ଚନ୍ଦ୍ର, ସୂର୍ଯ୍ୟ ମିସନ ସଫଳ ହେବାପରେ ଏବେ ପ୍ରୋଜେକ୍ଟ ସମୁଦ୍ରଯାନ

Sep 12, 2023 - 11:05
 0  3
ଚନ୍ଦ୍ର, ସୂର୍ଯ୍ୟ ମିସନ ସଫଳ ହେବାପରେ ଏବେ ପ୍ରୋଜେକ୍ଟ ସମୁଦ୍ରଯାନ

ଚନ୍ଦ୍ର ମିସନର ସଫଳତା ଓ ସୌରଯାନର ସଫଳ ଉତ୍‌କ୍ଷେପଣ ପରେ ଭାରତୀୟ ବୈଜ୍ଞାନିକମାନେ ଏବେ ଆଉ ପାଦେ ଆଗେଇଛନ୍ତି।ବର୍ତ୍ତମାନ ଏକ ସମୁଦ୍ରଯାନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ାଜାହାଜକୁ କୋବାଲ୍‌ଟ, ନିକେଲ ଓ ମାଙ୍ଗାନିଜ ପରି ମୂଲ୍ୟବାନ ଧାତୁର ସନ୍ଧାନ କରିବା ପାଇଁ ୬,୦୦୦ ମିଟର ଗଭୀର ସମୁଦ୍ର ତଳକୁ ଛଡ଼ାଯିବ। ଏଥିରେ ତିନିଜଣ ଲୋକ ମଧ୍ୟ ରହିବେ। ଏହି ସମୁଦ୍ରଯାନର ନାମ ହେଉଛି ମତ୍ସ୍ୟ ୬୦୦୦, ଯାହାର ନିର୍ମାଣ ପ୍ରାୟ ଦୁଇବର୍ଷ ହେଲା ଚାଲିଛି ଏବଂ ୨୦୨୪ ପ୍ରାରମ୍ଭରେ ଏହାକୁ ଚେନ୍ନାଇ ଉପକୂଳସ୍ଥ ବଙ୍ଗୋପସାଗରକୁ ପ୍ରଥମ ସାମୁଦ୍ରିକ ପରୀକ୍ଷଣ ପାଇଁ ଛଡ଼ାଯିବ। ଗତ ଜୁନ ମାସରେ ଟାଇଟାନିକ ଜାହାଜର ଧ୍ବଂସାବଶେଷ ନିକଟକୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ବୁଡ଼ାଜାହାଜ ଟାଇଟାନ ଧ୍ବଂସ ପାଇବା ପରେ ଭାରତୀୟ ବୈଜ୍ଞାନିକମାନେ ଏହି ଜାହାଜର ଡିଜାଇନକୁ ଭଲଭାବରେ ନିରୀକ୍ଷଣ କରୁଛନ୍ତି। ମତ୍ସ୍ୟ ୬୦୦୦ର ନିର୍ମାଣରେ ନି‌ୟୋଜିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଓସେନ ଟେକ୍ନୋଲୋଜି (ଏନ୍‌ଆଇଓଟି)ର ବୈଜ୍ଞାନିକମାନେ ଏହାର ଡିଜାଇନ ଓ ମାନକ ଅପରେଟିଂ ପଦ୍ଧତି ଆଦିର ବ୍ୟାପକ ପରୀକ୍ଷାନିରୀକ୍ଷା କରୁଛନ୍ତି।

ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌ ରବୀନ୍ଦ୍ରନଙ୍କ କହିବା ଅନୁସାରେ, ଭାରତର ଗଭୀର ସମୁଦ୍ର ଅଭିଯାନର ଅଂଶ ସ୍ବରୂପ ସମୁଦ୍ରଯାନର ବିକାଶ କରାଯାଉଛି। ୨୦୨୪ ପ୍ରଥମ ତ୍ରିମାସୀରେ ବଙ୍ଗୋପସାଗରର ୫୦୦ ମିଟର ଗଭୀରତାରେ ଏହାର ପ୍ରଥମ ସାମୁଦ୍ରିକ ପରୀକ୍ଷା କରାଯିବ। ମିସନଟି ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଆମେରିକା, ରୁଷ୍, ଜାପାନ, ଫ୍ରାନ୍ସ ଓ ଚୀନ୍ ବର୍ତ୍ତମାନ ସୁଦ୍ଧା ଏ ଧରଣର ବୁଡ଼ାଜାହାଜର ବିକାଶ କରିଛନ୍ତି। ଏଥିରେ ସଫଳ ହେଲେ ଭାରତ ଏ କ୍ଷେତ୍ରରେ ୬ଷ୍ଠ ଦେଶ ଭାବେ ପରିଗଣିତ ହେବ। ନିକେଲ, କୋବାଲ୍‌ଟ, ମାଙ୍ଗାନିଜ, ହାଇଡ୍ରୋଥର୍ମାଲ ସଲ୍‌ଫାଇଡ୍‌ ଓ ଗ୍ୟାସ୍ ହାଇଡ୍ରେଟ୍‌ର ସନ୍ଧାନ କରିବା ସହ ମତ୍ସ୍ୟ ୬୦୦୦ ସମୁଦ୍ର ଭିତରେ ହାଇଡ୍ରୋଥର୍ମାଲ ଭେଣ୍ଟ ଓ ନିମ୍ନତାପୀୟ ମିଥେନ ନିଃସରଣ ସହ ସମ୍ପର୍କିତ କେମୋସିନ୍ଥେଟିକ୍ ବାୟୋଡାଇଭର୍ସିଟି ଉପରେ ମଧ୍ୟ ଅନୁଧ୍ୟାନ କରିବ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.