ଏ ବର୍ଷ ଫିକା ପଡିବ ଦିଲ୍ଲୀ ଦୀପାବଳି

Sep 12, 2023 - 11:12
 0  4
ଏ ବର୍ଷ ଫିକା ପଡିବ ଦିଲ୍ଲୀ ଦୀପାବଳି

ଚଳିତ ବର୍ଷ ଦିଲ୍ଲୀ ସରକାର ଦିପାବଳୀରେ ବାଣ ଫୁଟାଇବା ଏବଂ  ବିକ୍ରି କରିବା ଉପରେ କଟକଣା ଜାରି କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ସୋମବାର ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏଥିରେ ଦର୍ଶା ଯାଇଛି ଯେ, ଏ ବର୍ଷ ଦୀପାବଳି ସମୟରେ ଦିଲ୍ଲୀ ଓ ରାଜଧାନୀ ଅଞ୍ଚଳରେ ସମସ୍ତ ପ୍ରକାର ବାଣ ତିଆରି, ବିକ୍ରି, ଗଚ୍ଛିତ ରଖିବା ଓ ଫୁଟାଇବା ନିଷିଦ୍ଧ। ଶୀତଋତୁରେ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନର ଅଂଶସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରାୟ କହିଛନ୍ତି ଯେ, ସାରା ସହରରେ କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ପୁଲିସକୁ କୁହାଯିବ। ଗତ ତିନିବର୍ଷ ହେଲା ଦିଲ୍ଲୀରେ ବାଣ ଉପରେ କଟକଣା ଲାଗି ଆସୁଛି। ଗତ ପାଞ୍ଚ-ଛଅ ବର୍ଷ ହେଲା ଦିଲ୍ଲୀରେ ବାୟୁମାନରେ ଉନ୍ନତି ଘଟିଥିଲେ ମଧ୍ୟ ଏହାକୁ ଆହୁରି ଭଲ କରିବାର ଆବଶ୍ୟକତା ରହିଛି। ସେଥିପାଇଁ ବାଣ ଉପରେ ଏ ବର୍ଷ ମଧ୍ୟ କଟକଣା ଲଗାଗଲା ବୋଲି ସେ କହିଛନ୍ତି। ଏନ୍‌ସିଆର ରାଜ୍ୟଗୁଡ଼ିକ ବାଣ ଲାଇସେନ୍ସ ଦେବାରୁ ନିବୃତ୍ତ ରହିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ରାୟ କହିଛନ୍ତି, ଧାର୍ମିକ ପରମ୍ପରାକୁ ପାଳନ କଲାବେଳେ ଲୋକଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖାଯିବା ଆବଶ୍ୟକ। ଦିଲ୍ଲୀବାସୀ ଦୀପ ଜାଳି ଦୀପାବଳି ପାଳନ କରିପାରିବେ ବୋଲି ସେ କହିଛନ୍ତି। ଗତବର୍ଷ ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ଜେଲ ଓ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାର ଘୋଷଣା କରିଥିଲେ। ସେହିପରି ବାଣ ଉତ୍ପାଦନ, ଗଚ୍ଛିତ କରିବା ଓ ବିକ୍ରି କରିବା ପାଇଁ ବିସ୍ଫୋରକ ଆଇନର ଧାରା ୯ ବି ଅନୁସାରେ ୩ ବର୍ଷ ଜେଲ ଓ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.