ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ପାକିସ୍ତାନ 

Sep 7, 2023 - 12:44
 0  3
ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ପାକିସ୍ତାନ 

ଲାହୋରର ଗଦାଫି ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଅନ୍ତର୍ଗତ ସୁପର-୪ର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୭ ଓ୍ବିକେଟରେ ପରାସ୍ତ କରିଛି ପାକିସ୍ତାନ । ବାଂଲାଦେଶ ଦ୍ବାରା ରଖାଯାଇଥିବା ୧୯୪ ରନର ଲକ୍ଷ୍ୟକୁ ପାକିସ୍ତାନ ୩୯.୩ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଇନାମୁଲ ହକ୍ ସର୍ବାଧିକ ୭୮ ରନ କରିଥିବାବେଳେ ମହମ୍ମଦ ରିଜଓ୍ବାନ ଅପରାଜିତ ୬୩ରନ କରିଥିଲେ । ତେବେ ଏହି ମ୍ୟାଚରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ଚଳିତ ଏସିଆ କପରେ ଅଧିକାଂଶ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଉଥିବାବେଳେ ଏହି ମ୍ୟାଚ ଆଲୋକ ଯୋଗୁଁ କିଛି ସମୟ ପାଇଁ ବନ୍ଦ ରହିଥିଲା । ବାବର ଆଜମ ଓ ଇମାମ-ଉଲ-ହକ୍ କ୍ରିଜରେ ଥିବାବେଳେ ଫ୍ଲଡଲାଇଟ୍ ଲିଭିଯାଇଥିଲା । ଫଳରେ ମ୍ୟାଚ କିଛି ସମୟ ପାଇଁ ଅଟକି ରହିଥିଲା । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପାକିସ୍ତାନୀ ବୋଲରଙ୍କ ସମ୍ମୁଖୀନ ହୋଇନପାରି ୧୯୩  ରନରେ ଅଲଆଉଟ ହୋଇଯାଇଥିଲା । ଦଳର ସ୍କୋର ୦ ଥିବାବେଳେ ମେହେଦି ହାସନ ମିରାଜ ପାଭିଲିୟନ ଫେରିଥିଲେ । ମହମ୍ମଦ ନଇମ ଓ ଲିଟନ ଦାସ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ତେବେ ଅଧିନାୟକ ସକିବୁଲ ହସନ ଓ ମୁସ୍ତାଫିକୁର ରହିମ୍ ପାକିସ୍ତାନୀ ବୋଲରଙ୍କ ଲଢୁଆ ମୁକାବିଲା କରି ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲେ ।  ସକିବୁଲ ହସନ ୫୩ରନ କରିଥିବାବେଳେ ମୁସ୍ତାଫିକୁର ୬୪ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ନିମ୍ନକ୍ରମ ପୁଣି ଥରେ ଭୁସୁଡ଼ିପଡ଼ିଥିଲା । ଦଳ ୩୮.୪ ଓଭରରେ ମାତ୍ର ୧୯୩ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ହାରିସ ରୌଫ ୪ଟି ଓ୍ବିକେଟ ନେଇଥିବାବେଳେ ନସିମ ଶାହ ୩ଟି ଓ୍ବିକେଟ ନେଇଥିଲେ । ଇଫତିଖାର ଅହମ୍ମଦ ଓ ଶାହିନ ଆଫ୍ରିଦି ଗୋଟିଏ  ଲେଖାଏଁ ଓ୍ବିକେଟ ନେଇଥିଲେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.