ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କ ବଳିଦାନ ଯୁବପିଢ଼ୀଙ୍କୁ ଦେଶପ୍ରେମରେ ସର୍ବଦା ଉଦବୁଦ୍ଧ କରିବ 

Aug 9, 2023 - 19:25
 0  7
ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କ ବଳିଦାନ ଯୁବପିଢ଼ୀଙ୍କୁ ଦେଶପ୍ରେମରେ ସର୍ବଦା ଉଦବୁଦ୍ଧ କରିବ 

ଭୁବନେଶ୍ୱର - ତା. ୦୯.୦୮.୨୦୨୩- ଖୋର୍ଦ୍ଧା ପାଇକ ବିଦ୍ରୋହର ଅଗ୍ରଣୀ ଯୋଦ୍ଧା, ଦାରୁଠେଙ୍ଗ ମାଟିର ବୀରପୁତ୍ର ଶହୀଦ ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କ ୨୦୨ତମ ବଳିଦାନ ଦିବସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପିଣ୍ଡିକୀ ସ୍ମୃତି ସଂସଦ, ପିଣ୍ଡିକୀ ୟୁଥ କ୍ଳବ, ଦାରୁଠେଙ୍ଗ ଗ୍ରାମପଞ୍ଚାୟତ, ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆଜି  ପ୍ରତ୍ୟୁଷରେ ଶହୀଦଙ୍କ ଜନ୍ମମାଟି ଦାରୁଠେଙ୍ଗ ପିଣ୍ଡିକୀ ସ୍ମୃତିସ୍ତମ୍ଭ ଓ ପତିମୂର୍ତ୍ତିସ୍ଥଳୀରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି।

ପ୍ରାରମ୍ଭରେ ଏକ ଶୋଭାଯାତ୍ରା ସଭାସ୍ଥଳୀରେ ପହଁଚିବାପରେ ସରପଞ୍ଚ  ତପନ କୁମାର ଚକ୍ରବର୍ତ୍ତୀ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସ୍ମୃତିସ୍ତମ୍ଭ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରାଯାଇଥିଲା । ଶ୍ରଦ୍ଧାଳୁମାନେ ଦେଶପ୍ରେମ ସଂଗୀତ ସହିତ ପାଇକ ବିଦ୍ରୋହର ସମର ସଂଗୀତ ସମୂହ ଗାନ  କରିଥିଲେ ।

 ଏହି କାର୍ଯ୍ୟକ୍ରମରେ ପିଣ୍ଡିକୀ ସ୍ମୃତି ସଂସଦର ସଭାପତି କବିରାଜ ବିଧାର, ଉପସଭାପତି ଅମରେନ୍ଦ୍ର ମହାପାତ୍ର, ଭୁବନେଶ୍ୱର ବାଲିଯାତ୍ରା କମିଟିର ସାଧାରଣ ସମ୍ପାଦକ ତପନ କୁମାର ବଳିୟାରସିଂହ, ପିଣ୍ଡିକୀ ୟୁଥ କ୍ଳବ ସଭାପତି ଦିଲ୍ଲୀପ ମାଝୀ, ସମ୍ପାଦକ ପବିତ୍ର ବଳିୟାରସିଂହ, ବିଷ୍ଣୁ ପାତ୍ର, ଆନନ୍ଦ ମାଝୀ, ପର୍ଶୁରାମ ଗଜେନ୍ଦ୍ର, ଶହୀଦଙ୍କ ଉତ୍ତରାଧିକାରୀ ପ୍ରଫୁଲ୍ଲ ବାହୁବଳେନ୍ଦ୍ର, ସମାଜସେବୀ ପ୍ରଦୀପ୍ତ ପରିଡା,ନାରୀନେତ୍ରୀ  ରୁବିନା ପରିଡା, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ହରପ୍ରିୟା ପଟ୍ଟଯୋଶୀ, ଜୟ  ଓଡିଶା ସଭ୍ୟବୃନ୍ଦ ନିଜ ବକ୍ତବ୍ୟରେ ଖୋର୍ଦ୍ଧା ଗଡ଼କୁ ବ୍ରିଟିଶ କବଳରୁ ମୁକ୍ତପାଇଁ ସଶସ୍ତ୍ର ସଂଗ୍ରାମ କରି ପ୍ରତାରକ ଚକ୍ରାନ୍ତରେ ବ୍ରିଟିଶ ହାତରେ ଧରାପଡି  କାରବାରଣ କରିଥିଲେ।

ଯୋଦ୍ଧା ପିଣ୍ଡିକୀ ଜେଲ ପ୍ରାଚୀର ଡେଇଁ ପଳାୟନ  କରୁଥିବା ସମୟରେ ବ୍ରିଟିଶ ସୈନ୍ୟ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଓ ସେ ଶହୀଦ ହୋଇଥିଲେ । ତାଙ୍କ ସଂଘର୍ଷ ଓ ବଳିଦାନକୁ ଯୁବ ଛାତ୍ର ସମାଜ ଆଦର୍ଶ ଭାବେ ଗ୍ରହଣ କରି ନିଜକୁ ଦେଶପ୍ରେମରେ ଉଦବୁଦ୍ଧ କରିବା ଆବଶ୍ୟକ ବୋଲି ଅତିଥି ମାନେ  ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

 ଏହି ଅଵସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶହୀଦଙ୍କ ଆତ୍ମୀୟ ପ୍ରଫୁଲ୍ଲ ବାହୁବଳେନ୍ଦ୍ରଙ୍କୁ ସମ୍ମାନିତ କରାଯାଇଥିଲା । ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ବିଭାଗ ପକ୍ଷରୁ ଚନ୍ଦକାସ୍ଥିତ ଶହୀଦଙ୍କ  ପ୍ରତିମୂର୍ତ୍ତିରେ ସ୍ଥାନୀୟ ନାଗରିକ ଙ୍କ ଉପସ୍ଥିତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow