ଅମ୍ରିତା ଲାହିରୀଙ୍କ କୁଚିପୁଡ଼ି ନୃତ୍ୟ ଓ ଆକ୍ରମ୍ ଖାନ୍ ଙ୍କ ତବଲା ବାଦନରେ ମତୁଆଲା ଦର୍ଶକ

Sep 8, 2023 - 22:26
 0  6
ଅମ୍ରିତା ଲାହିରୀଙ୍କ କୁଚିପୁଡ଼ି ନୃତ୍ୟ ଓ ଆକ୍ରମ୍ ଖାନ୍ ଙ୍କ ତବଲା ବାଦନରେ ମତୁଆଲା ଦର୍ଶକ
ଅମ୍ରିତା ଲାହିରୀଙ୍କ କୁଚିପୁଡ଼ି ନୃତ୍ୟ ଓ ଆକ୍ରମ୍ ଖାନ୍ ଙ୍କ ତବଲା ବାଦନରେ ମତୁଆଲା ଦର୍ଶକ
ଅମ୍ରିତା ଲାହିରୀଙ୍କ କୁଚିପୁଡ଼ି ନୃତ୍ୟ ଓ ଆକ୍ରମ୍ ଖାନ୍ ଙ୍କ ତବଲା ବାଦନରେ ମତୁଆଲା ଦର୍ଶକ

ଭୁବନେଶ୍ୱର (ତା ୮.୯.୨୦୨୩) : ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆଜି ଥିଲା ଚତୁର୍ଥ ସଂଧ୍ୟା । ଏହି ଚତୁର୍ଥ ସଂଧ୍ୟାରେ ଅମ୍ରିତା ଲାହିରୀଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟ ଓ ଆକ୍ରମ ଖାନ୍‍ଙ୍କ ଦ୍ୱାରା ତବଲା ବାଦନ ଦେଖିବାକୁ ମିଳିଥିଲା । 

ଆଜି ସନ୍ଧ୍ୟାର ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ; ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ କୁଚିପୁଡ଼ି ନୃତ୍ୟାଙ୍ଗନା ଅମ୍ରିତା ଲାହିରୀଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟରୁ । ସେ ତାଙ୍କର ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶ ସମସ୍ତ ବାଧାବିଘ୍ନକୁ ଦୂର କରିବା ପାଇଁ ତାଙ୍କର ଶୁଭ ଆଶୀର୍ବାଦ ଲୋଡ଼ିଥିଲେ । ଶ୍ରୀ ଜୟକିଶୋର ମୋସାଲକାନ୍ତିଙ୍କ ନୃତ୍ୟ ସଂରଚନା ଆନନ୍ଦ ନର୍ତ୍ତନ ଗଣପତିମ୍‍ରେ ପ୍ରଭୁ ଗଣେଶଙ୍କ ଆନନ୍ଦମୟ ନୃତ୍ୟକୁ ତାଙ୍କ ପ୍ରଶଂସନୀୟ ମଞ୍ଚ ଉପସ୍ଥିତି ଓ ଚଞ୍ଚଳ ଚଳଣି ମାଧ୍ୟମରେ ବର୍ଣ୍ଣନା କରି ସନ୍ଧ୍ୟାକୁ ବେଶ୍‍ ଉପଭୋଗ୍ୟ କରିଥିଲେ ।

ଏହା ପରେ ସେ ଶ୍ରୀମତୀ ସ୍ୱପ୍ନ ସୁନ୍ଦରୀଙ୍କ ଦକ୍ଷ ପ୍ରଶିକ୍ଷଣରେ ଶିଖିଥିବା ଏକ କୁଚିପୁଡ଼ି ନୃତ୍ୟନାଟିକାରୁ ଉଷା ପରିଣୟମ ପରିବେଷଣ କରିଥିଲେ । ନାଟକ ଓ ଭାବପ୍ରବଣତାରେ ସମୃଦ୍ଧ ଏହି ଏକକ ନୃତ୍ୟାନୁଷ୍ଠାନରେ ନୃତ୍ୟଶିଳ୍ପୀ ଉଷା ନାମଧାରୀ ଚରିତ୍ରରେ ପ୍ରବେଶ କରି ଶୋଇଥିବା ଅବସ୍ଥାରେ ତାଙ୍କୁ ଆଲିଙ୍ଗନ କରିଥିବା ସୁଦର୍ଶନ ରାଜକୁମାରଙ୍କୁ ସ୍ୱପ୍ନରେ ଦେଖିଥାନ୍ତି ।

ଶେଷରେ ଜୟକିଶୋର ମୋସାଳିକାନ୍ତିଙ୍କ ନୃତ୍ୟ ସଂରଚନାରେ ଏକ ଶକ୍ତିଶାଳୀ ଶିବ ତରଙ୍ଗ ପରିବେଶିତ ହୋଇଥିଲା । ଏହି ଉପସ୍ଥାପନରେ ସର୍ବଶକ୍ତିମାନ ନିର୍ଗୁଣ ପରବ୍ରହ୍ମଙ୍କ ମହିମା ବର୍ଣ୍ଣନା କରାଯାଇଥିଲା, ଯାହାଙ୍କ ଜଟାରୁ ପବିତ୍ର ଗଙ୍ଗା ଓହ୍ଲାଇ ଆସିଥିଲେ । ତରଙ୍ଗର ଶେଷରେ ନୃତ୍ୟଶିଳ୍ପୀ ଏକ ଥାଳିରେ ନୃତ୍ୟ କରିଥିଲେ ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ୍‍ ଆନନ୍ଦ ପ୍ରଦାନ କରିଥିଲା । ତାଙ୍କୁ କଣ୍ଠରେ ଶୁଜେସ୍‍ ମେନନ୍‍, ମୃଦଙ୍ଗମ୍‍ରେ ଶତିସ୍‍ କ୍ରୀଷ୍ଣମୃର୍ତ୍ତୀ, ବେହେଲାରେ ମଙ୍ଗଳା ବୈଦନାଥନ୍‍ ଓ ନଟୁଭଙ୍ଗମ୍‍ରେ ବିଜୟ କୁମାର ଏସ୍‍ ସହଯୋଗ କରିଥିଲେ । 

ଏହାପରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ତବଲା ବାଦକ ଆକ୍ରମ ଖାନ୍‍ଙ୍କ ଦ୍ୱାରା ତବଲା ବାଦନ ପରିବେଷିତ ହୋଇଥିଲା । ବିଭିନ୍ନ ରାଗ ଓ ତାଳକୁ ନେଇ ତବଲା ଉପରେ ତାଙ୍କର ଆଙ୍ଗୁଠି ଚାଳନା ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ତାଙ୍କୁ ହାରମୋନିୟମ୍‍ରେ ଶ୍ରୀ ନିଳୟ ସାଲ୍‍ଭୀ ସହଯୋଗ କରିଥିଲେ । ଦର୍ଶକମାନେ ଏକ ଜଟିଳ ଓ ଛନ୍ଦବଦ୍ଧ ଭାବେ ହୃଦୟସ୍ପର୍ଶୀ ବାଦ୍ୟଯନ୍ତ୍ରକୁ ଶୁଣୁଥିଲେ ଯାହା ଆକ୍ରମ ଖାଁଙ୍କ ଆନନ୍ଦ ଦାୟକ ତବଲା ବାଦନର ତାଳେ ତାଳେ ପ୍ରେକ୍ଷାଳୟକୁ ପ୍ରକମ୍ପିତ କରିଥିଲା । 

ସୃଜନ ଅନୁଷ୍ଠାନର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି । ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow