ଜୁଲାଇ ୧୧ ପର୍ଯ୍ୟନ୍ତ ବଢ଼ିଲା ଅଧିକ ପେନ୍‌ସନ୍ ଆବେଦନ ଅବଧି

Jun 27, 2023 - 15:36
 0  3
ଜୁଲାଇ ୧୧ ପର୍ଯ୍ୟନ୍ତ ବଢ଼ିଲା ଅଧିକ ପେନ୍‌ସନ୍ ଆବେଦନ ଅବଧି

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଅଧିକ ପେନ୍‌ସନ୍ ଲାଗି ଆବେଦନ କରିବାର ସମୟ ସୀମାକୁ ଜୁଲାଇ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ଜୁନ୍ ୨୬ ସମୟ ସୀମା ଆଜି ଶେଷ ହେଉଥିଲା। ଆସନ୍ତା ୧୫ ଦିନ ଭିତରେ ସଦସ୍ୟମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ। ଅଧିକ ପେନ୍‌ସନ୍ ପାଇଁ ଆବେଦନ କରିବାର ଏହା ଶେଷ ସୁଯୋଗ ବୋଲି ଇପିଏଫ୍ଓ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ଇପିଏଫ୍‌ଓ ପକ୍ଷରୁ ତୃତୀୟ ଥର ପାଇଁ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଯେଉଁ ସଦସ୍ୟମାନେ ଆବେଦନ ଅସୁବିଧା ସାମ୍ନା କରୁଛନ୍ତି ସେମାନେ ତୁରନ୍ତ ତାହାର ଅଭିଯୋଗ କରିବା ଦରକାର ବୋଲି ଇପିଏଫ୍ଓ ପକ୍ଷରୁ କୁହାଯାଇଛି। ବେତନ ସମ୍ପର୍କିତ ବିବରଣୀକୁ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍ କରିବା ଲାଗି ନିଯୁକ୍ତିଦାତାମାନଙ୍କୁ ତିନି ମାସର ସମୟ ଦିଆଯାଇଛି।

ଅନ୍ୟ ପକ୍ଷରେ, ଆଜି ଇପିଏଫ୍ଓ ପକ୍ଷରୁ ପେନ୍‌ସନ୍ କାଲକୁଲେଟର ସୁବିଧା ଆରମ୍ଭ କରାଯାଇଛି। ଇପିଏଫ୍ଓ ମେମ୍ବର ସେବା ପୋର୍ଟାଲ୍‌ରେ ଥିବା ‘ଇମ୍ପୋର୍ଟାଣ୍ଟ୍‌ ଲିଙ୍କ୍‌’ ସେକ୍ସନରୁ ସଦସ୍ୟମାନେ କାଲ୍‌କୁଲେଟରକୁ ଡାଉନ୍‌ଲୋଡ୍ କରିପାରିବେ। କର୍ମଚାରୀ ପେନ୍‌ସନ୍ ଯୋଜନା (ଇପିଏସ୍‌)ରେ ଅଧିକ ପେନ୍‌ସନ୍ ପାଇବା ଲାଗି ଆଉ ଅବଶିଷ୍ଟ କେ‌ତେ ଟଙ୍କା ଦେବାକୁ ପଡ଼ିବ ତାହା ଏହି କାଲକୁଲେଟରକୁ ବ୍ୟବହାର କରି ସଦସ୍ୟମାନେ ଜାଣିପାରିବେ। କାଲ୍‌କୁଲେଟରକୁ ବ୍ୟବହାର କରିବା ଲାଗି ଇପିଏଫ୍ ସ୍କିମ୍‌ରେ ଯୋଗଦେବା ତାରିଖ ଜଣାଥିବା ଦରକାର। କାଲକୁଲେଟରରେ ମଗାଯାଇଥିବା ସବୁ ତଥ୍ୟ ଦେବା ପରେ ଅଧିକ ପେନ୍‌ସନ୍ ଲାଗି ପ୍ରତି ମାସ ପାଇଁ ଆଉ କେତେ ଟଙ୍କା ଦେବାକୁ ପଡ଼ିବ ତାହା ଜଣାପଡ଼ିବ। ସୁଧ ବିଷୟରେ ମଧ୍ୟ ତାହା ସୂଚନା ଦେବ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.