ଦେଶରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ୍ ବା ଏକକ ନାଗରିକ ସଂହିତା !

Jul 4, 2023 - 15:25
 0  6
ଦେଶରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ୍ ବା ଏକକ ନାଗରିକ ସଂହିତା !

ଦେଶରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି) ବା ଏକକ ନାଗରିକ ସଂହିତା । ଯହାକୁ ନେଇ ଗତ କିଛିଦିନ ହେବ ଦେଶରେ ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)କୁ ନେଇ ଲଗାତାର ଚର୍ଚ୍ଚା ହେଉଛି। ୟୁନିଫର୍ମ ସିଭିଲ କୋଡ ଦେଶରେ ବିଭିନ୍ନ ଧର୍ମମତ ନିର୍ବିଶେଷରେ ଏକ ପ୍ରକାରର ଆଇନ କାନୁନ ଲାଗୁ କରିବା ପାଇଁ ଉଦ୍ଦିଷ୍ଟ । ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଚୟନ ତଥା ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ ଏକକ ଆଇନ କାର୍ଯ୍ୟକାରୀ କରିବା ପାଇଁ ଏଥିରେ ବିଧି ବ୍ୟବସ୍ଥା ରହିବ।

ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏ ସଂକ୍ରାନ୍ତ ବିଲ୍‌କୁ କେନ୍ଦ୍ର ସରକାର ଆସନ୍ତା ମାସରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ବେଳେ ଗୃହରେ ଆଗତ କରିବେ।

ଭାରତୀୟ ସମ୍ବିଧାନ ସାମାଜିକ ସମଭାବପନ୍ନ ଏବଂ ଧର୍ମନିରପେକ୍ଷତାରେ ବିଶ୍ବାସ ରଖୁଥିବା ବେଳେ ଏବେ ସୁଦ୍ଧା ଦେଶରେ ଭିନ୍ନ ଭିନ୍ନ ଧର୍ମାବଲମ୍ବିଙ୍କ ମଧ୍ୟରେ ରହିଛି ନିଜସ୍ଵ ସାମାଜିକ ପଦ୍ଧତି। ଯଦିଓ କୌଣସି ଧର୍ମର ବିରୁଦ୍ଧାଚରଣ କରିବା ନିମନ୍ତେ ପ୍ରସ୍ତାବିତ ସିଭିଲ କୋଡରେ ଉଲ୍ଲେଖ ନହିଁ, କିନ୍ତୁ ଧର୍ମ ମତ ନିର୍ବିଶେଷରେ ଏକତ୍ଵ ବା ସମାନତ୍ଵ ରହିବା ଉପରେ ଏଥିରେ ଗୁରୁତ୍ଵାରୋପ କରାଯାଇଛି । ଅର୍ଥାତ ନାଗରିକଙ୍କ ମୌଳିକ ଅଧିକାର ଏଥିରେ ଅଧିକ ସୁଦୃଢ ହେବ ନେଇ ଗୁରୁତ୍ଵାରୋପ କରାଯାଇଛି।

ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତା

ଭାରତୀୟ ସମ୍ବିଧାନ ଅନୁଯାୟୀ ଭାରତ ହେଉଛି ଏକ ଧର୍ମନିରପେକ୍ଷ ଦେଶ, ଯେଉଁଠାରେ ସମସ୍ତ ଧର୍ମ ଓ ସମ୍ପ୍ରଦାୟରେ ବିଶ୍ୱାସ କରୁଥିବା ଲୋକ (ଯେପରିକି ହିନ୍ଦୁ, ମୁସଲମାନ, ଶିଖ, ବୌଦ୍ଧ ଇତ୍ୟାଦି) ନିଜ ଧର୍ମ ସହ ଜଡିତ ଆଇନ ତିଆରି କରିବାର ଅଧିକାର ପାଇଛନ୍ତି । ଆହ୍ଲାବାଦ ହାଇକୋର୍ଟର ଆଡଭୋକେଟ୍ ଶତ୍ରୁଘ୍ନ ସୋନୱାଲଙ୍କ ଅନୁଯାୟୀ, “ଭାରତରେ ଦୁଇ ପ୍ରକାରର ବ୍ୟକ୍ତିଗତ ଆଇନ ଅଛି । ପ୍ରଥମଟି ହେଉଛି ହିନ୍ଦୁ ବିବାହ ଆଇନ ୧୯୫୬; ଯାହା ହିନ୍ଦୁ, ଶିଖ, ଜୈନ ଓ ଅନ୍ୟାନ୍ୟ ସମ୍ପ୍ରଦାୟ ପାଇଁ ପ୍ରଯୁଜ୍ୟ । ଦ୍ୱିତୀୟ, ହେଉଛି ଯେଉଁମାନେ ମୁସଲମାନ ଧର୍ମ ଅନୁସରଣ କରନ୍ତି ସେମାନଙ୍କ ପାଇଁ ପ୍ରଯୁଜ୍ୟ । ଏପରି ପରିସ୍ଥିତିରେ, ଭାରତୀୟ ସମ୍ବିଧାନର ନିୟମ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ହିନ୍ଦୁ ବିବାହ ଅଧିନିୟମ ୧୯୫୬ ମୁସଲମାନ ବ୍ୟତୀତ ଅନ୍ୟ ସମସ୍ତ ଧର୍ମ ପାଇଁ ପ୍ରଯୁଜ୍ୟ ହୋଇଥିବାବେଳେ ମୁସଲମାନ ଧର୍ମ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବାର ଆଲୋଚନା ହେଉଛି ।

ୟୁନିଫର୍ମ ସିଭିଲ କୋଡ ବା ଏକକ ନାଗରିକ ସଂହିତା କାର୍ଯ୍ୟକାରୀ ହେବା ଦ୍ଵାରା ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ, ପାର୍ସି ତଥା ଅନ୍ଯାନ୍ଯ ଧର୍ମ ଓ ସଂପ୍ରଦାୟ ଗୁଡିକର ରହିଥିବା କେତେକ ଆଇନ ଗୁଡିକ ଅସିଦ୍ଧ ହୋଇଯିବା ସମ୍ଭାବନା ରହିଛି । ଏହାଦ୍ବାରା କେତେକ ଧର୍ମାବଲମ୍ବୀ ଏହି ଆଇନକୁ ସମର୍ଥନ କରୁଥିବା ବେଳେ କିଛି ଧାର୍ମିକ ନେତା ଏହାକୁ ବିରୋଧ କରୁଛନ୍ତି। ହିନ୍ଦୁ ସକସେସନ ଆଇନ (୧୯୫୬), ମୁସଲିମ ପରସନାଲ ଲ' ଆପ୍ଲିକେସନ ବୋର୍ଡ (୧୯୩୭), ହିନ୍ଦୁ ବିବାହ ଆଇନ (୧୯୫୫) ଇତ୍ୟାଦି ଆଇନ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ ହେଲେ ଅସିଦ୍ଧ ହୋଇଯିବ । ଏଥିଯୋଗୁ ଦେଶରେ ଏହି ପ୍ରସ୍ତାବିତ ଆଇନକୁ ନେଇ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଛି।

ଏକକ ନାଗରିକ ସଂହିତାର ସବୁଠାରୁ ବଡ ଫାଇଦା ହେଉଛି ବିଭିନ୍ନ ଧର୍ମରେ ରହିଥିବା ଭିନ୍ନ ଭିନ୍ନ ଆଚାର ସଂହିତାରେ ମାନବିକତା ଦୃଷ୍ଟିକୋଣରୁ ସଂଶୋଧନ। ସବୁ ଧର୍ମ ସମାନ ବୋଲି ସମ୍ବିଧାନରେ ରହିଥିବା ମୌଳିକ ନୀତିକୁ ଏହା ଅଧିକ ସୁଦୃଢ କରିବ । ଏହା ସମ୍ବିଧାନରେ ଉଲ୍ଲେଖ ଥିବା ସର୍ବ ଧର୍ମ ସମନ୍ଵୟ ନୀତିକୁ ଅଧିକ ପ୍ରାମାଣିକ ତଥା ବାସ୍ତବିକ ସ୍ୱରୂପ ଦେବା ନିମନ୍ତେ ଏକ ଅମୋଘ ଆଇନ ସାବ୍ୟସ୍ତ ହେବ । ମହିଳା ମାନଙ୍କୁ ବିବାହ, ଛାଡପତ୍ର, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ ଧାର୍ମିକ ଜଟିଳତା ଯୋଗୁଁ ରହିଥିବା ସମସ୍ୟାରୁ ମୁକ୍ତି ଦେବା ସହିତ ଅଧିକ ସାମାଜିକ ସୁରକ୍ଷା ପ୍ରଦାନ କରିବ । ନାଗରିକମାନେ ଦେଇପାରିବେ ନିଜର ମତାମତ: ଦେଶର ଲ' କମିଶନଦ୍ଵାରା ଏହି ପ୍ରସ୍ତାବିତ ବିଧେୟକ ଉପରେ ମତାମତ ଜଣାଇବା ପାଇଁ ଭାରତୀୟ ନାଗରିକଙ୍କୁ ଆହ୍ଵାନ କରାଯାଇଛି । ଚଳିତ ବର୍ଷ ଜୁଲାଇ ମାସ ୧୪ ତାରିଖ ପର୍ଯ୍ୟନ୍ତ ଏହା ଉପରେ ଲୋକମାନେ ମତାମତ ପ୍ରଦାନ କରିବା ପାଇଁ କମିଶନ ପକ୍ଷରୁ ସୁଯୋଗ ପ୍ରଦାନ କରାଯିବ । ନାଗରିକମାନେ ୩ହଜାର ଶବ୍ଦ ମଧ୍ୟରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ପାରିବେ ।

ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି)  କୁ ନେଇ କିଏ କ’ଣ କୁହନ୍ତି ?


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଷୟରେ ସିଧା ମନ୍ତବ୍ୟ ରଖିଛନ୍ତି। କୌଣସି ଦେଶରେ ଦୁଇଟି ଆଇନ ଚାଲି ପାରିବ ନାହିଁ  ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା ପାଇଁ ଉଦ୍ଧିଷ୍ଟ ବୋଲି କହିଥିଲେ।

ଉତ୍ତର ପ୍ରଦେଶ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ସମ୍ବିଧାନରେ ସମସ୍ତ ନାଗରିକ ସଂହିତାର ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ଲାଗୁ କରିବାର କୌଣସି ବ୍ୟବସ୍ଥା ନାହିଁ। କେବଳ  ସହମତି ଏବଂ ସଚେତନତା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ମେଘାଳୟ ମୁଖ୍ୟମନ୍ତ୍ରୀ କନରଡ ସାଂଗମା ୟୁନିଫର୍ମ ସିଭିଲ କୋଡକୁ ବିରୋଧ କରିଛନ୍ତି। ସେ କହିଛନ୍ତି କି ଏହି ଆଇନ ଦେଶର ବାସ୍ତବିକ ବିଚାରର ବିପରିତ। ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ ଓ ଏହି ବିବିଧତା ଆମର ଶକ୍ତି। ଏକ ରାଜନୈତିକ ଦଳ ଭାବେ ଆମେ ଅନୁଭବ କରୁଛୁ କି ଦେଶର ପୁରା ପୂର୍ବୋତ୍ତରରେ ଦେଶର ନିଆରା ସଂସ୍କୃତି ବଜାୟ ରହିଛି । ଏହି ସଂସ୍କୃତି ବଞ୍ଚାଇ ରଖିବାକୁ ହେଲେ ୟୁନିଫର୍ମ ସିଭିଲ କୋଡ ଭଳି ଆଇନକୁ ବିରୋଧ କରାଯିବା ଉଚିତ। ସମାନ ନାଗରିକ ସଂହିତା ହେଶର ସଂସ୍କୃତି ବିରୋଧୀ ବୋଲି ସେ ମତ ପ୍ରକାଶ କରିଛନ୍ତି ।

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ ୟୁସିସିକୁ ଭାଜପା ନିର୍ବାଚନ ଏଜେଣ୍ଡା ଭାବେ ବ୍ୟବହାର କରୁଛି। ଏ ବାବଦରେ ନିଆଯାଇଥିବା ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସେ କହିଛନ୍ତି।

ପୂର୍ବରୁ  ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ମଧ୍ୟ ଏହାକୁ ସମର୍ଥନ ଘୋଷଣା କରିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.