ଲୋକକଳା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ହେବ ସଚେତନତା ସୃଷ୍ଟି
ଭୁବନେଶ୍ବର: ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ । ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି ଯୋଗ୍ୟବ୍ୟକ୍ତି ବାଦ ନପଡନ୍ତି ଏ ସଂପର୍କରେ ଲୋକକଳା ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସଂପୃକ୍ତ ଜିଲ୍ଲାର ଲୋକପ୍ରିୟ ଲୋକକଳା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ I
ଏ ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ମିଳିତ ଉପସ୍ଥିତିରେ ଭର୍ଚ୍ୟୁଆଲ ମାଧ୍ୟମରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସମସ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ମାନେ ଯୋଗ ଦେଇଥିଲେ । ସେହିଭଳି ଗତକାଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଉଭୟ ବିଭାଗର ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଛି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାପୂର୍ବରୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ କଳା ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ I ଏଥିରେ ବ୍ଲକ ଓ ଜିଲ୍ଲା କଳା ସାଂସ୍କୃତିକ ସଂଘକୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ ନିକଟରେ ଲୋକକଳା କଳାକାର ମାନଙ୍କ ପରିବେଷଣ ଜନିତ ପାରିଶ୍ରମିକ ରାଜ୍ୟ ସରକାର ବୃଦ୍ଧି କରିଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।
What's Your Reaction?