ଆଜି ରତ୍ନଅଳଙ୍କାରରେ ଝଲସିବେ ତିନି ଠାକୁର

Jun 29, 2023 - 12:45
 0  7
ଆଜି ରତ୍ନଅଳଙ୍କାରରେ ଝଲସିବେ ତିନି ଠାକୁର

ଆଜି ଗୁରୁବାର ଆଷାଢ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଦାରୁବିଗ୍ରହ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଡାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ତେବେ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାରଘରୁ ବାହାରିବ ମହଣ ମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଝଲସିବେ ଦାରୁଦିଅଁ।

ଗୁରୁବାର ପୂର୍ବାହ୍ନରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର (ବାହାର ଭଣ୍ଡାର) ଖୋଲାଯିବ। ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାର ମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକ ସଫା କରାଯିବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ବଢ଼଼ିବା ପରେ ସୁନାବେଶ ଆରମ୍ଭ ହେବ। ନିର୍ଘଣ୍ଟ ସମୟ ପୂର୍ବରୁ ଅର୍ଥାତ୍‌‌ ସଅଳ ନୀତିକାନ୍ତି କରାଯିବ। ଦଇତାପତିଙ୍କ ସହ ପ୍ରଶାସନର ଆଲୋଚନା ବେଳେ ଏହି ନିଷ୍ପତ୍ତି ନିଆଯାଇଛି। ସୁନାବେଶରେ ୧୦ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ସଅଳ ନୀତିକାନ୍ତି କରାଯାଇ ନିର୍ଘଣ୍ଟ ସମୟ ପୂର୍ବରୁ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ କରାଯିବ। ଏହାଦ୍ୱାରା ଭକ୍ତମାନେ ଅଧିକ ସମୟ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦର୍ଶନ ସୁଯୋଗ ପାଇବେ। ସେହିପରି ସୁନାବେଶ ସମୟରେ ରଥାରୁଢ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ।

ବାଧାମୁକ୍ତ ଦର୍ଶନ ପାଇଁ ତିନିରଥରେ ବିରାଜମାନ ବିଗ୍ରହଙ୍କ ଉଭୟ ପାର୍ଶ୍ବରେ ପାଇପ ଲଗାଯିବ। ଫଳରେ ଶ୍ରଦ୍ଧାଳୁମାନେ ସୁନ୍ଦର ଭାବେ ସୁନାବେଶ ଦର୍ଶନ କରିପାରିବେ। ରଥ ଉପରେ କୌଣସି ସେବାୟତ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ସୁନାବେଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏଥିପାଇଁ ୯୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ରଥଯାତ୍ରାରେ ଯେଉଁଭଳି ଟ୍ରାଫିକ କଟକଣା ଥିଲା ସେହିଭଳି କଟକଣା ମଧ୍ୟ ରହିବ। ରଥଯାତ୍ରା, ବାହୁଡ଼ା ପରି ସୁନାବେଶ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.