ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର : ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ବାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ

Sep 23, 2023 - 21:23
 0  6
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର : ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ବାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର : ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ବାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର : ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ବାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର : ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ବାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ

ଭୁବନେଶ୍ୱର, ସେପ୍ଟେମ୍ବର ୨୩: ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ରପତି୍ରକାକୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି ।

ଏହି ପୁସ୍ତକଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ବ୍ୟାକରଣ, ପ୍ରଥମ ଉପନ୍ୟାସ ଓ ପ୍ରାଚୀନ ଓଡ଼ିଆ ପତ୍ରପତି୍ରକା ରହିଛି । ଅନେକ ପୁସ୍ତକ ଶତାୟୁ ହୋଇଥିବାବେଳେ କିଛି ଅର୍ଦ୍ଧଶତାବ୍ଦୀରୁ ପୁରୁଣା । ଏହି ବିରଳ ଗ୍ରନ୍ଥଗୁଡ଼ିକୁ ରାଜ୍ୟ ଗ୍ରନ୍ଥାଗାରର ଏକ ସ୍ୱତନ୍ତ୍ର କୋଠରୀରେ ସଂରକ୍ଷିତ କରି ରଖାଯାଇଛି ।

ଏହି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁଜୀ ଡ. ଚନ୍ଦ୍ରଭାନୀ ଶତପଥୀ ଏହି ପୁସ୍ତକଗୁଡ଼ିକୁ ପାଠକପାଠିକାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଏହି ପୁସ୍ତକପୁସ୍ତିକାରେ ପ୍ରାଚୀନ ଓଡ଼ିଶାର ସାହିତ୍ୟ, ଇତିହାସ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସଂପର୍କରେ ଅନେକ ଉପାଦେୟ ତଥ୍ୟ ରହିଛି । ଏଥି ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷଠାରୁ ଆରମ୍ଭ କରି ମୟୂରଭଞ୍ଜର ରାଜାମହାରାଜାଙ୍କ ରାଜ୍ୟାଭିଷେକର ଚିତ୍ର ଓ ତଥ୍ୟ ରହିଛି ।

ଏହି ପୁସ୍ତକଗୁଡ଼ିକ ଗବେଷଣା ନିମନ୍ତେ ଉତ୍ତରପିଢ଼ି ପାଇଁ ଉପାଦେୟ ହୋଇପାରିବ ବୋଲି ଗୁରୁଜୀ ଉଲ୍ଲେଖ କରିଥିଲେ । ନିଜସ୍ୱ ଉଦ୍ୟମରେ ନୋଏଡ଼ାଠାରେ ପ୍ରତିଷ୍ଠିତ ଲାଇବ୍ରେରୀରେ ଏହି ପୁସ୍ତକଗୁଡ଼ିକ ଦୀର୍ଘବର୍ଷ ଧରି ସାଇତି ରଖାଯାଇଥିଲା । ଏହାକୁ ନେବା ପାଇଁ ଜାତୀୟ ସ୍ତରର ଅନେକ ସଂସ୍ଥା ଇଚ୍ଛା ପ୍ରକଟ କରିଥିବାବେଳେ ସେ ଏଗୁଡ଼ିକୁ ଓଡ଼ିଶା ମାଟିକୁ ପ୍ରଦାନ କରିବାକୁ ଚାହିଁଥିଲେ ବୋଲି ଗୁରୁଜୀ କହିଥିଲେ ।

ଏହି ପୁସ୍ତକଗୁଡ଼ିକ ମଧ୍ୟରୁ କିଛି ତାଙ୍କ ପିତା ସ୍ୱର୍ଗତ ଗୋକୁଳ ଚନ୍ଦ୍ର ଶତପଥୀ ସଂଗ୍ରହ କରିଥିବାବେଳେ କିଛି ସେ ସଂଗ୍ରହ କରିଛନ୍ତି । ପୁସ୍ତକ ପ୍ରତି ତାଙ୍କ ଦୁର୍ବଳତା ଓ ଓଡ଼ିଆ ସାହିତ୍ୟ ପ୍ରତି ପିଲାଦିନରୁ ତାଙ୍କ ରୁଚି ସଂପର୍କରେ ସେ ଉଲ୍ଲେଖ କରିଥିଲେ । ଦିଲ୍ଲୀରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପୁସ୍ତକ ଆଣିବାରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଗୁରୁଜୀ ସମ୍ବର୍ଦ୍ଧିତ କରିଥିଲେ । 

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ଏହି ପୁସ୍ତକ ହେଉଛି ଜାତୀୟ ସଂପଦ । ଏଗୁଡ଼ିକର ସଂରକ୍ଷଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

୧୯୫୯ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ଗ୍ରନ୍ଥାଗାରକୁ ୧୯୮୭ ମସିହାରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନାମରେ ନାମିତ କରାଯାଇଛି । ଏଠାରେ ଥିବା ପ୍ରାୟ ଅଢ଼େଇ ଲକ୍ଷ ପୁସ୍ତକର ଡିଜିଟାଇଜେସନ୍‌ ପ୍ରକ୍ରିୟା ଶେଷ ହୋଇଛି । ୫-‘ଟି’ ଉପକ୍ରମ ଅଧିନରେ ପ୍ରାୟ ୨୦ କୋଟି ବ୍ୟୟ ଅଟକଳରେ ନବୀକରଣ ପ୍ରକ୍ରିୟା ଜାରି ରହି ପାଠକପାଠିକାମାନଙ୍କୁ ଉନ୍ନତ ସେବା ପ୍ରଦାନ କରାଯାଉଛି । ଏକ ସାଙ୍ଗରେ ପ୍ରାୟ ୫ ଶହ ଜଣ ଏଠାରେ ଏକତ୍ର ବସି ପଢ଼ିବାର ସୁବିଧା ରହିଛି । ଗବେଷଣାଲବ୍ଧ ଅନେକ ପୁସ୍ତକପୁସ୍ତିକା ଏଠାରେ ଥିବା ସେ କହିବା ସହ ଗୁରୁଜୀଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । 

 ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଶ୍ରୀ ବିଦ୍ୟାଧର ପଣ୍ଡା ଓ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ନୂଆଦିଲ୍ଲୀର ନୋଏଡ଼ାସ୍ଥିତ ‘ସାଇ କରୁଣା ଧାମ୍‌’ ଆଶ୍ରମରେ ଗୁରୁଜୀଙ୍କୁ ସାକ୍ଷାତ କରିବା ଏବଂ ରାଜ୍ୟ ଗ୍ରନ୍ଥାଗାରକୁ ପୁସ୍ତକ ଆଣିବା ସମୟ ମଧ୍ୟରେ ବିଭିନ୍ନ ଅଲୌକିକ ଘଟଣାର ଅନୁଭୂତି ସଂପର୍କରେ ପ୍ରକାଶ କରିଥିଲେ । 

ପ୍ରଥମେ ଗୁରୁଜୀ ରାଜ୍ୟ ଗ୍ରନ୍ଥାଗାର ପରିସରରେ ଥିବା ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ସଂଗ୍ରହାଳୟ ବୁଲି ଦେଖି ଖୁସି ବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପି୍ରୟଦର୍ଶୀ, ଅବସରପ୍ରାପ୍ତ ବିଚାରପତି, ପ୍ରଶାସକ, ସମାଜସେବୀ, ବିଭାଗୀୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow