୨୯ତମ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦଯାପିତ: ଓଡ଼ିଶୀ, କଥକ ନୃତ୍ୟ ଓ ମର୍ଦଳ ବାଦନ

Sep 9, 2023 - 20:51
 0  7
୨୯ତମ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦଯାପିତ: ଓଡ଼ିଶୀ, କଥକ ନୃତ୍ୟ ଓ ମର୍ଦଳ ବାଦନ

ଭୁବନେଶ୍ୱର (୯.୯.୨୦୨୩): ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆଜି ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି।

ଚାରିଦିନ ଧରି ଅନୁଷ୍ଠିତ ଚମତ୍କାର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉପସ୍ଥାପନା ପରେ ପଞ୍ଚମ ସଂଧ୍ୟାରେ ପୁରସ୍କାର ବିତରଣ ସମାରୋହ ସହିତ ମର୍ଦ୍ଦଳ ବାଦନ, କଥକ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ଶେଷ ହୋଇଥିଲା ।

ଉଦ୍‍ଯାପନୀ ଉତ୍ସବର ଅତିଥିମାନେ ଥିଲେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ରଞ୍ଜିତା କୁଲ୍‍କରଣୀ; ସୁପରିଚିତ ରଙ୍ଗମଞ୍ଚ ଶିଳ୍ପୀ ଅନନ୍ତ ମହାପାତ୍ର ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ଗୁରୁ ରତିକାନ୍ତ ମହାପାତ୍ର । 

ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୩ ରଙ୍ଗମଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀ ଅନନ୍ତ ମହାପାତ୍ରଙ୍କୁ ପ୍ରଦାନ କରାଯିବା ସହିତ ତାଙ୍କୁ ୧ ଲକ୍ଷ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା ।

ଏହା ପରେ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ଉପସ୍ଥାପନା କରାଯାଇଥିଲା, ଯାହା ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁ କମ୍‍ ବୟସର ୪ ଜଣ ପ୍ରତିଷ୍ଠିତ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଧ୍ୟାନରେ ରଖି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇ ଥିଲା ।

ପ୍ରେରଣାଦାୟକ ପ୍ରଦର୍ଶନ ଏବଂ କଳା ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶୀ ନୃତ୍ୟ ପାଇଁ ଅରୁପା ଗାୟତ୍ରୀ ପଣ୍ଡା ଓ ସିଦ୍ଧି ୱାଇକର୍‍, କଥକ ନୃତ୍ୟ ପାଇଁ ବିଶାଲ୍‍ କୃଷ୍ଣ ଏବଂ ଓଡ଼ିଶୀ ସଙ୍ଗୀତ (ମର୍ଦ୍ଦଳ ବାଦନ) ପାଇଁ ଅରୂପ ଦାସଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯିବା ସହିତ ପ୍ରତେକଙ୍କୁ ୨୫,୦୦୦ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା ।

ଅନ୍ତିମ ସଂଧ୍ୟାରେ ପ୍ରଥମେ ଶ୍ରୀ ଅରୂପ ଦାସଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ କରାଯାଇଥିଲା, ଯେଉଁଥିରେ ସେ ଓଡ଼ିଶୀ ତାଳ ପ୍ରଣାଳୀର ଜଟିଳତାକୁ ବେଶ୍‍ ପ୍ରଶଂସନୀୟ ଢଙ୍ଗରେ ଅନୁଧ୍ୟାନ କରି ଆଦିତାଳରେ ମର୍ଦ୍ଦଳ ବାଦନ କରିଥିଲେ । ତାଙ୍କୁ ହାରମୋନିୟମରେ ମୁରଲୀଧର ସ୍ୱାଇଁ ସହଯୋଗ କରିଥିଲେ ।

ଏହାପରେ ସିଦ୍ଧ ୱାଇକରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେସିତ ହୋଇଥିଲା । ତାଙ୍କ ଉପସ୍ଥାପନରେ ଥିଲା ନବଗ୍ରହ ଯାହା ଅନନ୍ତ ମହାଜାଗତିକ ଶକ୍ତିର ମୂର୍ତ୍ତି ଯିଏ ଜୀବନର ଚକ୍ର, କର୍ମର ଚକ୍ରକୁ ବଦଳାଇ ଦେଇଥାଏ । ନବଗ୍ରହ ନଅଟି ଅର୍ଦ୍ଧଦେବତାଙ୍କୁ ଚିତ୍ରିତ କରି ନୃତ୍ୟଶିଳ୍ପୀ ସୁନ୍ଦର ଭାବରେ ନୃତ୍ୟ ରଚନା କରିଥିଲେ ଯାହା ଜନ୍ମ ସମୟରେ ନଅଟି ଗ୍ରହର ଆକାଶୀୟ ସଂରଚନାକୁ ଚିତ୍ରିତ କରିବା ସହିତ ଜଣେ ବ୍ୟକ୍ତିର ଜନ୍ମ କୁଣ୍ଡଳୀ ଓ ତାର ଭବିଷ୍ୟତକୁ ନିର୍ଦ୍ଦେଶ କରିଥାଏ ।

ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କଥକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଶ୍ରୀବିଶାଲ କୃଷ୍ଣ । ସେ ପ୍ରଥମେ ପଣ୍ଡିତ ଶୁକଦେବ ମହାରାଜଙ୍କ ଦ୍ୱାରା ଲିଖିତ ଶିବ କବିତା ପରାଣ ପରେ ପରେ ବନାରସ ଘରାନାରେ ତିନ ତାଲରେ କେତେକ ବୈଷୟିକ ନୃତ୍ୟ ପରିବେଷଣ କରିଥିଲେ । ତାଙ୍କର ଶେଷ ପ୍ରସ୍ତୁତିଟି ଥିଲା ରାଧା-କୃଷ୍ଣଙ୍କ ରାସଲୀଳା ଉପରେ ଆଧାରିତ ନୃତ୍ୟାଭିନୟ ।

ଅନ୍ତିମ ସଂଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ଅରୁପା ଗାୟତ୍ରୀ ପଣ୍ଡାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ଦ୍ୱାଦଶ ଶତାବ୍ଦୀର ସନ୍ଥ ତଥା କବି ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ପରିବେସିତ ହୋଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି ଓ ସଙ୍ଗୀତ ସଂଯୋଜନା ଡ଼. ସୁବାସ ପାଣି ଓ ଗୁରୁ ବିଜୟ ବାରିକ କରିଥିଲେ । 

ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କୁଶଳୀ ତଥା ଭିନ୍ନ ଆଲୋକ ଡିଜାଇନ୍ ଏବଂ ଶ୍ରୀ ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ନୃତ୍ୟାଭିନୟଟିକୁ ଚିତାକର୍ଷକ କରିଥିଲା । ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ ।

What's Your Reaction?

like

dislike

love

funny

angry

sad

wow