'ମୋ ବସ୍'ର ସଫଳତା ସମ୍ପର୍କରେ ମସ୍କୋରେ ଆନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ ଆଲୋଚନା

Aug 26, 2023 - 15:16
 0  6
'ମୋ ବସ୍'ର ସଫଳତା ସମ୍ପର୍କରେ ମସ୍କୋରେ ଆନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ ଆଲୋଚନା
'ମୋ ବସ୍'ର ସଫଳତା ସମ୍ପର୍କରେ ମସ୍କୋରେ ଆନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ ଆଲୋଚନା

ମସ୍କୋ/ ଭୁବନେଶ୍ୱର: ଆନ୍ତର୍ଜାତୀୟ ପରିବହନ ସମ୍ମିଳନୀ ମସ୍କୋରେ ୨୪ ଅଗଷ୍ଟରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ CRUT ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଯୋଗ ଦେଇ ଓଡ଼ିଶାରେ 'ମୋ ବସ୍'ର ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି।

ଗ୍ରାହକ କେନ୍ଦ୍ରିକ ଆଭିମୁଖ୍ୟ ମାଧ୍ଯମରେ ସମସ୍ତଙ୍କ ପାଇଁ ନିରନ୍ତର ଓ ସୁବିଧାଜନକ ବସ୍ ସେବା ଯୋଗାଇ ଦେବା CRUT ର ବିଶେଷତା। ଏହା ଦ୍ବାରା ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ହ୍ରାସ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସଂମ୍ପର୍କରେ ପରିଚାଳନା ନିର୍ଦ୍ଦେଶକ ବୋଥ୍ରା ନିଜ ବକ୍ତବ୍ୟରେ ଗୁରୁତ୍ତ୍ଵ ଦେଇଛନ୍ତି। ନିକଟରେ ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ ଇ ବସ୍ ସେବା ବିଷୟରେ ଜଣାଇବା ସହ ନିରନ୍ତର ସହରାଞ୍ଚଳ ପରିବହନ ସେବା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଏବଂ ଓଡିଶା ସରକାର କିପରି ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ଆନ୍ତର୍ଜାତୀୟ ଦର୍ଶକଙ୍କୁ ସେ ଜଣାଇଛନ୍ତି।

ମସ୍କୋର ପରିବହନ ଓ ସଡ଼କ ଭିତ୍ତିଭୂମି ବିକାଶ ବିଭାଗ ଏଵଂ ବାହ୍ୟ ଅର୍ଥନୀତି ଓ ଆନ୍ତର୍ଜାତୀୟ ସମ୍ପର୍କ ବିଭାଗ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ବିଭିନ୍ନ ସହରର ମେୟର, ପରିବହନ ମନ୍ତ୍ରୀ, ଆନ୍ତର୍ଜାତୀୟ ପରିବହନ ଅପରେଟରର ସିଇଓ, ଆଇଟି କମ୍ପାନୀ, ପରିବହନ ବିଶେଷଜ୍ଞ ଏବଂ ଶିକ୍ଷାବିତ ମାନେ ସହରଞ୍ଚାଳ ପରିବହନ ସଂମ୍ପର୍କରେ ଆଲୋଚନା କରୁଛନ୍ତି।

ମସ୍କୋରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପରିବହନ ସମ୍ମିଳନୀ ଜାତୀୟ ଓ ରାଜ୍ୟସ୍ତରୀୟ ସଫଳତାକୁ ପ୍ରଦର୍ଶିତ କରିବା ପାଇଁ ଏକ ଅନନ୍ୟ ମଞ୍ଚ ପ୍ରଦାନ କରିଛି। ଏହା ସହ ପରିବହନ କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃମଣ୍ଡଳୀଙ୍କ ସହ ଉପାଦେୟ ଆଲୋଚନା ପାଇଁ ସୁଯୋଗ ଦେଇଛି ବୋଲି ବୋଥ୍ରା କହିଛନ୍ତି।

ସେ କହିଛନ୍ତି, "ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ନେଇ କ୍ରୁଟର ଯାତ୍ରା ଏବଂ 'ମୋ ବସ୍'ର ପରିବର୍ତ୍ତନକାରୀ ପ୍ରଭାବକୁ ଏଭଳି ଏକ ବୃହତ୍ତ ମଞ୍ଚରେ ବାଣ୍ଟିବା ବାସ୍ତବରେ ଗର୍ବର ବିଷୟ। ଆମର ଗ୍ରାହକ କେନ୍ଦ୍ରିକ ଆଭିମୁଖ୍ୟ କେବଳ ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ନୂଆ ରୂପ ଦେଇ ନାହିଁ ବରଂ ସମାବେଶିତା ପାଇଁ ଏକ ନୂଆ ମାନକ ମଧ୍ୟ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସ୍ୱୀକୃତି ଆମ ଟିମ ପାଇଁ ଆମ ସେବା ଏବଂ ସମର୍ପଣ ଉପରେ ଜନସାଧାରଣଙ୍କ ବିଶ୍ୱାସର ବଳିଷ୍ଠ ପ୍ରମାଣ।"

ଆନ୍ତର୍ଜାତିକ ପରିବହନ ଶିଖର ସମ୍ମିଳନୀ ପରିବହନ କ୍ଷେତ୍ରରେ ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ  ମାଧ୍ୟମ ଭାବେ କାର୍ଯ୍ୟ  କରୁଛି। ଏହି ଶିଖର ସମ୍ମିଳନୀରେ ବିଶେଷଜ୍ଞମାନଙ୍କ ମତାମତ ଏବଂ ନୈପୁଣ୍ୟତାର ଆଦାନ-ପ୍ରଦାନ ବିଶ୍ୱବ୍ୟାପୀ ସହରାଞ୍ଚଳ ପରିବହନର ଭବିଷ୍ୟତକୁ ରୂପରେଖ ପ୍ରଦାନ କରିବ ବୋଲି ଆଶା କରାଯାଉଛି। 'ମୋ ବସ୍' ଭଳି ଅନେକ ସଫଳତାର କାହାଣୀ ସମସ୍ତଙ୍କୁ ପ୍ରେରଣା ଦେବା ସହ ନୂତନ ଆଶାର ସଞ୍ଚାର କରିଛି। ଏଥିରେ ଅରୁଣ ବୋଥ୍ରାଙ୍କ ଯୋଗଦାନ ଏବଂ CRUT ର ଯାତ୍ରା ଉପରେ ତାଙ୍କର ବକ୍ତବ୍ୟ ସହରାଞ୍ଚଳର ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାପାଇଁ ପ୍ରେରଣା ଯୋଗାଇବ।

ଏହି ଅଭିନବ ପ୍ରୟାସ ମାଧ୍ୟମରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ CRUT ଏକ ଅଗ୍ରଣୀ ସଂସ୍ଥା। ସମସ୍ତ ଗ୍ରାହକଙ୍କ ସେବା ପାଇଁ ଦୃଢ଼ ପ୍ରତିବଦ୍ଧତା ସହିତ, CRUT 'ମୋ ବସ୍' ଭଳି ପଦକ୍ଷେପ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ଲାଭ କରିଛି। ଏହା ସହରାଞ୍ଚଳଗୁଡ଼ିକରେ ପରିବହନ ସେବା ଦିଗରେ ଉଦାହରଣ ସୃଷ୍ଟି କରିଛି।

What's Your Reaction?

like

dislike

love

funny

angry

sad

wow