଆଶାବାନ୍ଧି ବସିଛନ୍ତି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.