ଆସନ୍ତା ୧୮ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ

Sep 14, 2023 - 13:18
 0  2
ଆସନ୍ତା ୧୮ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ

ଆସନ୍ତା ୧୮ରୁ ୫ ଦିନ ଧରି ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ଏହାର ଦିନକ ପୂର୍ବରୁ ଅର୍ଥାତ ସେପ୍ଟେମ୍ବରରେ ୧୭ରେ ସର୍ବଦଳୀୟ ବୈଠକ ବସିବ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ୧୭ ତାରିଖରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେଉଥିବା ସଂସଦର ବିଶେଷ ଅଧିବେଶନ ପୂର୍ବରୁ ୧୭ ତାରିଖ ଅପରାହ୍ନ ୪.୩୦ରେ ସମସ୍ତ ଦଳର ଫ୍ଲୋର ନେତାମାନଙ୍କ ବୈଠକ ବସିବ। ସମାନ ନିମନ୍ତ୍ରଣ ନେତାମାନଙ୍କୁ ଇ-ମେଲ ଯୋଗେ ମଧ୍ୟ ପଠାଇ ଦିଆଯାଇଛି। ଚିଠି ପଠାଯିବ ବୋଲି ସେ କହିଛନ୍ତି। ଏହାକୁ ସେ କନ୍ନଡ ଭାଷାରେ ମଧ୍ୟ ଲେଖିଛନ୍ତି।ପ୍ରହ୍ଲାଦ ଯୋଶୀ କର୍ଣ୍ଣାଟକା ଧରୱାଡ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ଯାଇଛନ୍ତି। ତେଣୁ ସେ ଇଂରାଜୀ ବ୍ୟତୀତ କନ୍ନଡ ଭାଷାରେ ମଧ୍ୟ ସର୍ବଦଳୀୟ ବୈଠକ ବସିବାକୁ ଯାଇଥିବା ସୂଚନା ଦେଇଛନ୍ତି। ୧୭ ତାରିଖରେ ବସିବାକୁ ଯାଉଥିବା ସର୍ବଦଳୀୟ ବୈଠକରେ ସମ୍ଭବତଃ ଅଧିବେଶନର ଏଜେଣ୍ଡା ସମ୍ପର୍କରେ ଆଲୋଚନା ହେବ।
କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧିବେଶନ ବେଳେ ୪ଟି ବିଲ୍‌ ଆଣିବାର ସମ୍ଭାବନା ରହିଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିବେଶର ସମ୍ଭାବ୍ୟ ଏଜେଣ୍ଡା ବିଷୟରେ ସୂଚନା ଦିଆଯାଇଛି। ଲୋକସଭାରେ କେନ୍ଦ୍ର ସରକାର The Advocates (Amendment) Bill, 2023 ଓ The Press and Registeration of Periodicals Bill, 2023 ଆଣିବେ। ଏହି ଦୁଇ ବିଲ୍‌ ଅଗଷ୍ଟ ୩ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା। ତେଣୁ ଏବେ ଏଗୁଡ଼ିକ ଲୋକସଭାରେ ଆଗତ ହେବ। ସେହିପରି ରାଜ୍ୟସଭାରେ ସାଂସଦମାନେ The Post Office Bill, 2023 ଓ The Chief Election Commissioner and other Election Commissioners (Appointment, Conditions of Service and Term of Office) Bill, 2023 ଉପରେ ବିତର୍କ କରି ପାରନ୍ତି। ଏହି ଦୁଇ ବିଲ୍‌କୁ ଅଗଷ୍ଟ ୧୦ ତାରିଖରେ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା। ଏବେ ଏହା ଉପରେ ବିତର୍କ ହୋଇପାରେ। ଅନ୍ୟପକ୍ଷରେ ସରକାରୀ ସୂତ୍ରକୁ ଆଧାର କରି କିଛି ରିପୋର୍ଟ ମଧ୍ୟ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁସାରେ, ସରକାର ଦେଶର ନାଁକୁ ଇଣ୍ଡିଆରୁ କେବଳ ଭାରତ କରିବାକୁ ସ୍ୱତନ୍ତ୍ର ବିଲ୍‌ ଏହି ଅଧିବେଶନରେ ଆଣିବେ। ଏହାବାଦ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ମହିଳା ସଂରକ୍ଷଣ ବିଲ ଓ ୟୁସିସି ବିଲ୍‌ ମଧ୍ୟ ଏହି ଅଧିବେଶନରେ ଆସି ପାରେ ବୋଲି କୁହାଯାଉଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.