ପୁରୀ ସମୁଦ୍ର ସ୍ନାନରେ କାଳ ସାଜିଛି ରିପ୍‌ କରେଣ୍ଟ

Jul 5, 2023 - 13:55
 0  4
ପୁରୀ ସମୁଦ୍ର ସ୍ନାନରେ କାଳ ସାଜିଛି ରିପ୍‌ କରେଣ୍ଟ
ପୁରୀ ସମୁଦ୍ର ସ୍ନାନରେ କାଳ ସାଜିଛି ରିପ୍‌ କରେଣ୍ଟ

ପୁରୀ ସମୁଦ୍ର ସ୍ନାନରେ କାଳ ସାଜିଛି ରିପ୍‌ କରେଣ୍ଟ। ପର୍ଯ୍ୟଟକମାନେ ଏହି କରେଣ୍ଟ ମଧ୍ୟରେ ଫସି ଯାଉଛନ୍ତି। ଆଜି ୫ ଜଣ ପର୍ଯ୍ୟଟକ ଦିଗବାରେଣୀ ନିକଟରେ ସମୁଦ୍ର ସ୍ନାନ କରିବା ବେଳେ ଗଭୀର ଜଳରାଶିକୁ ରିପ କରେଣ୍ଟ ଟାଣି ନେଇଥିଲା। ସୌଭାଗ୍ୟବଶତଃ ସେଠାରେ ହରଚଣ୍ଡୀ ଲାଇଫ୍‌ ଗାର୍ଡ ସଦସ୍ୟମାନେ ପହଞ୍ଚି ଉଦ୍ଧାର କରିବାରୁ ୫ ଜଣ ପର୍ଯ୍ୟଟକ ଅଳ୍ପରେ ବର୍ତ୍ତି ଯାଇଛନ୍ତି। ବିଡ଼ମ୍ବନା ହେଲା, ରିପ୍‌ କରେଣ୍ଟ୍‌ର ଆଭାସ ପାଇବା ମାତ୍ରେ ଲାଇଫଗାର୍ଡମାନେ ପର୍ଯ୍ୟଟକଙ୍କୁ ଭିତରକୁ ନଯିବା ପାଇଁ ସତର୍କ କରାଉଛନ୍ତି। କିନ୍ତୁ ପର୍ଯ୍ୟଟକମାନେ କଥା ନମାନି ସମୁଦ୍ର ଭିତରକୁ ଯାଉଥିବାରୁ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହେଉଛି।

୨୦୧୫ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୬୦ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହା ମଧ୍ୟରୁ ଅନେକଙ୍କ ମୃତ୍ୟୁ ପାଇଁ ରିପ୍‌ କରେଣ୍ଟ ହିଁ ଦାୟୀ ବୋଲି ଲାଇଫ୍‌ଗାର୍ଡମାନେ କହିଛନ୍ତି। ବାସ୍ତବ କଥା ହେଉଛି, ସମୁଦ୍ର ମଧ୍ୟରେ ପାଣି ଭିତରେ ବେଳେବେଳେ ରିପ୍‌ କରେଣ୍ଟ ସୃଷ୍ଟି ହୁଏ। ଏହା କ୍ଷୀପ୍ର ଗତି ଲହଡ଼ି ଭାଙ୍ଗି ସୃଷ୍ଟି ହୋଇଥାଏ। ଏହାକୁ ସାଧାରଣ ପର୍ଯ୍ୟଟକ ଚିହ୍ନଟ କରିବା ସମ୍ଭବ ହୋଇନଥିଲେ ହେଁ ଲାଇଫ୍‌ଗାର୍ଡମାନେ ଏଭଳି ସ୍ଥିତି ଦେଖିଲେ ପର୍ଯ୍ୟଟକଙ୍କୁ ସେଠାରେ ପହଁରିବାକୁ ଓ ଗାଧୋଇବାକୁ ବାରଣ କରନ୍ତି। କିନ୍ତୁ ଅଧିକାଂଶ ପର୍ଯ୍ୟଟକ ଲାଇଫ୍‌ଗାର୍ଡଙ୍କ ପରାମର୍ଶ ମାନନ୍ତି ନାହିଁ ବୋଲି ଲାଇଫଗାର୍ଡମାନେ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ଆଜି ଏହି ରିପ୍‌ କରେଣ୍ଟ ଯୋଗୁ ଆଗ୍ରାର ବାସିନ୍ଦା ହରି ସିଂହ (୩୫), ହରିୟାଣାର ବିକାଶ ରାୟ (୩୪), ଝାଡ଼ଖଣ୍ଡର ବିଦେଶ ରାମ ରାୟ (୨୨) ଓ ଅମନ ରାୟ (୨୨) ଓ ଆସାମର ନିରଜ ବୋରା (୪୦) ସମୁଦ୍ର ଭିତରକୁ ଭାସି ଯାଇଥିଲେ। ଏହା ଦେଖି କିଛି ଲୋକଚିତ୍କାର କରିବାରୁ ସେଠାରେ ଥିବା ହରଚଣ୍ଡୀ ଲାଇଫ୍‌ ଗାର୍ଡ ସଂଘର ଲାଇଫଗାର୍ଡମାନେ ତୁରନ୍ତ ସେଠାରେ ପହଞ୍ଚି ୫ ଜଣଙ୍କୁ ଉଦ୍ଧାର କରିଛନ୍ତି।

ରିପ କରେଣ୍ଟ :

ରିପ କରେଣ୍ଟ ଜଳରେ ସୃଷ୍ଟି ହେଉଥିବା ଏକ ସ୍ରୋତ। ଏହା ମୁଖ୍ୟତଃ ବେଳାଭୂମି ନିକଟରେ ସମୁଦ୍ର ଜଳରାଶିରେ ଦେଖାଯାଏ। ଏହି କରେଣ୍ଟ ସୃଷ୍ଟି ହେଉଥିବା ସ୍ଥଳେ ସମୁଦ୍ରର ଲହଡ଼ି ଦୁଇ ଭାଗ ହେବା ଭଳି ଦୃଶ୍ୟମାନ ହୁଏ। ଏହା ସମୁଦ୍ର ମଧ୍ୟକୁ ଟାଣି ନିଏ। ଏହି କରେଣ୍ଟ୍‌ର ତୀବ୍ରତା ବହୁତ ବେଶି। ଏହି କରେଣ୍ଟ ସୃଷ୍ଟି ହେଲେ ବିପରୀତ ଦିଗରେ ପହଁରିବା ଦ୍ବାରା ପ୍ରଭୂତ କ୍ଷତି ହେବାର ଆଶଙ୍କା ଥାଏ। ଏହାର ବେଗ ସେକେଣ୍ଡ ପ୍ରତି ୧.୬ ଫୁଟ ହୋଇଥିବା ସ୍ଥଳେ ବେଳେବେଳେ ଏହା ସେକେଣ୍ଡରେ ୮.୨ ଫୁଟ ବେଗରେ ଗତି କରେ। ସମୁଦ୍ର ଭିତରକୁ ଟାଣି ହୋଇଯିବା ବେଳେ ଏହି କ୍ଷେତ୍ରରେ ଉଦ୍ଧାର ପାଇଁ ଦକ୍ଷ ଲାଇଫ୍‌ ଗାର୍ଡମାନଙ୍କ ସହଯୋଗ ନେବା ନିତାନ୍ତ ଆବଶ୍ୟକ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.