ଦୁବାଇରେ ଫସିଥିବା ଓଡିଆମାନଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ

Sep 7, 2023 - 21:50
 0  10
ଦୁବାଇରେ ଫସିଥିବା ଓଡିଆମାନଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ

ଭୁବନେଶ୍ୱର ତା.୦୭.୦୯.୨୦୨୩: ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତନା ଭୋଗୁଥିବା ୧୫ଜଣ ଶ୍ରମିକଙ୍କ ସଂପର୍କରେ ଖବର ପାଇ ଓଡିଶା ପରିବାର ନିର୍ଦ୍ଦେଶକ ଦିଲୀପ ରାଉତରାଏ ଓ ତାଙ୍କ ଟିମ ନିରନ୍ତର ଭାବେ ସେମାନଙ୍କ ସହ ଯୋଗାଯୋଗ ରକ୍ଷାକରି ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥଲେ ।

ଦୁବାଇ ଦୂତାବାସ ସହ ସମନ୍ୱୟ ରଖି ପ୍ରଥମ ପର୍ଯ୍ୟାୟରେ ଆଠ ଜଣ ଦୁବାଇରୁ ମୁମ୍ବାଇ ଓ ମୁମ୍ବାଇରୁ ଉଡ଼ାଜାହାଜରେ ଗତ ସେପ୍ଟେମ୍ବର ୧ତାରିଖ ସକାଳ ୭ ଘଟିକା ୧୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲେ । ଏହାପରେ ସେମାନେ ନିଜଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଉ ୭ ଜଣଙ୍କୁ ଖୁବ ଶୀଘ୍ର ଓଡିଶା ଫେରେଇ ଆଣିବାକୁ ନିରନ୍ତର ପ୍ରୟାସ ଜାରିରହିଛି । 

ପ୍ରକାଶ ଥାଉକି ଓଡିଶା ବାହାରେ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ସହ ସାମାଜିକ, ସାଂସ୍କୃତିକ, ଭାବଗତ ଓ ପାରିବାରିକ ସମ୍ପର୍କ ରକ୍ଷା କରି ସେମାନଙ୍କ ଭଲମନ୍ଦରେ ଓଡିଶା ପରିବାର ନିର୍ଦେଶାଳୟ ସବୁ ସମୟରେ ସହଯୋଗର ହାତ ବଢ଼େଇ ଆସିଛି ।  

ସେହିଭଳି ଗତ ସେପ୍ଟେମ୍ବର ୫ ତାରିଖରେ ଚେନ୍ନାଇରେ ରେଳ ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁବରଣ କରିଥିବା ମୟୁରଭଞ୍ଜ ଜିଲ୍ଲା କାଠରୁମା କୁଡ଼ିଆପାଳର ଭଗତ ମୁର୍ମୁଙ୍କ ପୁତ୍ର ସରାଇ ମୁର୍ମୁଙ୍କ ମୃତ୍ୟୁ ଖବର ପାଇ ଚେନ୍ନାଇରେ ରହୁଥିବା ତାଙ୍କ ପରିଚିତଙ୍କ ସହ ଓଡିଶା ପରିବାର ପକ୍ଷରୁ ଯୋଗାଯୋଗ କରାଯାଇଥିଲା ।

ଶବ ବ୍ୟବଛେଦ ପରେ ଆଜି ସନ୍ଧ୍ୟାରେ ଚେନ୍ନାଇ ହାଓଡା ଏକ୍ସପ୍ରେସ ମାଧ୍ୟମରେ ତାଙ୍କ ମରଶରୀର ଆସି ଆସନ୍ତାକାଲି ସନ୍ଧ୍ୟାରେ ବାଲେଶ୍ୱର ରେଳ ଷ୍ଟେସନରେ ପହଁଚିବ । ଏହାପରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତଦେହ ଗ୍ରହଣ କରାଯାଇ ତାଙ୍କ ଗ୍ରାମରେ ଵିଧି ମୁତାବକ ଶେଷକୃତ୍ୟ ସମାପନ ନିମନ୍ତେ ନିର୍ଦ୍ଦେଶାଳୟ ପକ୍ଷରୁ ଯୋଗାଯୋଗ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow