ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସଶସ୍ତ୍ର ବଳ ଓ ବେସାମରିକ ସେବା ଅଧିକାରୀଙ୍କ ମଧ୍ୟରେ ପାରସ୍ପରିକ ଜ୍ଞାନ ଆହରଣ କାର୍ଯ୍ୟକ୍ରମ 

Oct 4, 2023 - 16:29
 0  12
ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସଶସ୍ତ୍ର ବଳ ଓ ବେସାମରିକ ସେବା ଅଧିକାରୀଙ୍କ ମଧ୍ୟରେ ପାରସ୍ପରିକ ଜ୍ଞାନ ଆହରଣ କାର୍ଯ୍ୟକ୍ରମ 
ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସଶସ୍ତ୍ର ବଳ ଓ ବେସାମରିକ ସେବା ଅଧିକାରୀଙ୍କ ମଧ୍ୟରେ ପାରସ୍ପରିକ ଜ୍ଞାନ ଆହରଣ କାର୍ଯ୍ୟକ୍ରମ 
ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସଶସ୍ତ୍ର ବଳ (ଭାରତୀୟ ସେନା, ବାୟୁସେନା, ନୌସେନା ଏବଂ ଭାରତୀୟ ତଟ ରକ୍ଷକ ସେନା ) ଓ ବେସାମରିକ ସେବା ଅଧିକାରୀ (ସିଭିଲ୍ ସର୍ଭିସେସ୍) ଅଧିକାରୀଙ୍କ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ଦ୍ୱିତୀୟ ପାରସ୍ପରିକଭାବବିନିମୟରେ ଜ୍ଞାନ ଆହରଣ କାର୍ଯ୍ୟକ୍ରମ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ଆରମ୍ଭ ହୋଇଛି । ଆଗାମୀ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। 

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏକାଡେମୀର ମହା ନିର୍ଦ୍ଦେଶକ ଅନୁ ଗର୍ଗଙ୍କ ଉପସ୍ଥିତିରେ ଅଗ୍ନିଶମ ଓ ଆପାତକାଳୀନ ସେବା ଡିଜି ସୁଧାଂଶୁ ଷଡଙ୍ଗୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶକ ଡଃ. ଜ୍ଞାନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ୧୦ ଜଣ ଆର୍ମି ଅଫିସର, ୩ ଜଣ ନାଭାଲ ଓ ୩ ଜଣ ବାୟୁସେନା ଅଧିକାରୀଙ୍କ ସମେତ ଓଡ଼ିଶା ସହ ଦେଶର ବିଭିନ୍ନ ପ୍ରଦେଶରୁ ମୋଟ ୩୦ ଜଣ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌, ସେବା ଅଧିକାରୀମାନେ ଯୋଗ ଦେଇଛନ୍ତି। 

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ୧୯୯୯  ମସିହା ମହାବାତ୍ୟାରୁ ଓଡିଶା ବିପର୍ଯ୍ୟୟ ପରିଚାଳନା କରିବା ପାଇଁ  ଶିକ୍ଷାଲାଭ କରିଥିଲା । ସେବେଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାରେ ଭିତ୍ତିଭୂମି ସୁଦୃଢ଼ ହୋଇଛି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ  ଆମର ଦୀର୍ଘ ବର୍ଷର ଅଭିଜ୍ଞତା ଓ କଠିନ ପରିଶ୍ରମ  ପ୍ରାକୃତିକ ବିପର୍ଯ୍ୟୟ  ମୁକାବିଲା ଦିଗରେ  ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି।

ଏହି ପରିପ୍ରେକ୍ଷୀରେ ସେ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସମୟରେ ସମସ୍ତଙ୍କ ସହଯୋଗରେ କିପରି  କମ ସମୟ ମଧ୍ୟରେ  ପୁନରୁଦ୍ଧାର  କାର୍ଯ୍ୟ କରାଯାଇ ବହୁ ଆହତଙ୍କ ଜୀବନ ରକ୍ଷା କରାଯାଇ ପାରିଲା ସେ ସଂପର୍କରେ ଅଭିଜ୍ଞତା  ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ସ୍ତରରେ ଥିବା ସାଧନ ଓ ପ୍ରସ୍ତୁତି ସମେତ ରାଜ୍ୟରକ୍ଷମତା ବାହାରେ ରହୁଥିବା ବିପର୍ଯ୍ୟୟ ଘଟିବା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ  ସ୍ତରୀୟ  ସଂସ୍ଥା ଗୁଡିକର ସୁସମନ୍ୱୟ ରକ୍ଷା ବିପର୍ଯ୍ୟୟ ପରିଚାଳନାର ପ୍ରମୁଖ ଆବଶ୍ୟକତା ବୋଲି ମୁଖ୍ୟ ଶାସନ ସଚିବକହିଥିଲେ।

ଆୟୋଜିତ ପ୍ରଶିକ୍ଷଣ  ବିଭିନ୍ନ ବର୍ଗର ଅଧିକାରୀଙ୍କ କାର୍ଯ୍ୟ  ପରିସର ଓ କାର୍ଯ୍ୟଧାରା ଏବଂ ସଂସ୍ଥାଗତ ବ୍ୟବସ୍ଥା ସଂପର୍କରେ ପରସ୍ପର ମଧ୍ୟରେ ଜାଣିବାରେ ସହାୟକ ହେବ, ଯାହାକି ଆଗାମୀ ଦିନରେ ଯେକୌଣସି ପ୍ରକାର ବିପର୍ଯ୍ୟୟକୁ ମୁକାବିଲା କରିବାରେ ଅଧିକ ସମର୍ଥ  ହେବ ବୋଲି  ସେ କହିଥିଲେ। 

ଉନ୍ନୟନ କମିଶନର  ତଥା ଗୋପବନ୍ଧୁ  ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀମତୀ ଗର୍ଗ କହିଥିଲେ ଯେ ୧୯୫୮ ମସିହାରେ ସ୍ଥାପିତ  ଏହି  ଏକାଡେମୀ ଏହାର ଦୀର୍ଘ ୬୫ ବର୍ଷ ଯାତ୍ରାରେ ଏହାର ପ୍ରଶିକ୍ଷଣ ଶୈଳୀରେ ପରିବର୍ତ୍ତନ ଆଣିଛି I ଆୟୋଜିତ ଏହି ବିପର୍ଯ୍ୟୟ ପରିଚାଳନା ସଂପର୍କିତ ପ୍ରଶିକ୍ଷଣରେ ଓଡ଼ିଶା ସମେତ ଆସାମ,ଜାମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ତାମିଲନାଡୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରଦେଶକୁ ଯୋଗଦେଇଥିବା  ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିବା ସହ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ଅନେକ କିଛି ଶିକ୍ଷାଲାଭ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ବନ୍ୟା,ବାତ୍ୟା ସହ ମରୁଡି,ବଜ୍ରାଘାତ, ନଦୀବୁଡି ଆଦି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଦିଗରେ ଏହି ପ୍ରଶିକ୍ଷଣ ସହାୟକ  ହେବ ବୋଲି ସେ ପ୍ରକାଶ କରିଥିଲେ। 

ଅଗ୍ନିଶମ ସେବା ମହା ନିର୍ଦ୍ଦେଶକ ଡ଼ଃ ଷଡଙ୍ଗୀ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଅଗ୍ନିଶମ ବାହିନୀର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସଂପର୍କରେ ପ୍ରକାଶ କରି କହିଲେ ଯେ, ୧୯୯୯ ମସିହାରେ  ରାଜ୍ୟରେ ୧୧୨ ଟି ଅଗ୍ନିଶମ  ସେବା କେନ୍ଦ୍ର ଥିବା ବେଳେ ପ୍ରତି ବ୍କକରେ ଅନ୍ତତଃ ଗୋଟିଏ କେନ୍ଦ୍ର ପ୍ରତିଷ୍ଠାର ଲକ୍ଷ୍ୟ ନେଇ  ଏବେ ଏହା ୩୪୬ କୁ ବୃଦ୍ଧି ପାଇଛି। ଅଗ୍ନଶମ ସେବା କର୍ମଚାରୀମାନେ କେବଳ ଅଗ୍ନିନିର୍ବାପକ କାର୍ଯ୍ୟକ୍ରମରେ ସୀମିତ ନ ରହି  ଆପାତକାଳୀନ ସେବାରେ ନିୟୋଜିତ ଅଛନ୍ତି ।  ଅଗ୍ନିଶମ ନିର୍ଦ୍ଦେଶାଳୟକୁ ଅଗ୍ନିଶମ ଓ ଆପାତକାଳୀନ ସେବା ନିର୍ଦ୍ଦେଶାଳୟ ନାମରେ ନାମିତ   କରାଯାଇଛି ।  ଦୂର୍ଘଟଣା ପୀଡିତଙ୍କୁ  “ଗୋଲଡେନ୍ ଆଓ୍ୱାର” ସମୟ ଭିତରେ ସହାୟତା ପ୍ରଦାନ କରିବା  ଆମର ପ୍ରାଥମିକତା ରହିଛି ବୋଲି ସେ ପ୍ରକାଶ କରିଥିଲେ।  

ଗୋପବନ୍ଧୁ ଏକାଡେମୀର ଅତିରିକ୍ତ ମହାନିର୍ଦ୍ଦେଶକ ମନିଷ ଅଗ୍ରଓ୍ୱାଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଭୟ କ୍ଲାସ ରୁମ ପ୍ରଶିକ୍ଷଣ, ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ସହ କ୍ଷେତ୍ର ପରିଦର୍ଶନ ବ୍ୟବସ୍ଥା ରହିଛି। ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ରସାୟନିକ ଓ ବାୟୋଲୋଜିକାଲ ଓ ଅନ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ  କିଭଳି ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି, ସେ ସଂପର୍କରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ପ୍ରଶିକ୍ଷଣ ଓ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ବିପର୍ଯ୍ୟୟ ପରିଚାଳନା ଦିଗରେ ଓଡ଼ିଶା କିପରି କାର୍ଯ୍ୟ କରୁଛି ସେ ସଂପର୍କରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ଜ୍ଞାନ ଆହରଣ ଏହି ପ୍ରଶିକ୍ଷଣ ପ୍ରଦାନ କରିବ  ବୋଲି ସେ କହିଥିଲେ।  

ଓସଡମାର ପରିଚାଳନା ନିର୍ଦ୍ଦେଶକ ଡଃ. ଦାସ, ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ। ଏକାଡେମୀର ଅତିରିକ୍ତ କମିଶନର ଡଃ. ହିମାଂଶୁ ଭୂଷଣ ପଣ୍ଡାଙ୍କ ଓ ଯୁଗ୍ମ ନିର୍ଦ୍ଦେଶକ କିରଣବାଳା ନାୟକଙ୍କ ସମେତ ସେଣ୍ଟର ଅଫ ଗୁଡ ଗଭର୍ଣ୍ଣାନସର କର୍ମକର୍ତ୍ତା ମାନେ  ଉପସ୍ଥିତ ଥିଲେ। ଏକାଡେମୀର ଉପ ମହାନିର୍ଦ୍ଦେଶକ ଡଃ. ପ୍ରତାପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। 

What's Your Reaction?

like

dislike

love

funny

angry

sad

wow