ସବୁ ସରକାରୀ ମେଡିକାଲ କଲେଜରେ ରହିବ ଷ୍ଟୁଡେଣ୍ଟସ୍ ୱେଲଫେୟାର ଫଣ୍ଡ

Jul 5, 2023 - 11:52
Jul 5, 2023 - 11:54
 0  6
ସବୁ ସରକାରୀ ମେଡିକାଲ କଲେଜରେ ରହିବ ଷ୍ଟୁଡେଣ୍ଟସ୍ ୱେଲଫେୟାର ଫଣ୍ଡ

ରାଜ୍ୟର ସବୁ ସରକାରୀ ମେଡିକାଲ କଲେଜ ଓ ସରକାରୀ ଡେଣ୍ଟାଲ କଲେଜରେ ଷ୍ଟୁଡେଣ୍ଟସ୍ ୱେଲଫେୟାର ଫଣ୍ଡ(ଛାତ୍ରଛାତ୍ରୀ କଲ୍ୟାଣ ପାଣ୍ଠି) ରହିବ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୮ରୁ ୨୦ଲକ୍ଷ ଟଙ୍କା ଲେଖାଏଁ ପ୍ରତ୍ୟେକ ମେଡିକାଲ କଲେଜକୁ ଦେବେ । ଏହି ପାଣ୍ଠିକୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଗତିବିଧି ପାଇଁ ଖର୍ଚ୍ଚ କରିପାରିବେ । ସାଂସ୍କୃତିକ, କ୍ରୀଡ଼ା, ଶାରୀରିକ ପ୍ରଶିକ୍ଷଣ, ପାର୍ଟଟାଇମ୍ ଯୋଗ ଓ ମ୍ୟୁଜିକ୍ ଶିକ୍ଷକ ନିଯୁକ୍ତି ଆଦି ନିମନ୍ତେ ଖର୍ଚ୍ଚ କରିପାରିବେ । ଏହି ପାଣ୍ଠି ଖର୍ଚ୍ଚ ନିମନ୍ତେ ପ୍ରତ୍ୟେକ ମେଡିକାଲ କଲେଜରେ ଗୋଟିଏ ଲେଖାଏଁ କମିଟି ଗଠନ କରାଯିବ ।  ସମସ୍ତ ମେଡିକାଲ କଲେଜ୍ ଓ ଏସସିବି ଡେଣ୍ଟାଲ କଲେଜ ପାଇଁ ଗଠିତ କମିଟିରେ କଲେଜର ପ୍ରିନ୍ସିପାଲଙ୍କୁ କମିଟିର ଅଧ୍ୟକ୍ଷ ଭାବେ ସାମିଲ କରାଯିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଲେଜର ପ୍ରଶାସନିକ ଅଫିସର, ଛାତ୍ର ସଂସଦର ଉପଦେଷ୍ଟା, ଛାତ୍ର ସଂସଦର ୨ଜଣ ପ୍ରତିନିଧିଙ୍କ ସମେତ କଲେଜର ଆକାଉଣ୍ଟସ ଅଫିସର ସଦସ୍ୟ ରହିପାରିବେ ।

ଯେଉଁ ମେଡିକାଲ କଲେଜ ୫ବର୍ଷରୁ ପୁରୁଣା ସେହି କଲେଜର ଛାତ୍ରକଲ୍ୟାଣ ପାଣ୍ଠିକୁ ବାର୍ଷିକ ୨୦ଲକ୍ଷ ଟଙ୍କା ଓ ଯିଏ ୫ବର୍ଷରୁ କମ୍ ତାକୁ ବାର୍ଷିକ ୧୫ଲକ୍ଷ ଟଙ୍କା ଦିଆଯିବ । ସେହିପରି ସରକାରୀ ପିଜି ଇନଷ୍ଟିଚ୍ୟୁଟ୍ ଓ ଏସସିବି ଡେଣ୍ଟାଲ କଲେଜ, ଏସସିବି ମେଂଟାଲ ହେଲଥ୍ ଇନଷ୍ଟିଚ୍ୟୁଟକୁ ବାର୍ଷିକ ୮ଲକ୍ଷ ଟଙ୍କା ୱେଲଫେୟାର ଫଣ୍ଡ ଭାବେ ରାଜ୍ୟ ସରକାର ଯୋଗାଇ ଦେବେ ।ଏହି ପାଣ୍ଠିକୁ ଛାତ୍ରଛାତ୍ରୀମାନେ ସାଂସ୍କୃତିକ, କ୍ରୀଡ଼ା ଓ ଶାରୀରିକ ପ୍ରଶିକ୍ଷଣ, ପାର୍ଟ ଟାଇମ୍ ଯୋଗ ଓ ମ୍ୟୁଜିକ ଶିକ୍ଷକ ରଖିବା, ଛାତ୍ର ସଂସଦ ଦ୍ୱାରା ସଙ୍ଗୀତ, ସାଂସ୍କୃତିକ ଓ କ୍ରୀଡ଼ା ଉତ୍ସବ ଆଦି ପାଳନ ତଥା ଏ ସଂକ୍ରାନ୍ତ ଉପକରଣ କ୍ରୟ ଆଦି ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ । ଜାତୀୟ ଓ ରାଜ୍ୟସ୍ତରରେ ପାଳନ ହେଉଥିବା ପ୍ରମୁଖ ଦିବସ ପାଳନରେ ମଧ୍ୟ ଏହି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିପାରିବେ । ବୃକ୍ଷରୋପଣ, ଜେନେରେଟର କ୍ରୟ, କଲେଜସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ନିଷ୍ପତ୍ତି ନେଇ ଏହି ଅର୍ଥ ଖର୍ଚ୍ଚ କରିପାରିବେ । ତେବେ ଏହି ପାଣ୍ଠିରେ କାହାରିକୁ ସ୍ଥାୟୀ ନିଯୁକ୍ତି କିମ୍ବା ଗାଡ଼ି କ୍ରୟ କରାଯାଇ ପାରିବ ନାହିଁ । ଏହାଦ୍ୱାରା ରାଜ୍ୟର ୯ଟି ସରକାରୀ ମେଡିକାଲ କଲେଜ ସମେତ ଡେଣ୍ଟାଲ, ମେଂଟାଲ ହେଲଥ, ପିଜି ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ଉପକୃତ ହେବେ। ୱେଲଫେୟାର ଫଣ୍ଡ ପାଇଁ ମେଡିକାଲ ଛାତ୍ରଛାତ୍ରୀମାନେ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.