ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କର ଜୀବନ ବୀମା : ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ନିମନ୍ତେ ସରକାରଙ୍କ ସମୁଖରେ ରଖାଯିବ ପ୍ରସ୍ତାବ

Sep 8, 2023 - 11:23
 0  7
ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କର ଜୀବନ ବୀମା : ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ନିମନ୍ତେ ସରକାରଙ୍କ ସମୁଖରେ ରଖାଯିବ ପ୍ରସ୍ତାବ

ଭୁବନେଶ୍ଵର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଙ୍କ ଅଧ୍ୟକ୍ଷତାରେ କୃଷି ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ରାଜ୍ୟର ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ଯୋଜନା ଦ୍ଵାରା ବିଭିନ୍ନ ଜୀବନ ବୀମା ଯୋଜନା ଉପରେ ଆଲୋଚନା କରାଯାଇଥିଲା।

ଏହି ଆଲୋଚନାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଏବଂ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ପଦ୍ମ ବିଭୂଷଣ ଡଃ ସୁଦର୍ଶନ ସାହୁ ନିଜର ମତାମତ ପ୍ରକାଶ କରିଥିଲେ। ଏହି ବିଷୟରେ ସବିଶେଷ ଆଲୋଚନା କରାଯାଇ ରାଜ୍ୟର ହସ୍ତଶିଳ୍ପ କାରିଗର ଓ ବୁଣାକାର ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୀବନ ବୀମା ଯୋଜନା ପ୍ରଣୟନ  କରିବା ନିମନ୍ତେ ସରକାରଙ୍କ ସମୁଖରେ ପ୍ରସ୍ତାବ ରଖିବା ପାଇଁ ସ୍ଥିର କରାଯାଇଥିଲା।

ଏତଦ ବ୍ୟତୀତ ଓଡ଼ିଶାର ସମସ୍ତ ହସ୍ତଶିଳ୍ପ ଗ୍ରାମକୁ ସଂଯୋଗ କରୁଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ପ୍ରମୁଖ ଜିଲ୍ଲା ରାସ୍ତା ମାନଙ୍କରେ ସାଇନବୋର୍ଡ ଲଗାଇବା ପାଇଁ ପ୍ରସ୍ତୁତ ହୋଇଥିବା ଡିଜାଇନକୁ ଅନୁମୋଦନ କରାଯାଇଥିଲା। ଏହି ବୈଠକରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ  ସରୋଜ କୁମାର ପଟେଲ, ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ବିଭାଗର ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

What's Your Reaction?

like

dislike

love

funny

angry

sad

wow