୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି: ୧୩ରୁ ଆବେଦନ କରିବେ ଆଶାୟୀ , ୧୦ ଅକ୍ଟୋବର ଆବେଦନର ଶେଷ ସମୟ

Sep 11, 2023 - 21:15
 0  7
୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି: ୧୩ରୁ ଆବେଦନ କରିବେ ଆଶାୟୀ , ୧୦ ଅକ୍ଟୋବର ଆବେଦନର ଶେଷ ସମୟ

ଭୁବନେଶ୍ୱର, ସେପ୍ଟେମ୍ବର ୧୧: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଓସେପା ୱେବସାଇଟ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ I

ଆବେଦନର ଶେଷ ସମୟ ଆସନ୍ତା ଅକ୍ଟୋବର ୧୦ ତାରିଖ । କିଛି ବର୍ଷ ବ୍ୟବଧାନରେ ବ୍ୟପାକ ସଂଖାରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ । 

ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକ (ସିମାଟିକ୍‌)ଙ୍କୁ ନିଯୁକ୍ତି ଦିଆଯିବ।

ଓସେପାରେ ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍‌, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି । ଓସେପାର ୱେବସାଇଟ୍ (https://osepa.odisha.gov.in) ରେ ଆଶାୟୀମାନେ ଆବେଦନ କରିବେ । ଏହା ବ୍ୟତୀତ ଅନ୍ୟକୌଣସି ମାଧ୍ୟମରେ ଆବେଦନକୁ ସ୍ୱୀକାର କରାଯିବ ନାହିଁ । ଆଶାୟୀମାନେ ଉପଯୁକ୍ତ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ।

ଏହା ପରେ  ଆବଶ୍ୟକ ତଥ୍ୟ ଅପଲୋଡ୍ କରି ଆବେଦନ କରିବେ । ଅନ୍‌ଲାଇନ୍‌ରେ ଆବେଦନ କରିବା ସମୟରେ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ଆଶାୟୀମାନେ ହେଲ୍ପଡେସ୍କ୍‌ର ୭୩୫୩୯୨୭୭୭୯ ନମ୍ବରରେ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ।

What's Your Reaction?

like

dislike

love

funny

angry

sad

wow